ଓଏସ୍‌ଟିଏଫ୍‌ ଯୋଜନାକୁ ବନ୍ଦ କରି ସରକାର ଗରିବଙ୍କୁ ପ୍ରତାରଣା କରିଛନ୍ତି : ବିଜେପି

Advertisment

ଯଦି ଅର୍ଥ ନାହିଁ, ତେବେ ଆୟୁଷ୍ମାନ ଯୋଜନା ତୁରନ୍ତ ଲାଗୁ କର

ଯଦି ଅର୍ଥ ନାହିଁ, ତେବେ ଆୟୁଷ୍ମାନ ଯୋଜନା ତୁରନ୍ତ ଲାଗୁ କର

ବବି ବାବୁ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି କି: ବିଜେପି

odishanewsinsight.com

ଭୁବନେଶ୍ୱର : ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‌ଟିଏଫ୍‌) ବନ୍ଦ ହେବ ନାହିଁ ବୋଲି ଗତ ଫେବ୍ରୁଆରି ମାସରେ ସରକାର ବିଧାନସଭାରେ ଉତ୍ତର ରଖିଥିଲେ। କିନ୍ତୁ ଏବେ ଓଏସ୍‌ଟିଏଫ୍‌କୁ ବନ୍ଦ କରି ଦେଇଛନ୍ତି। କରୋନା ମହାମାରୀ ସମୟରେ ଏହି ଯୋଜନା ବନ୍ଦ ହେବାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି ବିଜେପି। ଓଏସ୍‌ଟିଏଫ୍‌କୁ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଯୋଜନା କହୁଥିବା ରାଜ୍ୟ ସରକାର ଏବେ ଏହାକୁ ବନ୍ଦ କରି ଗରିବଙ୍କ ପ୍ରତି ପ୍ରତାରଣା କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ଓଏସ୍‌ଟିଏଫ୍‌ ଯୋଜନା ମାଧ୍ୟମରେ ରାଜ୍ୟ ଭିତରେ ଓ ବାହାରେ ସମସ୍ତ ପଞ୍ଜୀକୃତ ବେସରକାରୀ ଚିକିତ୍ସାଳୟରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଦେବାର ବ୍ୟବସ୍ଥା ଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ରାଜ୍ୟ ଭିତରେ ଚିକିତ୍ସା କରିହେବ। ଚିକିତ୍ସା ପାଇଁ କାହିଁକି ଗରିବ ରୋଗୀଟିଏ ବାହାରକୁ ଯାଇପାରିବ ନାହିଁ? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ସରକାରୀ ହସ୍ପିଟାଲ ସହ ୨୦୮ ସ୍ୱୀକୃତିପ୍ରାପ୍ତ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ ବୋଲି ରାଜ୍ୟ ସରକାର ଦୃଢ଼ୋକ୍ତି ପ୍ରକାଶ କରିଥିଲେ। କିନ୍ତୁ ମନ୍ତ୍ରୀଙ୍କ ବିଧାନସଭା ଉତ୍ତରରୁ ସ୍ପଷ୍ଟ ଜଣାପଡୁଛି ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସୁବିଧା ମିଳିଥିବା ସ୍ୱୀକୃତିପ୍ରାପ୍ତ ବେସରକାରୀ ହସ୍ପିଟାଲ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ୧୮ ନଭେମ୍ବର ୨୦୧୯ରେ ସ୍ୱୀକୃତିପ୍ରାପ୍ତ ବେସରକାରୀ ହସ୍ପିଟାଲ ସଂଖ୍ୟା ୧୯୬ ଥିବା ବେଳେ ୧୬ ଫେବୃଆରୀ ୨୦୨୦ ସୁଦ୍ଧା ଏହା କମି ୧୮୦ ରେ ପହଞ୍ଚିଛି। ଏକ ବର୍ଷ ଭିତରେ ବେସରକାରୀ ହସ୍ପିଟାଲ ସଂଖ୍ୟା କିପରି କମିଲା ? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସରକାର ବିଭିନ୍ନ ରୋଗ ପାଇଁ ଯେଉଁ ଆର୍ଥିକ ବ୍ୟବସ୍ଥା କରିଛନ୍ତି, ଏହା ଦ୍ୱାରା ଗୁରୁତର ରୋଗରେ ଆକ୍ରାନ୍ତ ଗରିବ ଲୋକଟିଏ ସୁଫଳ ପାଇପାରିବ ନାହିଁ। ବିଏସକେୱାଇ ଆଇସିୟୁ ପାଇଁ ମିଳୁଛି ୩,୫୦୦ ଟଙ୍କା। ଏଥିରେ ବେଡ୍‌ ଚାର୍ଜ, ଡାକ୍ତରଙ୍କ ଦେୟ, ଔଷଧ ଓ ପରୀକ୍ଷା ସାମିଲ। କୌଣସି ଘରୋଇ ହସ୍ପିଟାଲ ୩୫୦୦ ଟଙ୍କାରେ ଆଇସିୟୁରେ ସେବା ଯୋଗାଇବାକୁ ଅସମର୍ଥ। ରୋଗୀଟିଏ ଆଇସିୟୁ ସେବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପାଇପାରିବ ନାହିଁ ଯାହା ଓଏସ୍‌ଟିଏଫ୍‌ ଯୋଜନାରେ ମିଳୁଥିଲା । କର୍କଟ, କିଡ୍‌ନି ପ୍ରତ୍ୟାରୋପଣ, ନ୍ୟୁରୋ ସର୍ଜରି, ଅର୍ଥୋ ସର୍ଜରି ଆଦି କ୍ଷେତ୍ରରେ ଗୁରୁତର ଅପରେସନ କରିବା ଲାଗି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁ ଅର୍ଥ ବ୍ୟବସ୍ଥା ହୋଇଛି ସେଥିରେ ଚିକିତ୍ସା ମିଳିବା ଅସମ୍ଭବ।

