ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଘଳିଆ: ୫ ଜାଗାରେ ଅଣ୍ଡା ମାଡ଼, କଳାପତାକା ପ୍ରଦର୍ଶନ

Advertisment

ଅଣ୍ଡାମାଡ଼ ଘଟଣାରେ ୩ ଗିରଫ, ପୁଲିସ୍‌ ମାଡ଼ ଅଭିଯୋଗରେ ବିଜେପିର ଧାରଣା

ଅଣ୍ଡାମାଡ଼ ଘଟଣାରେ ୩ ଗିରଫ, ପୁଲିସ୍‌ ମାଡ଼ ଅଭିଯୋଗରେ ବିଜେପିର ଧାରଣା

ଫୋନ୍‌-ଇନ୍‌-ପ୍ଲିଜ୍‌: ଅଣ୍ଡାମାଡ଼ ହୀନ ମାନସିକତା

ପୁରୀ : ବୁଧବାର ଶ୍ରୀମନ୍ଦିର ଐତିହ୍ୟ କରିଡ଼ର୍‌ ଶିଳାନ୍ୟାସ କାର୍ଯ୍ୟରେ ଯୋଗଦେବାକୁ ଆସିଥିବା ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାପାଇଁ ପୁରୀ ପୁଲିସ ଦିନରାତି ଏକ କରି ଦେଇଥିଲା। ମାତ୍ର ପୁଲିସର ସୁରକ୍ଷାର ବହୁ ସ୍ଥାନରେ ଆଜି ଘଳିଆ ଦେଖାଯାଇଥିଲା। ଗୋଟିଏ ଦୁଇଟି ନୁହେଁ, ଏକାବେଳକେ ପାଞ୍ଚଟି ସ୍ଥାନରେ ପୁଲିସର ସୁରକ୍ଷା ବଳୟରେ ଛିଦ୍ର ଦେଖାଯାଇଥିଲା। ଫଳ ସ୍ବରୂପ ଆଜି କଂଗ୍ରେସ ଓ ବିଜେପି ପକ୍ଷରୁ ଅଣ୍ଡା ମାଡ଼, କଳା ପତାକା ପ୍ରଦର୍ଶନ କରାଯିବା ସହ ଗୋବର ପାଣି ପକାଯାଇଥିଲା। ତେଣୁ ଏହା ପୁରୀ ପୁଲିସ ଏବଂ ଗୁଇନ୍ଦା ବିଭାଗର ସମ୍ପୁର୍ଣ୍ଣ ବିଫଳ ବୋଲି ଚର୍ଚ୍ଚା ଚାଲିଛି।

publive-image

ବୁଧବାର ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ପୁରୀକୁ ଆସୁଥିଲେ। ସେ ମାଳତୀପାଟପୁର ବସ୍‌‌ଷ୍ଟାଣ୍ଡ ପାଖରେ ପହଞ୍ଚିବାବେଳକୁ ତାଙ୍କ ଗାଡ଼ିକୁ ବିଜେପି ପକ୍ଷରୁ କେତେକ କର୍ମୀ ଅଣ୍ଡା ମାଡ଼ କରିଥିଲେ। ଚନ୍ଦନପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଜେପିର ଏହି କର୍ମୀମାନଙ୍କୁ ଗିରଫ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ପୁଲିସ ରିଜର୍ଭ ପଡ଼ିଆରେ ପହଞ୍ଚିବା ପରେ ତାଙ୍କୁ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ଆଡ଼କୁ ପାଛୋଟି ନେଉଥିଲେ। ମାତ୍ର ବଳଗଣ୍ଡି ଛକ ନିକଟରେ ବିଜେପିର କେତେକ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ ସହିତ ଗୋବରପାଣି ପକାଇଥିଲେ। ଏହାର କିଛି ବାଟ ପରେ ମାଜଣା ଯାଗା ସମ୍ମୁଖରେ କଂଗ୍ରେସ ଦଳ ପକ୍ଷରୁ ମଧ୍ୟ କଳା ପତାକା ପ୍ରଦର୍ଶନ କରାଯାଇଥିଲା। ସେହିପରି ମାଉସୀ ମା’ ମନ୍ଦିର ପାଖରେ ମଧ୍ୟ କଳା ପତାକା ପ୍ରଦର୍ଶନ କରାଯାଇଥିଲା। କେବଳ ଏତିକି ନୁହେଁ, ଏପରିକି ମୁଖ୍ୟ ମନ୍ତ୍ରୀ ଫେରିବା ସମୟରେ ତାଙ୍କ ଗାଡ଼ିକୁ ଡାକ୍ତରଖାନା ଛକରେ ବିଜେପି ପକ୍ଷରୁ ଅଣ୍ଡା ମାଡ଼ ହୋଇଥିଲା। ଏହି ଅଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସହିତ ତାଙ୍କ କାର୍‌କେଡ୍‌ରେ ଥିବା ଗାଡ଼ିଗୁଡ଼ିକରେ ମଧ୍ୟ ବାଜିଥିଲା। ଯାହାକି ଆଜିର ପୁଲିସର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ, ଅଣ୍ଡାମାଡ଼ ଘଟଣାରେ ପୁଲିସ ତିନିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ତିନିଜଣ ହେଲେ ବିଜେପି ଯୁ‌ବମୋର୍ଚ୍ଚା ଜିଲ୍ଲା ସଭାପତି ସିଦ୍ଧମହାବୀରର ଜୟନ୍ତ କୁମାର ଦାସ, ଟାଉନ ଥାନା ଧାନକୁଟି ସାହିର ପ୍ରତାପ ପରିଡ଼ା ଓ ସତ୍ୟବାଦୀ ଥାନା ଦାସ ବିଦ୍ୟାଧରପୁର ଭୀମପୁରର ବିଭୂତି ଭୂଷଣ ରଥ। ଏହାକୁ କେନ୍ଦ୍ରକରି ଆଜି ଅପରାହ୍ଣରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ତିନିଜଣଙ୍କୁ ଥାର୍ଡଡିଗ୍ରି କରାଯାଇଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ବିଜେପି ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ଓମପ୍ରକାଶ ମିଶ୍ରଙ୍କ ସହ ଅନ୍ୟ ରାଜ୍ୟ ଓ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ କୁମ୍ଭାରପଡ଼ା ଥାନା ସମ୍ମୁଖରେ ଗଣଧାରଣା ଦେଇଥିଲେ। ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିବା ସହ ସମୟ ମାଗିବା ପରେ ଆନ୍ଦୋଳନ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe