ବିଜେପିର ରାଜ୍ୟସ୍ତରୀୟ ସାଂଗଠନିକ ବୈଠକ : ବୁଥ ସ୍ତରରେ ସଂଗଠନ ମଜବୁତ କର: ବିଜେପି ପ୍ରଭାରୀ

ବିଜେପିର ରାଜ୍ୟସ୍ତରୀୟ ସାଂଗଠନିକ ବୈଠକ : ବୁଥ ସ୍ତରରେ ସଂଗଠନ ମଜବୁତ କର: ବିଜେପି ପ୍ରଭାରୀ

Asianet Newsable

ଭୁବନେଶ୍ବର : ଆଗାମୀ ଦିନରେ ବୁଥ ସ୍ତରରେ ବିଜେପି ସଂଗଠନକୁ ମଜବୁତ କର। ପ୍ରତ୍ୟେକ ବୁଥରେ ୨୫ ଜଣିଆ ବୁଥ କମିଟି ଗଠନ ହେବ। ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସି ବିଜେପି ପ୍ରଭାରୀ ଡି.ପୁରେନ୍ଦେଶ୍ବରୀ ଆଜି ତୃତୀୟ ଦିନରେ ଦଳର ରାଜ୍ୟସ୍ତରୀୟ ସାଂଗଠନିକ ବୈଠକରେ ୩୬ଟି ସାଂଗଠନିକ ଜିଲ୍ଲା ସଭାପତି, ପ୍ରଭାରୀ, ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ଏପରି ଗୁରୁ ମନ୍ତ୍ର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଲୋକଙ୍କ ସୁଖ ଦୁଃଖରେ ଭାଗିଦାର ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଖାଲି ସେତିକି ନୁହେଁ, ରାଜ୍ୟରେ ବିଜେପି ଯେପରି ସରକାର ଗଠନ କରିବ, ସେ ଦିଗରେ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଛନ୍ତି।

ଶୁକ୍ରବାର ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀମତୀ ପୁରନ୍ଦେଶ୍ବରୀ ପର୍ଯ୍ୟାୟକ୍ରମେ ୩୬ଟି ସାଂଗଠନିକ ଜିଲ୍ଲା ପ୍ରତିନିଧିମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ରାଜ୍ୟରେ ମହିଳା, ଯୁବକ, ଚାଷୀ, ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା କର୍ମକର୍ତ୍ତାମାନେ ତୃଣମୂଳ ସ୍ତରରେ ବିଭିନ୍ନ ବର୍ଗର ଲୋକଙ୍କୁ ଦଳରେ ସାମିଲ କରାଇ ଏକ ନୂଆ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରତିଶ୍ରୁତି ଦେଇଥିଲେ। ଆସନ୍ତାକାଲି ସକାଳେ ଶ୍ରୀମତୀ ପୁରନ୍ଦେଶ୍ବରୀ ପୁରୀ ଗସ୍ତ କରିବେ। ପୁରୀରୁ ଫେରି ରାଜ୍ୟ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ବୋଲି ବିଜେପି ପକ୍ଷରୁ ପ୍ରେସ୍‌ ବିବୃତି ଜରିଆରେ ଜଣାଇଦିଆଯାଇଛି। ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର, ଉପସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ସମେତ ବିଜେପି ସାଂସଦ, ସାଂସଦ ପ୍ରାର୍ଥୀ, ବିଧାୟକ,ବିଧାୟକ ପ୍ରାର୍ଥୀ ଓ ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe