ଧର୍ମଶାଳା: ପୁଲିସର ପକ୍ଷପାତିତା ଓ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଧର୍ମଶାଳା ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଏନେଇ ଆଜି ଶାନ୍ତିବଜାରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେପି ନେତ୍ରୀ ସ୍ମୃତିରେଖା ପହି ଏକ ସାମ୍ବାଦିକ ସମ୍ମିଳନୀ କରି ପୁଲିସ୍ର ଦମନଲୀଳାକୁ ନିନ୍ଦା କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନରେ ଭୟଭୀତ ହୋଇ ସ୍ଥାନୀୟ ବିଧାୟକ ପୁଲିସକୁ ହାତବାରିସି କରି ସଂଗଠନକୁ ଦୁର୍ବଳ କରିବାରେ ଲାଗିପଡ଼ିଛନ୍ତି। ବିଧାୟକଙ୍କ ଇସାରାରେ ପୁଲିସ୍ ଏହାର ଛାମୁଆଁ କାର୍ଯ୍ୟକର୍ତ୍ତାଙ୍କୁ ମିଥ୍ୟା ମାମଲାରେ ଛନ୍ଦି ଗିରଫ କରୁଛି। ଗତ ମାସ ୨୬ତାରିଖରେ ଜେନାପୁର ଥାନା ମହିସରା ପଞ୍ଚାୟତ ରମ୍ପେଇ ଗ୍ରାମର କିଛି ଯୁବକ ପାହାଡ଼ ଓ ବେଆଇନ କ୍ରସରକୁ ବିରୋଧ କରି ଜଣେ କ୍ରସର ମ୍ୟାନେଜରଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ବିଜେପି କର୍ମକର୍ତ୍ତା ବିଭୂତି ଭୂଷଣ ଜେନା, ତପନ ରଞ୍ଜନ ମାହୁନ୍ତ, ଅର୍ଜୁନ ଚରଣ ନାୟକ ଓ ତପନ ପରିଡ଼ା ସଂପୃକ୍ତି ଥିବା ଦର୍ଶାଇ ଜେନାପୁର ପୁଲିସ୍ ଧର୍ମଶାଳା ପୁଲିସ୍ ସହଯୋଗରେ ସେମାନଙ୍କୁ ରାତିଅଧିଆ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଜେନାପୁର ପୁଲିସ ପ୍ରକୃତ ଦୋଷୀକୁ ଧରି ନପାରି ବିଜେପି କର୍ମକର୍ତ୍ତାଙ୍କୁ ଗିରଫ କରିବା ଘଟଣାକୁ ଶ୍ରୀମତୀ ପହି ତୀବ୍ର ସମାଲୋଚନା କରିଛନ୍ତି।
ସେ ଆହୁରି କହିଥିଲେ ଯେ ଧର୍ମଶାଳା ତହସିଲ ବିଛାଖଣ୍ତି ପାହାଡ଼ ଲିଜ୍ ପ୍ରକ୍ରିୟାକୁ ହାଇକୋର୍ଟ ବନ୍ଦ କରିଥିବା ବେଳେ ସରକାରୀ ଦଳର ନେତା ଓ କର୍ମୀଙ୍କ ପ୍ରରୋଚନାରେ ମାଫିଆମାନେ ବେଫିକର ଖନନ କାର୍ଯ୍ୟ ଜାରି ରଖିଛନ୍ତି। ଏ କ୍ଷେତ୍ରରେ ଜେନାପୁର ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହାକୁ ବିଜେପି ବିରୋଧ କରିବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ପୁଲିସ୍ ରାହାଡ଼ପୁର ଘଟଣାରେ ବିଜେପି କର୍ମକର୍ତ୍ତାଙ୍କୁ ମିଥ୍ୟା ମାମଲାରେ ଛନ୍ଦି ଅପରାଧୀଙ୍କ ଭଳି ବ୍ୟବାହାର କରିଛି। ପୁଲିସ୍ର ଦାଦାଗିରି ପ୍ରତିବାଦରେ ବିଜେପି ଏକ ବଡ଼ ଆନ୍ଦୋଳନକୁ ଓହ୍ଲାଇବା ସହିତ ଆଗାମୀ ଦିନରେ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି କର୍ମକର୍ତ୍ତା ବିଭୂତି ଭୂଷଣ ଜେନା, ତପନ ରଞ୍ଜନ ମାହୁନ୍ତ ଓ ତପନ ପରିଡ଼ା ଉପସ୍ଥିତ ଥିଲେ।
Follow Us