ପୂର୍ବତନ ପୁଲିସ ଡିଜି ବି.କେ ଶର୍ମାଙ୍କ ବିରୋଧରେ ତଦନ୍ତକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଲା : ସଞ୍ଜୀବ ମାରିକଙ୍କ ଉପରେ ଲୋକପାଳ ରିପୋର୍ଟ ଗଲା କୁଆଡ଼େ?

Advertisment
ପୂର୍ବତନ ପୁଲିସ ଡିଜି ବି.କେ ଶର୍ମାଙ୍କ ବିରୋଧରେ ତଦନ୍ତକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଲା : ସଞ୍ଜୀବ ମାରିକଙ୍କ ଉପରେ ଲୋକପାଳ ରିପୋର୍ଟ ଗଲା କୁଆଡ଼େ?

Dailyhunt

ଭୁବନେଶ୍ବର : ପୂର୍ବତନ ପୁଲିସ ଡିଜି ବିଜୟ କୁମାର ଶର୍ମାଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ତଦନ୍ତ ନିର୍ଦ୍ଦେଶ ଲୋକଦେଖାଣିଆ। ସ୍ମିତାରାଣୀ ବିଶ୍ବାଳ ହତ୍ୟାକାଣ୍ଡ, କାଳିଆ ଟଙ୍କା ହେରଫେର, ଧାନକିଣାରେ ବିଫଳତା ଆଦି ପ୍ରସଙ୍ଗରେ ନଜର ହଟାଇବା ପାଇଁ ସରକାର ଏପରି ଚାଲ୍ କରିଛନ୍ତି। ଗତକାଲି ଦୁର୍ନୀତି ଅଭିଯୋଗରେ ପୁଲିସ ମହାନିର୍ଦ୍ଦେଶକ ପଦରୁ ଶ୍ରୀ ଶର୍ମାଙ୍କୁ ହଟାଯିବା ପରେ ଆଜି କଂଗ୍ରେସ ଦଳ ପକ୍ଷରୁ ପିସିସି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ କରାଯାଇଛି। ଅତୀତରେ ପୂର୍ବତନ ପୁଲିସ ଡିଜି ସଂଜୀବ ମାରିକଙ୍କ ବିରୋଧରେ ତତ୍କାଳୀନ ଲୋକପାଳ ଜଷ୍ଟିସ୍ ଶରତ ଚନ୍ଦ୍ର ମହାପାତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିବା ରିପୋର୍ଟକୁ କାହିଁକି ଏ ଯାଏ ସରକାର ପ୍ରକାଶ କରିନାହାନ୍ତି ବୋଲି ଦଳ ପ୍ରଶ୍ନ କରିଛି।

ଦଳୀୟ ନେତା ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଥିଲେ, ୨୦୦୭ରେ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ସଂଜୀବ ମାରିକ ଗୁରୁତର ତ୍ରୁଟି କରିଥିବା ଦର୍ଶାଇ ରାଜ୍ୟ ସରାକର ତାଙ୍କୁ ନିଲମ୍ବନ କଲେ। ଶ୍ରୀ ମାରିକଙ୍କ ବିରୋଧରେ ଲୋକପାଳ ତଦନ୍ତ ପାଇଁ ସୁପାରିସ କରାଗଲା। ୨୦୦୮ ମାର୍ଚ୍ଚ ୨୭ ତାରିଖରେ ତତ୍କାଳୀନ ଲୋକପାଳ ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ର ମାନ୍ୟବର ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ସେହିବର୍ଷ ଏପ୍ରିଲ ୫ ତାରିଖରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଲୋକପାଳ ରିପୋର୍ଟର ମୂଳ କପି ତତ୍କାଳୀନ ମୁଖ୍ୟ ଶାସନ ସଚିବ ଏବଂ ଆଉ ଗୋଟିଏ କପି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ପ୍ରଦାନ କରିସାରିଛନ୍ତି। ଏ ନେଇ ଗତ ସେପ୍ଟମ୍ବର ୧୮ ତାରିଖ ଦିନ ମଧ୍ୟ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସରକାରଙ୍କୁ ଚିଠି ନମ୍ବର ୧୧୫୮୨ ଜରିଆରେ ସ୍ପଷ୍ଟ ଜଣାଇଛି। ତଥାପି ଏ ରିପୋର୍ଟକୁ ଆଜି ଯାଏ ସରକାର ସର୍ବସାଧାରଣରେ ପ୍ରକାଶ କରିନାହାନ୍ତି। ଅର୍ଥାତ୍ ୧୧ ବର୍ଷ ହେଲାଣି ଏ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଡ଼ିରହିଛି। ସେପଟେ ରିପୋର୍ଟ ଉପରେ କିଛି କାର୍ଯ୍ୟାନୁଷ୍ଠାନ ନ ନେଇ ୨୦୧୫ରେ ଶ୍ରୀ ମାରିକଙ୍କୁ ସରକାର ପଦୋନ୍ନତି ଦେଇ ପୁଲିସ ମହାନିର୍ଦ୍ଦେଶକ ପଦରେ ନିଯୁକ୍ତି ଦେଲେ।

ଗୋଟିଏ ପଟେ ସରକାର ଅଭିଯୁକ୍ତ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ବଞ୍ଚାଇବା ପାଇଁ ତଦନ୍ତ ରିପୋର୍ଟ ପ୍ରକାଶ କରୁନାହନ୍ତି, ଅନ୍ୟପଟେ ଆଉ ଜଣେ ପୁଲିସ ପ୍ରଶାସକଙ୍କ ବିରୋଧରେ ତଦନ୍ତ କମିଟି ଗଠନ କରି ବାହାବା ନେବାକୁ ଉଦ୍ୟମ କରିଛନ୍ତି। ନିଜର ମନ୍ଦ ଅଭିପ୍ରାୟ ପଦାରେ ପଡ଼ିଯିବ, ସେଥିରୁ ଦୃଷ୍ଟି ହଟାଇବା ପାଇଁ ବିଭିନ୍ନ ଅଭିଯୋଗ ଦେଖାଇ ତଦନ୍ତ ନିର୍ଦ୍ଦେଶ ଦେବା ରାଜ୍ୟ ସରକାରଙ୍କ ଏକ ପ୍ରକାର ଧାରାବାହିକ କାର୍ଯ୍ୟ ହୋଇଗଲାଣି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି, ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe