Deccan Herald
ଭୁବନେଶ୍ବର : ମାହାଙ୍ଗା ଡବଲ୍ ମର୍ଡର୍ ଘଟଣାରେ ଅପରାଧୀଙ୍କୁ ଗିରଫ କରିବା ଦାବିକୁ ପୁଣି ଜୋର୍ଦାର୍ କରିଛି ବିଜେପି। ଏହା ସହ କେନ୍ଦ୍ରୀୟ ଯୋଜନାର ଠିକ୍ କ୍ରିୟାନ୍ବୟନ ପାଇଁ ଦାବି କରିଛି ଦଳ। ଏହି ଦୁଇଟି ପ୍ରସଙ୍ଗରେ ଆସନ୍ତା ୨୦ ତାରିଖରେ ବିଜେପି ପକ୍ଷରୁ ବିଧାନସଭା ଘେରାଉ କରାଯିବ।
ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ପକ୍କା ଘର ଯୋଗାଇବା ଲକ୍ଷ୍ୟରେ ମୋଦୀ ସରକାର କାର୍ଯ୍ୟ କରୁଛନ୍ତି। କିନ୍ତୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଛି। ମାହାଙ୍ଗା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ବିଜେପି ନେତା ଶାରଦା ପ୍ରଧାନ ଏହି ଦୁର୍ନୀତି ବିରୋଧରେ ସ୍ୱର ଉଠାଇଥିଲେ। ଏହି ଘଟଣାରେ ଶାସକ ଦଳ ନେତାଙ୍କ ପୋତ୍ସାହନରେ ବିଜେଡି କର୍ମୀମାନେ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କଲେ। ପୂର୍ବରୁ ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା। ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏତଲାରେ ଥିବା ସତ୍ତ୍ବେ ଶାସକ ଦଳ ଚାପରେ ପୁଲିସ ତାଙ୍କୁ ତଦନ୍ତ ପରିସରଭୁକ୍ତ କରୁ ନାହିଁ। ରାଜନୈତିକ ଦୃଷ୍ଟିକୋଣରୁ ବିରୋଧ କଲେ ତାର ଉତ୍ତର କ’ଣ ହତ୍ୟା ? ଆବାସ ଯୋଜନା କେଳେଙ୍କାରୀ ବିରୋଧରେ ପ୍ରତିବାଦ କରିଥିବାରୁ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରାଗଲା ଏବଂ ଏବେ ବିଜେପି ନେତା ଶାରଦା ପ୍ରଧାନଙ୍କୁ ମିଛ କେସ୍ରେ ଛନ୍ଦି ଭୟଭୀତ କରାଯାଉଛି। ଏହା ବିରୋଧରେ ବିଜେପି ଲଢ଼େଇ ଜୋରଦାର କରିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି।
Follow Us