ଓଡ଼ିଶାରେ କଳା କୁକୁଡ଼ା ‘କଡକନାଥ’ : ବାର୍ଷିକ ଦେଉଛନ୍ତି ୧୩୦ ଅଣ୍ଡା, ୩୩ଟି କୃଷି ବିଜ୍ଞାନ କେନ୍ଦ୍ରରେ ଚାଷ ଆରମ୍ଭ

Advertisment
ଓଡ଼ିଶାରେ କଳା କୁକୁଡ଼ା ‘କଡକନାଥ’ : ବାର୍ଷିକ ଦେଉଛନ୍ତି ୧୩୦ ଅଣ୍ଡା, ୩୩ଟି କୃଷି ବିଜ୍ଞାନ କେନ୍ଦ୍ରରେ ଚାଷ ଆରମ୍ଭ

ଭୁବନେଶ୍ୱର : ଓଡ଼ିଶା ଚାଷୀଙ୍କ ନିକଟରେ କଳା କୁକୁଡ଼ା ‘କଡ଼କନାଥ’। ମଧ୍ୟ ଭାରତରେ ଚାଷ ହେଉଥିବା ଏହି ଦେଶୀ ପ୍ରଜାତିର କୁକୁଡ଼ାକୁ ଓଡ଼ିଶା ଜଳବାୟୁରେ ଚାଷ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ପ୍ରାରମ୍ଭିକ ଗବେଷଣା ପରେ ଜଣାପଡ଼ିଛି ଯେ ଏହି ପ୍ରଜାତିର କୁକୁଡ଼ା ଓଡ଼ିଶାର ଜଳବାୟୁ ସହ ଭଲ ଭାବେ ତିଷ୍ଠି ରହି ପାରୁଛନ୍ତି। ବାର୍ଷିକ ହାରାହାରି ୧୩୦ଟି ପର୍ଯ୍ୟନ୍ତ ଅଣ୍ଡା ଦେଉଥିବା ବେଳେ ମାଂସ ଉତ୍ପାଦନ ବି ଅଧିକ ରହୁଛି। ସ୍ୱାସ୍ଥ୍ୟ ପାଇଁ ଏହା ବେଶ୍‌ ଉପଯୋଗୀ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ରେ ‘କଡ଼କନାଥ’ ପ୍ରଜାତିର କୁକୁଡ଼ା ଚାଷୀଙ୍କ ପାଖରେ ବେଶ ଆଦୃତ ହୋଇଛି। ତାହାକୁ ଦୃଷ୍ଟିରେ ରଖି ଗତ କିଛି ମାସ ହେଲା ଓଡ଼ିଶାର ଘରୋଇ ସଂସ୍ଥା ଓ ଚାଷୀମାନେ ଏହାକୁ ଚାଷ କରିବା ଆରମ୍ଭ କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ୩୩ଟି କୃଷି ବିଜ୍ଞାନ କେନ୍ଦ୍ର(କେଭିକେ) ଅଧୀନରେ ଏହି ପ୍ରଜାତିର କୁକୁଡ଼ା ଚାଷ କରାଯାଉଛି। ପ୍ରତି କେଭିକେରେ ୧୦ରୁ ୨୦ ଜଣ ଲେଖାଏଁ ଚାଷୀଙ୍କୁ କୁକୁଡ଼ା ଚିଆଁ ଯୋଗାଇ ଦିଆଯାଉଛି।

କଡ଼କନାଥ ପ୍ରଜାତି କୁକୁଡ଼ାର ଗୋଡ଼ଠାରୁ ମୁଣ୍ଡ ସମ୍ପୂର୍ଣ୍ଣ କଳା। ରକ୍ତ, ମାଂସ, ଅଣ୍ଡା ବି କଳା ରଙ୍ଗର। ଅଣ୍ଡା ଗୋଟିଏର ମୂଲ୍ୟ ଓଡ଼ିଶା ବଜାରରେ ୫୦ ଟଙ୍କା ଲେଖାଏଁ ରହୁଛି। କୁକୁଡ଼ା ମାଂସ କିଲୋ ପିଛା ମୂଲ୍ୟ ୬୦୦ରୁ ଏକ ହଜାର ଟଙ୍କା ମଧ୍ୟରେ ରହୁଛି। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବେଶ୍‌ ଉପଯୋଗୀ। ମେଲାଲିନ୍‌ ପରିମାଣ ଅଧିକ ରହୁଛି। ବନରାଜ ଓ ଅନ୍ୟ କୁକୁଡ଼ା ତୁଳନାରେ ଏହାର କୋଲେଷ୍ଟରଲ୍‌ ସ୍ତର କମ୍‌ ରହୁଛି। ଓଡ଼ିଶା ଜଳବାୟୁ ସହ ଖାପ ଖୁଆଇ ରହି ପାରୁଥିବା ଏହି କୁକୁଡ଼ାର ମୃତ୍ୟୁହାର ବଏଲର ଓ ଦେଶୀ କିସମ କୁକୁଡ଼ା ତୁଳନାରେ କମ୍‌ ରହୁଛି। ଏହି କୁକୁଡ଼ାରୁ ଉଭୟ ମାଂସ ଓ ଅଣ୍ଡା ଉତ୍ପାଦନ କରିହେବ। ଏହି ପ୍ରଜାତିର କୁକୁଡ଼ା ବାର୍ଷିକ ୧୨୦ରୁ ୧୩୦ଟି ଅଣ୍ଡା ଦେଉଛନ୍ତି। ଓଡ଼ିଶାରେ ଥିବା ଦେଶୀ କୁକୁଡ଼ା ବାର୍ଷିକ ୪୦ରୁ ୫୦ଟି ଅଣ୍ଡା ଦେଇଥାନ୍ତି। ତେଣୁ ସବୁ ଦୃଷ୍ଟିରୁ ଏହାଦ୍ୱାରା ଚାଷୀ ଉପକୃତ ହୋଇପାରିବେ ବୋଲି ଆଜି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସରେ ଆଜି ଆୟୋଜିତ ଏକ ପ୍ରଦର୍ଶନୀରେ ବୈଜ୍ଞାନିକମାନେ ଏହା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe