କେନ୍ଦ୍ର ଗୃହ ରାଷ୍ଟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

ଦଳିତ ମହିଳାଙ୍କ ପାଦ ଧୋଇ ଦେଲେ ମନ୍ତ୍ରୀ; ଘରେ ମଧ୍ୟାହ୍ନ ଭୋଜନ କଲେ

କେନ୍ଦ୍ର ଗୃହ ରାଷ୍ଟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

କଟକ/ଡମପଡ଼ା : ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଶୁକ୍ରବାର ଦିନ କଟକ ଓ ବାଙ୍କୀ ଅଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେ‌ବେଳେ ଯୁବ କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯିବା ସହିତ କଳାପତାକା ପ୍ରଦର୍ଶନ କରାଯାଇଛି।

ରାଜ୍ୟ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀମାନେ ବାଙ୍କୀ-କଟକ ରାସ୍ତାର ପାଥପୁର ଛକ ନିକଟରେ ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ କରିଥିଲେ। ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି, ବେକାରୀ ସମସ୍ୟା, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଉଦ୍ଦେଶ୍ୟମୂଳକ ବ୍ୟବହାର ପ୍ରତିବାଦରେ ଯୁବ କଂଗ୍ରେସ କର୍ମୀ ଏଭଳି ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନକାରୀଙ୍କୁ ପୁଲିସ ଗିରଫ କରି ନେଇଥି‌ଲା।

publive-image

ଅନ୍ୟପଟେ ମନ୍ତ୍ରୀ ଶ୍ରୀ ରାୟ ଡମପଡ଼ା ବ୍ଲକ୍ ଜାତମୁଣ୍ଡିଆରେ ଲାଭାର୍ଥୀ ସମାବେଶରେ ଯୋଗ ଦେବାପରେ କୁଶପଙ୍ଗି ପଞ୍ଚାୟତ ରାଜୀବନଗର ଗ୍ରାମର ଦଳିତ ସାହିରେ ପହଞ୍ଚି ଥିଲେ। ବସ୍ତିବାସିନ୍ଦା ବାଜା ବଜାଇ ଓ ବାଣ ଫୁଟାଇ ମନ୍ତ୍ରୀ ଶ୍ରୀ ରାୟଙ୍କୁ ସ୍ବାଗତ କରିବା ସହ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପିନ୍ଧାଇ ପାଛୋଟି ନେଇଥିଲେ। ଏହିସମୟରେ କେନ୍ଦ୍ର ମନ୍ତ୍ରୀଙ୍କ ଗୋଡ଼ ଧୋଇବା ପାଇଁ ଦଳିତ ମହିଳାମାନେ ଉଦ୍ୟମ କରିଥିଲେ। କିନ୍ତୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାୟ ମହିଳାଙ୍କ ଗୋଡ଼ ଧୋଇ ନିଜ ଗାମୁଛାରେ ଗୋଡ଼ ପୋଛି ଦେଇଥିଲେ। ପରେ ଶ୍ରୀ ରାୟ ସାହିର ଅରୁଣ ଗୋଚ୍ଛାୟତଙ୍କ ଘରେ ପହଞ୍ଚି ଭାତ, ଡାଲି, ବଡ଼ିଚୁରା, ଭଜା, ଶାଗ ଭଜା ଆଦି ଭୋଜନ କରିଥିଲେ। ବରିଷ୍ଠ ବିଜେପି ନେତାମାନେ ମଧ୍ୟ ମନ୍ତ୍ରୀଙ୍କ ସହ ମଧ୍ୟାହ୍ନଭୋଜନରେ ସାମିଲ ହୋଇଥିଲେ। ଦଳିତସାହି ବାସିନ୍ଦା ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନାରୁ ସେମାନେ ବଞ୍ଚିତ ହେଉଥିବା ନେଇ ଅଭିଯୋଗପତ୍ର ପ୍ରଦାନ କରିଥିଲେ।

ମନ୍ତ୍ରୀ ଶ୍ରୀ ରାୟ ଶୁକ୍ରବାର ଦିନ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତାରେ ସନ୍ତୋଷ ପ୍ରକାଶ କରିବା ସହ ଏହାକୁ ସଫଳତାର ସହ ଆଗେଇ ନେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅମ୍ବର କୁମାର କର ବିଭିନ୍ନ ଯୋଜନାର ଅଗ୍ରଗତି ଓ କାର୍ଯ୍ୟକାରିତା ସମ୍ବନ୍ଧରେ ତଥ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲାର, ଜିଲ୍ଲା କଲ୍ୟାଣ ଅଧିକାରୀ ମଧୁସ୍ମିତା ମହାପାତ୍ର, ମିସନ ଶକ୍ତି ସଂଯୋଜିକା ସ୍ବାଗତିକା ପରିଡ଼ା , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe