ନାବାଳିକାକୁ ଶ୍ମଶାନରେ ବଳି ଉଦ୍ୟମ!

Advertisment
ନରବଳି ଉଦ୍ୟମ ପଣ୍ଡ କଲା ତାମିଲନାଡ଼ୁ ପୁଲିସ

ସାଲେପୁର/ରାଇସୁଙ୍ଗୁଡ଼ା: ତନ୍ତ୍ର ସାଧନା ପାଇଁ ଜଣେ ନାବାଳିକାକୁ ଅପହରଣ କରି ନେଇ ଯୌନ ଶୋଷଣ କରିବା ଏବଂ ବଳି ଦେବାକୁ ଉଦ୍ୟମ କରିବା ଭଳି ଏକ ଚାଞ୍ଚଲ୍ୟକର ଅଭିଯୋଗ ହୋଇଛି। ଅବଶ୍ୟ ଘଟଣାର ଦଶ ଦିନ ପରେ ଏ ସଂକ୍ରାନ୍ତରେ ସାଲେପୁର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଏହାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ସାଲେପୁର ଥାନା ମିର୍ଜାପୁର ପଂଚାୟତ ଛୋଟିପଡ଼ା ଗ୍ରାମର ୧୩ ବର୍ଷର ନାବାଳିକା ଫେବ୍ରୁଆରି ୨୨ ତାରିଖ ସନ୍ଧ୍ୟାରେ ନିକଟସ୍ଥ ପଡ଼ିଆକୁ ଶୌଚ ହେବାକୁ ଯାଇଥିବା ବେଳେ ସେହି ଗ୍ରାମର ଜଣେ ଯୁବକ ଓ ତାର ସହଯୋଗୀ ନାବାଳିକାର ମୁହଁରେ କପଡ଼ା ଦେଇ ତାକୁ ଅଚେତ୍ କରି ନିକଟରେ ଥିବା ଶ୍ମଶାନକୁ ଟେକି ନେଇଥିଲେ। ତାକୁ ଉଲଗ୍ନ କରି ବସାଇ ତନ୍ତ୍ର ସାଧନା ପାଇଁ ପୂଜାର୍ଚ୍ଚନା କରିବା ସହିତ ବଳି ଦେବା ଯୋଜନା କରିଥିଲେ। ନାବାଳିକାର ଚେତା ଫେରିବା ପରେ କୌଶଳକ୍ରମେ ସେଠାରୁ ଖସି ଆସି ଘର ଲୋକଙ୍କୁ ଏ କଥା କହିଥିଲେ। ଏ ସମ୍ପର୍କରେ ନାବାଳିକାର ବାପା ସଂପୃକ୍ତ ଯୁବକକୁ ପଚାରିବାରୁ ସେ ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲା। ସେହି ଘଟଣାର କିଛିଦିନ ପରେ ସଂପୃକ୍ତ ତାନ୍ତ୍ରିକ ଯୁବକ ଗ୍ରାମର ବିଭିନ୍ନ ସ୍ଥାନରେ ସିନ୍ଦୁର, ଫୁଲ ରଖି ପୂଜାର୍ଚ୍ଚନା କରି ତନ୍ତ୍ର କରିବା ଅଭିଯୋଗ ହୋଇଛି। ଗତକାଲି ନାବାଳିକାର ଭାଇ ସହିତ ଗ୍ରାମର ଅନ୍ୟ ଦୁଇ ଜଣ ହଠାତ୍ ଅଚେତ ହୋଇଯିବା ସହ ବିଭିନ୍ନ ପ୍ରକାର ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରିଥିଲେ। ସଂପୃକ୍ତ ତାନ୍ତ୍ରିକ ଯୁବକ ଚଣ୍ତି ସାଧନା କରୁଥିବାରୁ ତାଙ୍କ ପୁଅ ସହ ୩ ଜଣ ଏହିଭଳି ଅସ୍ବାଭାବିକ ଆଚରଣ କରୁଛନ୍ତି ବୋଲି ନାବାଳିକାର ବାପା ଥାନାରେ ଅଭିଯୋଗ କରିଛନ୍ତି।

ଗତକାଲି ରାତିରେ ଅଚେତ ହୋଇପଡ଼ିଥିବା ୩ ଜଣ ନାବାଳକଙ୍କୁ ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ଡାକ୍ତରଖାନା ପଠାଯାଇଛି। ହେଲେ ଏବେ ସମସ୍ତଙ୍କ ଅବସ୍ଥା ଠିକ୍ ଥିବା ଜଣାପଡ଼ିଛି। ପୁଲିସ୍‌ ଘଟଣାର ନିରପେକ୍ଷ ତଦନ୍ତ କଲେ ସତ୍ୟାସତ୍ୟ ସାମନାକୁ ଆସିବ ବୋଲି କୁହାଯାଉଛି। ସାଲେପୁର ଥାନା ଅଧିକାରୀ ଦେବେନ୍ଦ୍ର କୁମାର ମଲ୍ଲିକ କହିଛନ୍ତି ଯେ ଅଭିଯୋଗର ତଦନ୍ତ ଜାରି ରହିଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। କିନ୍ତୁ ଏଯାଏ କୌଣସି ମାମଲା ରୁଜୁ ହୋଇ ନଥିବା ପୁଲିସ୍‌ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe