ବି‌ନୋଦ ରାୟଙ୍କ ମନ୍ତବ୍ୟ ପଛରେ ବିଜେପିର ହାତ: କଂଗ୍ରେସ

ବି‌ନୋଦ ରାୟଙ୍କ ମନ୍ତବ୍ୟ ପଛରେ ବିଜେପିର ହାତ: କଂଗ୍ରେସ

ଭୁବନେଶ୍ବର : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାମ ଟୁ-ଜି ସ୍ପେକ୍ଟ୍ରମ ଏବଂ କୋଇଲା ଆବଣ୍ଟନର ସିଏଜି ରିପୋର୍ଟରେ ଉଲ୍ଲେଖ ନକରିବା ପାଇଁ କଂଗ୍ରେସର ପୂର୍ବତନ ସାଂସଦ ସଞ୍ଜୟ ନିରୁପମ ତାଙ୍କୁ ଚାପ ପକାଇଥିଲେ ବୋଲି ପୂର୍ବତନ ସିଏଜି ବିନୋଦ ରାୟ ୨୦୧୪ ମସିହାରେ ଗଣମାଧ୍ୟମରେ କହିଥିଲେ ଏବଂ ତାଙ୍କ ବହିରେ ଲେଖିଥିଲେ। ଏହାପରେ ଶ୍ରୀ ନିରୁପମ ଦିଲ୍ଲୀସ୍ଥିତ ପଟିଆଲା ହାଉସ୍‌ ଡିଷ୍ଟ୍ରିକ୍ଟ କୋର୍ଟରେ ମାନହାନୀ ମକଦ୍ଦମା କରିଥିଲେ। ଏହି ମାମଲାରେ ଶ୍ରୀ ରାୟ କୋର୍ଟରେ ଶ୍ରୀ ନିରୁପମଙ୍କୁ ନିଃସର୍ତ୍ତ କ୍ଷମା ମାଗିବା ସହ କହିଛନ୍ତି ଯେ ସେତେବେଳେ ସେ ଯାହା କହିଥିଲେ ତାହା ବାସ୍ତବରେ ଭୁଲ୍‌।

ପୂର୍ବତନ ସିଏଜି ବିନୋଦ ରାୟ ଭୁଲ୍ ମାଗିବା ପରେ ଏଆଇସିସିର ସାଧାରଣ ସମ୍ପାଦକ ମୋହନ ପ୍ରକାଶ ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଶ୍ରୀ ରାୟ ସେତେବେଳେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ପଛରେ ବିଜେପି ଓ ଆର୍‌ଏସ୍‌ଏସ୍‌ର ପ୍ରଚ୍ଛନ୍ନ ହାତ ଥିବା ସ୍ପଷ୍ଟ ପ୍ରମାଣ ମିଳୁଛି। ତେଣୁ ଶ୍ରୀ ରାୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ, ଗଣମାଧ୍ୟମକୁ ଏବଂ ବିଚାରଳୟକୁ ନିଃସର୍ତ୍ତ କ୍ଷମା ମାଗନ୍ତୁ। ଏଭଳି ମିଛ ଦୁର୍ନୀତିର ନାଟକକୁ ଜେନେରାଲ ଭି.କେ ସିଂହ, କିରଣ ବେଦୀ, ରାମଦେବ, ଆନ୍ନା ହଜାରେ ଏବଂ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ସାରା ଭାରତ ବର୍ଷରେ ପ୍ରଚାର ପ୍ରସାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବିଜେପି ପ୍ରରୋଚନାରେ ଏହି ମିଥ୍ୟା ପ୍ରଚାର କରିଥିବା ଏବଂ କଂଗ୍ରେସକୁ ବଦନାମ୍ କରିଥିବା ବ୍ୟକ୍ତିମାନଙ୍କୁ ବିଜେପି ବି ପୁରସ୍କୃତ କରିଛି। ବିନୋଦ ରାୟଙ୍କୁ ବ୍ୟାଙ୍କିଂ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ପଦବି ଦିଆଗଲା, ଜେନେରାଲ ଭି.କେ ସିଂହଙ୍କୁ ଦୁଇଥର କେନ୍ଦ୍ର ମନ୍ତ୍ରୀ କରାଯାଇଛି, କିରଣ ବେଦୀଙ୍କୁ ବିଜେପି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିଲା ଏବଂ ପରେ ପୁଡୁଚେରୀର ରାଜ୍ୟପାଳ କରିଥିଲା। ବାବା ରାମଦେବଙ୍କୁ ୨୩ଶହ କୋଟି ଟଙ୍କା ବ୍ୟାଙ୍କ ଋଣ ଛାଡ଼ କରାଯାଇଛି। ଆନ୍ନା ହଜାରେ ସଂପୂର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଏଭଳି ମିଛ ଦୁର୍ନୀତିର ଅପପ୍ରଚାର ଯୋଗୁଁ ଭାରତ ବର୍ଷରେ ଟେଲିକମ୍ ସେକ୍ଟରରେ ପର୍ଯ୍ୟାପ୍ତ କ୍ଷତି ଘଟିଲା, ବହୁ ଘରୋଇ ଟେଲିକମ୍ ଅପରେଟର ଭାରତ ଛାଡ଼ି ପଳାଇଲେ, ଦେଶର ଦୃଢ ଅର୍ଥନୈତିକ ଅଭିବୃଦ୍ଧି ବାଧାପ୍ରାପ୍ତ ହେଲା। ଏପରିକି ଏହି ମନଗଢ଼ା କାହାଣୀ ଓ ମିଛ ସିଏଜି ରିପୋର୍ଟ ଯୋଗୁଁ ଦେଶର ସମସ୍ତ ଶୀର୍ଷ ଅନୁଷ୍ଠାନ, ସରକାର, ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସିଏଜି ଉପରେ ଯେଉଁ ବିଶ୍ବାସ ଥିଲା ସେ ବିଶ୍ବାସ ଭାରତବାସୀ ହରାଇଲେ। ପୂର୍ବତନ ସିଏଜି ବିନୋଦ ରାୟ ଜଣେ ଦେଶଦ୍ରୋହୀ ବୋଲି ପ୍ରମାଣିତ ହୋଇଥିବା ଶ୍ରୀ ପ୍ରକାଶ କହିଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ବିନୋଦ ରାୟ ଦେଶ ବିରୁଦ୍ଧରେ ଏବଂ ଦେଶକୁ କ୍ଷତି ପହଞ୍ଚାଇବା ପାଇଁ ନିଜେ ଯେଉଁ ମିଛ ନାଟକ ରଚନା କରିଥିଲେ ସେଥିପାଇଁ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମକଦ୍ଦମା ଚଲାଯିବ କି ନାହିଁ? ବର୍ତ୍ତମାନର ସରକାର ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମକଦ୍ଦମା କରିବେ କି ବୋଲି ଶ୍ରୀ ପଟ୍ଟନାୟକ ପଚାରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲାକୁମାର, ଏଆଇସିସି ସମ୍ପାଦକ ଜି ରୁଦ୍ର ରାଜୁ, ବିଧାୟକ ତାରା ପ୍ରସାଦ ବାହିନୀପତି, କଂଗ୍ରେସର ଗଣମାଧ୍ୟମ ବିଭାଗ ମୁଖ୍ୟ ଗଣେଶ୍ବର ବେହେରା, ପିସିସି ମୁଖପାତ୍ର ରଜନୀ ମହାନ୍ତି, ପଦ୍ମାକର ଗୁରୁ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe