ଦିବ୍ୟଶଙ୍କର ପୁଣି ହଟହଟା; ଯୁବ କଂଗ୍ରେସ, ବିଜେପି ଯୁବମୋର୍ଚ୍ଚାର କଳାପତାକା ପ୍ରଦର୍ଶନ

Advertisment
ଦିବ୍ୟଶଙ୍କର ପୁଣି ହଟହଟା; ଯୁବ କଂଗ୍ରେସ, ବିଜେପି ଯୁବମୋର୍ଚ୍ଚାର କଳାପତାକା ପ୍ରଦର୍ଶନ

ଭବାନୀପାଟଣା : ମମିତା ମେହେର ହତ୍ୟା ଘଟଣାରେ ଉଭୟ କଂଗ୍ରେସ ଓ ବିଜେପି ଆକ୍ରମଣାତ୍ମକ ମୋଡ଼ରେ ରହିଛନ୍ତି। ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଉଭୟ ଦଳ ବିରୋଧ କରିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଶାସକ ଦଳକୁ ନାକେଦମ କରିସାରିଲାଣି। ମନ୍ତ୍ରୀ ଯୁଆଡ଼େ ଯାଉଛନ୍ତି ସେଠାରେ ତୀବ୍ର ବିରୋଧର ସମ୍ମୁଖୀନ ହେଉଛନ୍ତି। ଶନିବାର ସକାଳେ ଯୁବ କଂଗ୍ରେସ ପକ୍ଷରୁ ତାଙ୍କୁ ଜୁନାଗଡ଼ଠାରେ କଳାପତାକା ପ୍ରଦର୍ଶନ କରାଯାଇଥିବା ବେଳେ ସନ୍ଧ୍ୟାରେ ମନ୍ତ୍ରୀ ଦିବ୍ୟ ଶଙ୍କର ଓ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କଳାପତାକା ପ୍ରଦର୍ଶନ ସହିତ ‘ଗୋ ବ୍ୟାକ୍‌’ ସ୍ଲୋଗାନ ଦେଇଥିଲା। ଏହି ସମୟରେ ପୁଲିସ ସହିତ ଧସ୍ତାଧସ୍ତି ମଧ୍ୟ ହୋଇଥିଲା।

ଶନିବାର ଭକ୍ତ ଦାସଙ୍କ ନେତୃତ୍ବରେ ଏକ ବାଇକ ରାଲି ଭବାନୀପାଟଣାରୁ ଜୁନାଗଡ଼ ଯାଉଥିଲା। ଜୁନାଗଡ଼ ସହରସ୍ଥିତ କଲେଜ ନିକଟ ଚେକ୍‌ଗେଟଠାରେ ଭକ୍ତଙ୍କୁ ଯୁବ କଂଗ୍ରେସ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହି ସମୟରେ ଭବାନୀପାଟଣାରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଜୁନାଗଡ଼ ଆସୁଥିଲେ। ଯୁବ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କୁ ଦେଖି କଳା ପତାକା ପ୍ରଦର୍ଶନ କରିବା ସହିତ ଗୋଡ଼ାଇଥିଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ମନ୍ତ୍ରୀଙ୍କ ଗାଡ଼ି ବଜାର ପଡ଼ିଆ ଦେଇ ଛତ୍ରଭଙ୍ଗ ଦେଇଥିଲା। ଏହି ସମୟରେ ପୁଲିସ ଟିମ୍‌ ଅଡ଼ୁଆରେ ପଡ଼ି ଯାଇଥିଲା। ସେହିଭଳି ସନ୍ଧ୍ୟାରେ ଜୁନାଗଡ଼ରୁ ଭବାନୀପାଟଣା ଆସୁଥିଲା ବେଳେ ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କୁ ଭବାନୀପାଟଣା ସହରସ୍ଥିତ ନକଟିଗୁଡ଼ା ଛକଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିବା ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ କଳାପତାକା ଦେଖାଇ ‘ଗୋବ୍ୟାକ୍‌ ଗୋ‌ବ୍ୟାକ୍‌’ ସ୍ଲୋ‌ଗାନ ଦେଇଥିଲେ।

ସେଠାରେ ଉପସ୍ଥିତ ପୁଲିସ ଓ ଯୁବମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ ଯୁବମୋର୍ଚ୍ଚା କର୍ମୀଙ୍କୁ ଭବାନୀପାଟଣା ଟାଉନ ଥାନାକୁ ନେଇ ଅଟକ ରଖିଥିଲା। ମନ୍ତ୍ରୀଙ୍କୁ ଆଗରୁ ଅଣ୍ଡାମାଡ଼ ପରେ ବର୍ତ୍ତମାନ ମନ୍ତ୍ରୀଙ୍କୁ ଉଭୟ କଂଗ୍ରେସ ଓ ବିଜେପି କଳାପତାକା ପ୍ରଦର୍ଶନ ଜାରି ରଖିଛନ୍ତି। ଏହି ବିରୋଧ ଯୋଗୁ ୮ ତାରିଖରେ ହେବାକୁଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ନେଇ ଉଭୟ ପ୍ରଶାସନ ଓ ପୁଲିସ ଅଡ଼ୁଆରେ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe