ଅଜଣା ରୋଗ ପରେ ଗୁଣି ସନ୍ଦେହ, ୬ ବୃଦ୍ଧଙ୍କୁ ଦାନ୍ତ ଭାଙ୍ଗି ଅଖାଦ୍ୟ ଖୁଆଇଲେ

Advertisment
ନରବଳି ଉଦ୍ୟମ ପଣ୍ଡ କଲା ତାମିଲନାଡ଼ୁ ପୁଲିସ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଚିକିଲି ପଞ୍ଚାୟତ ଗୋପପୁର ଗ୍ରାମ ହରିଜନ ସାହିରେ ଅଜଣା ‌ରୋଗର ଆତଙ୍କକୁ ନେଇ ଦେଖାଦେଇଥିବା ଅସନ୍ତୋଷ ଆଜି ଉଗ୍ର ରୂପ ନେଇଛି। ଗୁଣିଗାରେଡ଼ି କରୁଥିବା ସନ୍ଦେହରେ କିଛି ଗ୍ରାମବାସୀ ଗାଁରେ ଖଟ ବୁଲାଇବା ସହ ୬ ଜଣ ବୃଦ୍ଧଙ୍କୁ ଏକ କୋଠଘରେ ବାନ୍ଧି ରଖିବା ଏବଂ ମାଡ଼ ମାରି ଅଖାଦ୍ୟ ଖୁଆଇବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ଓ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯିବା ସହ ୫୦ରୁ ଅଧିକ ଗ୍ରାମବାସୀଙ୍କୁ ଖଲ୍ଲିକୋଟ ପୁଲିସ ଗିରଫ କରିଛି। ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି।

ହରିଜନ ସାହିରେ କିଛି ଦିନ ତଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ୩ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଜ୍ବର ସହ ମୁଣ୍ଡ ବିନ୍ଧା ଓ ବାନ୍ତି ହେବାରୁ ଏହାକୁ ଗ୍ରାମବାସୀ ଗୁଣିଗାରେଡ଼ି ବୋଲି ସନ୍ଦେହ କରିଥିଲେ। ଗ୍ରାମସଭା କରି ଗୁଣିଆ ଡାକିବାକୁ ସେମାନେ ସ୍ଥିର କରିବା ସହ ଗାଁ ରାସ୍ତାରେ କାଠଗଣ୍ଡି ପକାଇ ଖଟବିଦ୍ୟା ପ୍ରୟୋଗ କରିଥିଲେ। ଆଜି ଖଟ ଗାଁରେ ବୁଲିବା ସହ ଗୁଣିଆର ନିର୍ଦ୍ଦେଶ‌‌ରେ ୬ଜଣ ବୃଦ୍ଧ ଯୋଗୀ ଦାସ, ରାମ ନାହାକ, ହରି ନାହାକ, ସନିଆ ନାହାକ, ଯୋଗେନ୍ଦ୍ର ନାହାକ ଓ ଜୁରିଆ ନାହାକଙ୍କୁ ଗ୍ରାମବାସୀ କାବୁ କରିନେଇଥିଲେ। ଆଉ ସେମାନଙ୍କୁ କୋଠଘରକୁ ଆଣି ବାନ୍ଧି ରଖିବା ସହ ପ୍ରବଳ ମାଡ଼ ମାରିଥିଲେ। ପରେ ଦାନ୍ତ ଭାଙ୍ଗି ଅଖାଦ୍ୟ ଖୁଆଇଥିଲେ। ଖବର ପାଇ ଖଲ୍ଲିକୋଟ ତହସିଲଦାର ଚିତ୍ତରଂଜନ ମହାନ୍ତ ଓ ଗଞ୍ଜାମ ଏସପି ବ୍ରିଜେଶ ରାଏଙ୍କ ନେତୃତ୍ବରେ ପୁଲିସ ଫୋର୍ସ ଗାଁରେ ପହଞ୍ଚିଥିଲେ। ହେଲେ ଗ୍ରାମବାସୀଙ୍କ ସେମାନଙ୍କୁ ପ୍ରତିହତ କରିବାକୁ ଲଙ୍କାଗୁଣ୍ଡ, ବାଲି, ଟେକା ଓ ପଥର ଫୋପାଡ଼ିଥିଲେ। ତଥାପି କଷ୍ଟେମଷ୍ଟେ ୬ଜଣ ବୃଦ୍ଧଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରାଯାଇଥିଲା। ପରେ ପୁଲିସ ଚଢ଼ଉ କରି ଗ୍ରାମର ୫୦ରୁ ଅଧିକ ପୁରୁଷ ଓ ମହିଳାଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe