ଡଙ୍କାରୀ ବନ୍ଦ ସୈରାତରୁ ବେଧଡ଼କ କଳାପଥର ଲୁଟ୍‌

Advertisment
ଡଙ୍କାରୀ ବନ୍ଦ ସୈରାତରୁ ବେଧଡ଼କ କଳାପଥର ଲୁଟ୍‌

ଚଢେଇଧରା: କଳାପଥର ମାଫିଆଙ୍କ ଷଡ଼ଯନ୍ତ୍ର ପାଇଁ ଡଙ୍କାରୀରେ ପ୍ରସ୍ତାବିତ ତୈଳ ଭଣ୍ଡାର ପ୍ରକଳ୍ପ ଫାଇଲ୍‌ ତଳେ ଚାପି ହୋଇଗଲା। ଆଉ ଏବେ ଡଙ୍କାରୀରେ ବନ୍ଦ କଳାପଥର ସୈରାତ୍‌ରୁ ବ୍ୟାପକ ଲୁଟ୍‌ ଚାଲିଥିବା ବେଳେ ପ୍ରଶାସନ କିଛି ନଜାଣିବା ଭଳି ଚୁପ୍‌ ବସିଛି। ମାଫିଆଙ୍କୁ ପ୍ରଶାସନର ନିରବ ସମର୍ଥନ ପଛର ରହସ୍ୟ କ’ଣ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନସ୍ଥ ଡଙ୍କାରୀ ପାହାଡ଼ର ୫ ନମ୍ବର ସୈରାତକୁ ୫ ବର୍ଷ ପାଇଁ ରଞ୍ଜନ କୁମାର ଜେନାଙ୍କୁ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ୧୫ ଏକରର ଏହି କଳାପଥର ସୈରାତର ଲିଜ୍‌ ଅବଧି  ଗତ ମାର୍ଚ୍ଚ ୨୮ ତାରିଖରେ ଶେଷ ହୋଇଯାଇଛି। ଲିଜ୍‌ ଅବଧି ଶେଷ ପୂର୍ବରୁ ଜିଲ୍ଲାପାଳଙ୍କ ନିର୍ଦେଶରେ ପ୍ରଶାସନ ପକ୍ଷରୁ ଏକ ଟିମ୍‌ ରଞ୍ଜନ କୁମାର ଜେନାଙ୍କ ଏହି ସୈରାତ୍‌ରେ ଡ୍ରୋନ୍‌ କ୍ୟାମେରା ଦ୍ୱାରା ମାପଚୁପ୍‌ କରାଯାଇଥିଲା। ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ଏକ ବେସରକାରୀ ସର୍ଭେ ସଂସ୍ଥା ଏହି କାର୍ଯ୍ୟରେ ସହଯୋଗ କରିଥିଲା। ଇତିମଧ୍ୟରେ ୪ ମାସ ବିତିଥିଲେ ମଧ୍ୟ ଡଙ୍କାରୀର ଏହି ୫ ନମ୍ବର ସୈରାତ୍‌ରୁ କେତେ ପରିମାଣର କଳାପଥର ଉତ୍ତୋଳନ ହୋଇଛି ? ଏଠାରେ ଧାର୍ଯ୍ୟ ଠାରୁ ଅଧିକ ଉତ୍ତୋଳନ ହୋଇଛି ନା ସବୁ ଠିକ୍‌ଠାକ୍‌ ଅଛି ତାହା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।

ପ୍ରଶାସନ ପକ୍ଷରୁ ସୈରାତକୁ ବନ୍ଦ କରାଗଲା ବୋଲି ନୋଟିସ୍‌ ଜାରି କରି ଚଳିତ ମାସରେ ପୁଣି ଲିଜ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ କାଗଜକଲମରେ ବନ୍ଦ ହୋଇଯାଇଥିବା ଏହି ୫ ନମ୍ବର ସୈରାତରୁ କିନ୍ତୁ ବେଧଡ଼କ୍‌ କଳାପଥର ଲୁଟ୍‌ ଚାଲିଛି। ଆଜି ଏଠାରେ ଏକାଧିକ ପୋକ୍‌ଲିନ ମେସିନ୍‌ ଓ ହାଇୱା ଦ୍ବାରା କଳାପଥର ଖନନ, ପରିବହନ ହେଉଥିବା ଦେଖିବାକୁ ମିଳିଛି। ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଶହଶହ କୋଟି ଟଙ୍କାର ରାଜସ୍ବ ହାନି ହେଉଥିବା ବେଳେ ପ୍ରଶାସନ କାହା ଚାପରେ  ନିରବ ରହିଛି ବୋଲି ପ୍ରଶ୍ନ ଉଠୁଛି। ବହୁ ଚର୍ଚ୍ଚିତ ଡଙ୍କାରୀରୁ ବେଆଇନ କଳାପଥର ଖନନ ବନ୍ଦ କରିବା ସହ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe