ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ଦାବିପତ୍ର

Advertisment

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ୧୦ ଦିନର ମହଲତ, ଆନ୍ଦୋଳନ ଧମକ

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ୧୦ ଦିନର ମହଲତ, ଆନ୍ଦୋଳନ ଧମକ

ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ଦାବିପତ୍ର

ଏସ. ରାମପୁର: ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଦୁଇ ଦୁଇଟି ଗୁରୁତ୍ବପୁର୍ଣ୍ଣ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଆଜି ତାଙ୍କ ନିଜ ଗାଁରେ ଘେରିଛି ବିଜେପି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସ୍ଥାନୀୟ ବରିଷ୍ଠ ବିଜେପି ନେତା ଅଶୋକ ପୂଜାରୀ ଏବଂ ତାଙ୍କ ସମର୍ଥକ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥାର ଅଧୋଗତିକୁ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସମଗ୍ର ଜିଲ୍ଲାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ୧୦ ଦିନ ମଧ୍ୟରେ ସଜାଡ଼ିବାକୁ ଦାବି କରିବା ସହ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରା ନ ଗଲେ ଜୋରଦାର ଆନ୍ଦୋଳନର ଚେତାବନୀ ଦେଇଛି ବିଜେପି। ତେବେ ବିରୋଧୀଙ୍କ ଆଭିମୁଖ୍ୟ ଦେଖି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଜିଲ୍ଲାରେ ଶାସକ ଦଳର ଦୁଇ ଜଣ ହେଭିୱେଟ ନେତା ଥାଇ ମଧ୍ୟ ସ୍ବାସ୍ଥ୍ୟସେବା ଭୁଶୁଡିପଡ଼ିବା ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି।

୨୨ବର୍ଷର ଶାସନ କାଳରେ ଓଡ଼ିଶା ସରକାରଙ୍କ ବହୁ ଗୁରୁତ୍ବପୁର୍ଣ୍ଣ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ରହି ମଧ୍ୟ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଭୁଶୁଡ଼ିବା ଦୁର୍ଭାଗ୍ୟର ବିଷୟ ବୋଲି ଅଭିଯୋଗ କରିଛି ବିଜେପି। ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟଠାରୁ ମନ୍ତ୍ରୀଙ୍କ ନିଜ ଗାଁ ତଥା ତାଙ୍କ ନିଜ ବ୍ଲକ୍ ଅଞ୍ଚଳର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥିତି ଦେଖିଲେ ଜିଲ୍ଲାର ବିକାଶର ଅସଲ ରୂପ ଏବଂ ସରକାରଙ୍କ କୋଟିକୋଟି ଟଙ୍କାର ମାଳମାଳ ଯୋଜନାର ଅସଲଚିତ୍ର ସହଜରେ ଅନୁମେୟ ବୋଲି ଦାବିରେ ଉଲ୍ଲେଖ କରିଛନ୍ତି ବିରୋଧୀ ନେତା। ରାଜ୍ୟ ସରକାରଙ୍କ ଅର୍ଥ ଓ ସଂସଦୀୟ ବ୍ୟାପାର ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିଜସ୍ବ ଗାଁରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉନ୍ନୀତ କରିବାକୁ ତତ୍କାଳୀନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପତ୍ରସଂଖ୍ୟା ୧୫୯୧/ତା ୨୦।୩।୨୦୧୪ ରିଖରେ ଫିଜିବିଲିଟି ରିପୋର୍ଟ ସହିତ ଏକ ପତ୍ର ଏଡିସିନାଲ ଡାଇରକ୍ଟର ହେଲ୍ଥ ଆଣ୍ଡ ସର୍ଭିସ, ଓଡ଼ିଶାକୁ ପଠାଇବାର ୮ ବର୍ଷ ବିତି ଯାଇଥିଲେ ସୁଦ୍ଧା ସୁଫଳ ମିଳିନାହିଁ।

ସେହିପରି ଗଜବନ୍ଧ ଛକଠାରେ ୨୦୦୩ ମସିହାରୁ ପ୍ରତିଷ୍ଠିତ ହୋମିଓପ୍ୟାଥିକ ଚିକିତ୍ସାଳୟର ସ୍ଥାୟୀ ଗୃହ, ଡାକ୍ତର ଓ ଷ୍ଟାଫଙ୍କ ରହିବା ପାଇଁ ଗୃହ ଏପର୍ଯ୍ୟନ୍ତ ନିର୍ମାଣ ହୋଇନାହିଁ। ଜିଲ୍ଲାରେ ୧୫୯ ମଞ୍ଜୁରିପ୍ରାପ୍ତ ଚିକିତ୍ସକ ପଦବୀରୁ ୮୫ଟି ଖାଲି ପଡ଼ିବା, ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା, ନାଇକେନପାଲି, ହରଡ଼ାଖୋଲ, ତରଭା, ଉଲୁଣ୍ଡା, କମସରା, ଶୁଖା, ଦିଗସିର ଆଦି ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଆବଶ୍ୟକ ଚିକିତ୍ସକ ଓ କର୍ମଚାରୀ ଅଭାବ ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସି​ଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବିଜେପି ନେତା ଶିବରାଜ ବେହେରା, ହରିଶଙ୍କର ପୂଜାରୀ, ସରୋଜ ସାହୁ, ଜୀବର୍ଦ୍ଧନ ବିଶି, ହରିବନ୍ଧୁ କଠାର, ପୁଟୁ ପାତ୍ର, ସୁନିଲ ପ୍ରଧାନ, ସୁଶାନ୍ତ ପ୍ରଧାନ, ମାଖନୁ ବେହେରା, ଯୋଗେଶ ବେହେରା, ଉତ୍ତମ ମହାନନ୍ଦ, ପଞ୍ଚାନନ ବାରିକ, ରବିନ୍ଦ୍ର ଦାସ, କୀର୍ତ୍ତନ ପ୍ରଧାନ, ଶତୃଘ୍ନ ସାହୁ, ମନୋଜ ଷଣ୍ଢ, ଉତ୍ତମ ଆଚାର୍ଯ୍ୟ, ନିମାଇଁ ଥପା ଏବଂ ସାନନ୍ଦ ଭୋଇ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe