ବଡ଼ବିଲ : ବଡ଼ବିଲ ପୌରାଞ୍ଚଳର ଚମ୍ପୁଆ ବସ୍ତି ନିକଟରେ ଥିବା ଗ୍ରେୱାଲ୍ ସ୍ପଞ୍ଜ ଆଇରନ୍ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। କାରଖାନାର ଗୋଟିଏ କ୍ଲିନ୍ରେ ବଡ଼ଧରଣର ବିସ୍ଫୋରଣ ଯୋଗୁ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳ ଧୂଅାଁରେ ଭରିଯାଇଥିଲା। କର୍ମଚାରୀମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। କାର୍ଯ୍ୟରତ ଶ୍ରମିକମାନେ ଆତଙ୍କିତ ହୋଇପଡ଼ିଥିଲେ। କେହି ମୃତାହତ ହୋଇନଥିବା କୁହାଯାଉଥିଲେ ହେଁ ନର୍ଦ୍ଦିଷ୍ଟ ଭାବେ ସରକାରୀ ସୂଚନା ମିଳିପାରିନାହିଁ।
ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ଭିନ୍ନମତ ପ୍ରକାଶ ପାଇଛି। ପ୍ଲାଣ୍ଟ୍ ମ୍ୟାନେଜର ଉଗ୍ରସେନ ମହାନ୍ତଙ୍କ ସୂଚନା ଅନୁସାରେ, କାରଖାନା ଗତ ୯ ତାରିଖଠାରୁ ବନ୍ଦ ରହିଛି। ସେହିପରି ପ୍ରଦୂଷଣ ବିଭାଗର ଆଞ୍ଚଳିକ ଅଧିକାରୀ ପୁଷ୍କର ବେହେରାଙ୍କୁ ପଚରାଯିବାରୁ ତାଙ୍କ ହିସାବରେ ଗତ ୫ ଦିନ ହେବ କାରଖାନା ସମ୍ପୂର୍ଣ୍ଣ ବନ୍ଦ ରହିଛି ବୋଲି କହିଛନ୍ତି।
ଗୋଟିଏ ପଟେ ପ୍ଲାଣ୍ଟ ମ୍ୟାନେଜର କହୁଛନ୍ତି ଗତକାଲି (୯ ତାରିଖ)ଠାରୁ କାରଖାନା ବନ୍ଦ ରହିଛି। ଏଣେ ପ୍ରଦୂଷଣ ଅଧିକାରୀ କହୁଛନ୍ତି, ଗତ ୫ ଦିନ ହେବ କାରଖାନା ବନ୍ଦ ଥିଲା। ଏଠାରେ ପ୍ରଶ୍ନ ଉଠୁଛି ଯଦି କାରଖାନା ଚାଲୁନଥିଲା ତେବେ ବିସ୍ଫୋରଣ ହେଲା କେମିତି? ପୁଣି ଏ ଅଧିକାରୀ ଦ୍ୱୟଙ୍କ ମଧ୍ୟରୁ କିଏ ସତ କହୁଛନ୍ତି? ତେବେ ପରବର୍ତ୍ତୀ ସମୟରେ ପ୍ରଦୂଷଣ ଅଧିକାରୀ ସୂଚନା ଦେଇଥିଲେ ଯେ ଏଭଳି ଏକ ଅଘଟଣ ଘଟିଛି। ସେ ନିଜେ ପ୍ରତ୍ୟକ୍ଷ ତଦନ୍ତ ନକରିବାଯାଏ କାରଖାନା ବନ୍ଦ ରଖିବାକୁ ନିର୍ଦେଶ ଦେଇଥିବା କହିଛନ୍ତି।
Follow Us