publive-image watsupptoday.com

ବିଜେପି ପକ୍ଷରୁ କୁହାଯାଇଛି ଯେ ଯଦି ରାଜ୍ୟ ସରକାର ଅର୍ଥାଭାବର ସମ୍ମୁଖୀନ ହେଉଛନ୍ତି ତେବେ ଆୟୁଷ୍ମାନ ଭାରତ ଯୋଜନାରେ ତୁରନ୍ତ ଯୋଡ଼ି ହୁଅନ୍ତୁ। ଏହି ଯୋଜନାରେ ସାରା ଦେଶରେ ୨୦ ହଜାର ହସ୍ପିଟାଲରେ ଗରିବ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାରଙ୍କୁ ଯୋଡ଼ିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। କିନ୍ତୁ ବିଧାନସଭାର ୨୦୧୮-୧୯ ତଥ୍ୟରୁ ଜଣାପଡିଛି ଯେ, ମାତ୍ର ସାଢ଼େ ୩ କୋଟି ଟଙ୍କା ଏହି ଯୋଜନାରେ ଖର୍ଚ୍ଚ ହୋଇଛି। ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଗତି ଓଡ଼ିଶାରେ ଆଶାନୁରୂପକ ନୁହେଁ। ଆୟୁଷ୍ମାନ ଭାରତରେ ଯୋଡ଼ି ହେଲେ ଏସ୍‌ଇସିସି ତାଲିକା ଅନୁଯାୟୀ ୬୧ ଲକ୍ଷ ୩୫ ହଜାର ଲୋକଙ୍କ ସହିତ ସହରାଞ୍ଚଳରେ ବାସ କରୁଥିବା ଡ୍ରାଇଭର ଏବଂ ସଫେଇ କର୍ମଚାରୀ ଏହି ଯୋଜନାରେ ସାମିଲ ହୋଇପାରିବେ । ଯଦି ରାଜ୍ୟ ସରକାର ଆହୁରି ଅଧିକ ସୁବିଧା ଯୋଗାଇବାକୁ ଚାହାନ୍ତି ତେବେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପରି ବଳକା ଲୋକମାନଙ୍କ ପାଇଁ ଅନ୍ୟ ଏକ ଯୋଜନା କରିପାରିବେ। ରାଜ୍ୟ ସରକାର ନିଜ ଜିଦିରୁ ହଟି ଓଡ଼ିଆ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସହାୟକ ହୋଇ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe