୧୪ରୁ ୨୦ ସେବା ସପ୍ତାହ ପାଳନ କରିବ ବିଜେପି

ବିଜେଡି ଭାଷଣବାଜିରେ ଓବିସିଙ୍କ ପ୍ରତି ମିଛ ଦରଦ ଦେଖାଇବା ବନ୍ଦ କରୁ: ବିଜେପି

Odisha Sun Times

ଭୁବନେଶ୍ୱର : ଆସନ୍ତା ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମ ଦିବସ ପାଳନ ହେବ। ଏହି ଅବସରରେ ଚଳିତ ବର୍ଷ ଆସନ୍ତା ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ କରାଯିବ। ଏହି ସେବା ସପ୍ତାହରେ ବିଜେପି କର୍ମକର୍ତ୍ତାମାନେ ବିଭିନ୍ନ ପ୍ରକାରର ସେବା କାର୍ଯ୍ୟମାନ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କର ନିରାମୟ ଓ ଦୀର୍ଘ ଜୀବନ କାମନା କରିବେ।

ସେବା ସପ୍ତାହର ପ୍ରଥମ ଦିନ ଅର୍ଥାତ୍‌ ୧୪ ତାରିଖ ଦିନ ଦଳୀୟ କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ପ୍ରତ୍ୟେକ ବୁଥରେ ୭୦ଟି ଲେଖାଏଁ ବୃକ୍ଷରୋପଣ କରିବେ। ଦ୍ବିତୀୟ ଦିନ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ୭୦ ଜଣ ଲେଖାଏଁ ଦିବ୍ୟାଙ୍ଗମାନଙ୍କୁ ଆବଶ୍ୟକତା ଅନୁଯାୟୀ ମାଗଣା ଚଷମା, କୃତ୍ରିମ ଅଙ୍ଗ ଓ ଉପକରଣ ପ୍ରଦାନ କରାଯିବ। ଏହାସହିତ ସୋସିଆଲ୍‌ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଭିଡିଓ ଓ ଫଟୋଚିତ୍ର ପ୍ରଦର୍ଶନ କରାଯିବ। ସେହିପରି ୧୬ ତାରିଖରେ ରାଜ୍ୟର ସମସ୍ତ ମଣ୍ଡଳରେ ୨ଟି ବସ୍ତି ଓ ଡାକ୍ତରଖାନାରେ ଫଳ ବିତରଣ କରାଯିବ। ୧୭ ତାରିଖରେ ରାଜ୍ୟରେ ୭୦ଟି ସ୍ଥାନରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ଏଥିସହ ସ୍ଥାନୀୟ ଆବଶ୍ୟକତା ଓ ଡାକ୍ତରଖାନା ମାଧ୍ୟମରେ ୭୦ ଜଣ କର୍ମକର୍ତ୍ତା ପ୍ଲାଜ୍‌ମା ଦାନ କରିବେ। ୧୮ ଓ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିତ୍ବ ଓ ନେତୃତ୍ବକୁ ନେଇ ଓ୍ବେବିନାର୍‌ ଜରିଆରେ ରାଜ୍ୟର ୨ଟି ସ୍ଥାନରେ ଭର୍ଚୁଆଲ୍‌ ମିଟିଂର ଆୟୋଜନ କରାଯିବ। ଏହି ମିଟିଂରେ ସମାଜର ପ୍ରମୁଖ ବୁଦ୍ଧିଜୀବୀ ଓ ନାଗରିକମାନେ ଯୋଗଦେବେ।

ଶେଷ ଦିବସ ଅର୍ଥାତ୍‌ ୨୦ ତାରିଖ ଦିନ ପ୍ରତ୍ୟେକ ଜିଲ୍ଲାର ୭୦ଟି ଗ୍ରାମରେ ସ୍ବଚ୍ଛତା ଅଭିଯାନ କରାଯିବା ସହ ବ୍ୟବହୃତ ହୋଇଥିବା ପ୍ଲାଷ୍ଟିକ୍‌ ବର୍ଜନ ପାଇଁ କର୍ମକର୍ତ୍ତାମାନେ ସଂକଳ୍ପ ନେବେ। ସପ୍ତାହବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ସେବା ସପ୍ତାହ କାର୍ଯ୍ୟକ୍ରମରେ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ସହ ଅନ୍ୟ ପଦାଧିକାରୀ ଓ କର୍ମକର୍ତ୍ତାମାନେ କୋଭିଡ ନୀତିନିୟମକୁ ମାନି ଭାଗ ନେବାକୁ ରାଜ୍ୟ ସଭାପତି ସମୀର ମହାନ୍ତି ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe