Image Courtesy of Latestly
କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ଇନ୍ଦିରା ଆବାସ କଲୋନି ନିକଟରେ ଥିବା ଏକ କ୍ରସର୍ ୟୁନିଟ୍ରେ ଭୟାବହ ବିସ୍ଫୋରଣ ଘଟିଛି। ସୋମବାର ସକାଳ ୧୦ଟାରେ ଘଟିଥିବା ଏହି ପ୍ରଚଣ୍ଡ ବିସ୍ଫୋରଣରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩ଜଣ ଗୁରୁତର ହୋଇଛନ୍ତି। ମୃତକ ମାନେ ହେଲେ, କୁକୁଡ଼ାଖଣ୍ଡିର ଏ.ସନ୍ତୋଷ ପାତ୍ର (୩୮) ଓ ସୁରେଶ କୁମାର ପାତ୍ର (୪୦)। ସେହିପରି ପାଦ୍ରୀପଲ୍ଲୀ ଗ୍ରାମର ଦୀପକ ପାତ୍ର (୩୦), ପି.ସାଇଗୋପାଳ (୩୩) ଓ ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ବେଲଗାଁର ସୁଶାନ୍ତ ପଣ୍ଡା (୩୮)ଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ସୂଚନା ଅନୁସାରେ, କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର କିଛି ଦୂରରେ ଇନ୍ଦିରାଆବାସ ସାହି ନିକଟରେ ଅନୁପମା ରାଉତଙ୍କ କ୍ରସର୍ ୟୁନିଟ୍ ରହିଛି। ନିକଟରେ ଶ୍ରମିକମାନଙ୍କ ରହଣି ପାଇଁ ଥିବା ଏକ ଟିଣଛପର ଘରେ ପଥର ଫୁଟାଇବାକୁ ବିପୁଳ ପରିମାଣର ବାରୁଦ, ଡିଟୋନେଟର୍ ଓ ଜିଲେଟିନ୍ ଗଚ୍ଛିତ କରି ରଖାଯାଇଥିଲା। ଏହି କୋଠରିରେ କ୍ରସର୍ରେ କାମ କରୁଥିବା ସନ୍ତୋଷ, ସୁରେଶ, ଦୀପକ, ସାଇଗୋପାଳ ଓ ସୁଶାନ୍ତ ବସିଥିଲେ। ହଠାତ୍ କୌଣସି କାରଣରୁ ଡିଟୋନେଟର୍ ଓ ଜିଲେଟିନ୍ ଷ୍ଟିକ୍ ଗୁଡ଼ିକ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘରର କାନ୍ଥ ସହ ଟିଣଛପର ଉଡ଼ି ଯାଇଥିଲା। ସନ୍ତୋଷ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଅନ୍ୟ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଣା ଯାଇଥିବା ବେଳେ ସେଠାରେ ସୁରେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ବ୍ରହ୍ମପୁର ଏସ୍.ପି.ପିନାକ ମିଶ୍ର, ସଦର ଏସ୍ଡିପିଓ ଜୟନ୍ତ କୁମାର ମହାପାତ୍ର, ଥାନାଧିକାରୀ ସନ୍ତୋଷିନୀ ଓରାମ୍ ଓ କୁକୁଡ଼ାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତଦନ୍ତ କରିଥିଲେ। ଘଟଣାସ୍ଥଳରୁ କିଛି ବିସ୍ଫୋରକ ସାମଗ୍ରୀ ଡିଟୋନେଟର୍ ଓ ଜିଲେଟିନ୍ ଷ୍ଟିକ୍ ଜବତ କରି ପରୀକ୍ଷା ପାଇଁ ପଠାଯାଇଛି। ବେଆଇନ୍ ଭାବେ ବିସ୍ଫୋରକ ସାମଗ୍ରୀ ରଖିଥିବାରୁ କ୍ରସର୍ ମାଲିକଙ୍କୁ ଗିରଫ କରାଯିବ ବୋଲି ଏସ୍.ପି.ଶ୍ରୀ ମିଶ୍ର କହିଛନ୍ତି। ତେବେ ବିସ୍ଫୋରଣ କେମିତି ଘଟିଲା, ଏ ନେଇ କିଛି ସ୍ପଷ୍ଟ ହୋଇପାରିନି।
Follow Us