ଭିମସାର୍‌ରେ ହେଲାଣି ୭ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ଅସ୍ତ୍ରୋପଚାର, ଆସିଲାଣି ୧୨୦ ଭାଏଲ୍‌ ଇଂଜେକ୍‌ସନ୍

ଜବଲପୁରରୁ ଆସିବ ହଜାରେ ଡୋଜ୍ ବିକଳ୍ପ ଇଂଜେକ୍‌ସନ

ଭିମସାର୍‌ରେ ହେଲାଣି ୭ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ଅସ୍ତ୍ରୋପଚାର, ଆସିଲାଣି ୧୨୦ ଭାଏଲ୍‌ ଇଂଜେକ୍‌ସନ୍

ସମ୍ବଲପୁର: ବ୍ଲାକ୍‌ଫଙ୍ଗସ୍‌ (ମ୍ୟୁକର୍‌ମାଇକୋସିସ୍‌) ରୋଗୀଙ୍କ ପାଇଁ ଔଷଧ ସମସ୍ୟାର ଧୀରେଧୀରେ ସମାଧାନ ହେଉଥିବା ବେଳେ ଭିମସାର୍‌ରେ ଚିକିତ୍ସିତ ଏହି ରୋଗୀଙ୍କର ଅସ୍ତ୍ରୋପଚାର ଜରିଆରେ ମଧ୍ୟ ଉପଚାର କରାଯାଉଛି। ଇଏନ୍‌ଟି ବିଭାଗର ମୁଖ୍ୟ ପ୍ର. ଶୋଭାଗିନୀ ଆଚାର୍ଯ୍ୟଙ୍କ ନେତୃତ୍ବରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବ୍ଲାକ୍‌ଫଙ୍ଗସ୍‌ ଆକ୍ରାନ୍ତଙ୍କର ସଫଳ ଅସ୍ତ୍ରୋପଚାର ହୋଇ ସାରିଲାଣି। ଭିମ୍‌ସାର୍‌ରେ ଉଭୟ ଅସ୍ତ୍ରୋପଚାର ଓ ଔଷଧ ଜନିତ ଚିକିତ୍ସା ଚାଲିଛି। ଏହାଦ୍ବାରା ରୋଗୀମାନେ ଉପକୃତ ‌ବି ହେଉଥିବା ଜଣା ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭିମସାର୍‌ରେ ୧୧ ଜଣ ବ୍ଲାକ୍‌ଫଙ୍ଗସ୍‌ ରୋଗୀ ଚିକିତ୍ସିତ ହେଉଛନ୍ତି। ୨ ଜଣଙ୍କର ରିପୋର୍ଟକୁ ଅପେକ୍ଷା ରହିଛି। ଏହି ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ଔଷଧ ନିଗମ ପକ୍ଷରୁ ୩ଟି ପର୍ଯ୍ୟାୟରେ ମୋଟ ୧୨୦ ଭାଏଲ୍‌ ଆମ୍ଫୋଟେରିସିନ୍-ବି ଇଂଜେକ୍‌ସନ୍ ଆସି ପହଞ୍ଚିଛି। ପ୍ରଥମେ ୩୦ ଓ ପରେ ୪୦ ଭାଏଲ୍‌ ଆସିଥିଲାବେଳେ ମଙ୍ଗଳବାର ରାତିରେ ଆଉ ୫୦ ଭାଏଲ୍ ଇଂଜେକ୍‌ସନ୍ ଆସିଥିବା ଜଣା ପଡ଼ିଛି। ତେବେ ଏହି ଇଂଜେକ୍‌ସନ ଗୁଡ଼ିକ ବ୍ୟୟବହୁଳ ହୋଇଥିବାରୁ ଏହାର ଅନ୍ୟ ଏକ ପ୍ରକାରକୁ ଭିମସାର୍‌ କର୍ତ୍ତୃପକ୍ଷ ସିଧାସଳଖ ଜବଲପୁରରୁ ମଗାଇଛନ୍ତି।

ବର୍ତ୍ତମାନ ବ୍ୟବହାର ହେଉଥିବା ଇଂଜେକ୍‌ସନ ଗୁଡ଼ିକର ଦାମ୍ ଭାଏଲ୍ ପିଛା ୪ ହଜାର ଟଙ୍କା ହୋଇଥିବାବେଳେ ଦିନକୁ ଜଣେ ରୋଗୀଙ୍କୁ ଅତି କମ୍‌ରେ ୪ଟି ଆବଶ୍ୟକ ହେଉଛି। ତେଣୁ ଜବଲପୁରର ସଂପୃକ୍ତ କମ୍ପାନିଠାରୁ ୧ ହଜାର ଡୋଜ୍ ଇଂଜେକ୍‌ସନ ମଗା ଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ସରକାର ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସାକୁ ଗୁରୁତ୍ବର ସହ ନେଉଥିଲାବେଳେ ଭିମ୍‌ସାର୍‌ରେ ବି ଏଥି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ବୁର୍ଲା ବଡ଼ ଡାକ୍ତରଖାନାର ଇଏନ୍‌ଟି, ଚକ୍ଷୁ ଓ ମେଡିସିନ୍ ବିଭାଗରେ ବ୍ଲାକ୍‌ଫଙ୍ଗସ୍‌ ପାଇଁ ୧୦ଟି ଲେଖାଏଁ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ୱାର୍ଡ ଖୋଲା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe