ଭୁବନେଶ୍ୱର : ଧାମନଗର ଉପନିର୍ବାଚନରେ ସରକାରୀ କଳ ଓ ପ୍ରଶାସନକୁ ଶାସକ ବିଜେଡି ପ୍ରଚାର କାର୍ଯ୍ୟରେ ବ୍ୟବହାର କରୁଛି। କଣ୍ଟ୍ରୋଲ ଡିଲରଙ୍କ ଦ୍ୱାରା ରାସନ ସାମଗ୍ରୀ ବଣ୍ଟନ କରାଯିବା ସହ ମତଦାନ ଦେଇ ଫଟୋ ଦେଖାଇଲେ ୨ହଜାର ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଯାଉଛି। ଯାହା ନିର୍ବାଚନ ଆଚରଣ ବିଧିକୁ ଖୁଲମଖୁଲା ଉଲ୍ଲଂଘନ କରୁଛି। ତେଣୁ ମତଦାନବେଳେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ରାଜ୍ୟ ନିର୍ବାଚନ ଅଧିକାରୀ ସଂପୂର୍ଣ୍ଣ ରୋକ୍ ଲଗାନ୍ତୁ ବୋଲି ବିଜେପି ଆଜି ଦାବି କରିଛି।
ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ୩୦ଟଙ୍କା ନେଇ ଓଡ଼ିଶା ସରକାରଙ୍କ ଲୋଗୋ ଥିବା ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡ ବାଣ୍ଟୁଛନ୍ତି। ଯାହାକି ଅନ୍ୟ କୌଣସି ସ୍ଥାନରେ କରାଯାଉ ନାହିଁ। କାହା ନିର୍ଦ୍ଦେଶରେ ଏସ୍ଏଚ୍ଜି ମହିଳାମାନେ ଏହି କାର୍ଯ୍ୟ କରୁଛନ୍ତି ତାହାର ତଦନ୍ତ କରାଯାଉ। ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏସୁବୁକୁ ବନ୍ଦ କରାଯାଉ ବୋଲି ବିଜେପି ଦାବି କରିଛି।
ଆଜି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଏହି ଦାବି ପତ୍ର ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Follow Us