ଜେଏସ୍‌ପିଏଲ୍‌ରେ ପ୍ରଚଣ୍ଡ ବିସ୍ଫୋରଣ

Advertisment
ଜେଏସ୍‌ପିଏଲ୍‌ରେ ପ୍ରଚଣ୍ଡ ବିସ୍ଫୋରଣ

ଅନୁଗୁଳ/ଛେଣ୍ଡିପଦା : ଅନୁଗୁଳ ଜେଏସ୍‌ପିଏଲ୍ କାରଖାନାରେ ବଡ଼ଧରଣର ବିସ୍ଫୋରଣ ହୋଇଛି। ବୁଧବାର ଅପରାହ୍ଣରେ କାରଖାନା ପରିସରରେ ଥିବା ଏକ ଟ୍ରେନ୍‌ ଟ୍ରାକ୍‌ରେ ଗରମ ତରଳ ଲୁହା ପରିବହନ ପାଇଁ ରଖାଯାଇଥିବାବେଳେ ଅଚାନକ ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ଶବ୍ଦ ହେବା ସହିତ ଟ୍ରେନ୍ ଇଂଜିନ ଧୁ ଧୁ ହୋଇ ଜଳି ଉଠିଥିଲା। ପାଖରେ କାମ କରୁଥିବା କର୍ମଚାରୀମାନେ ପ୍ରଚଣ୍ଡ ଶବ୍ଦ ସାଙ୍ଗକୁ ନିଆଁ ଦେଖି ଆତଙ୍କିତ ହୋଇପଡ଼ିଥିଲେ। ପ୍ରାଣ ବିକଳରେ ଯିଏ ଯୁଆଡ଼େ ପାରିଲା ଦୌଡ଼ି ପଳାଇଥିଲେ। ତେବେ କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ବିବରଣୀ ମିଳିପାରିନାହିଁ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ଣରେ କାରଖାନାର ଆରଏମଏଚ୍‌ଏସ୍‌ ସାଇଟ୍ ଦେଇ ଯାଇଥିବା ରେଲୱେ ଟ୍ରାକ୍‌ରେ ବ୍ଲାଷ୍ଟଫର୍ଣ୍ଣେସ୍‌ରୁ ଷ୍ଟିଲ୍‌ ମେଲ୍ଟିଂ ସପ୍‌(ଏସ୍‌ଏମ୍‌ଏସ୍‌)କୁ ତରଳ ଲୌହପିଣ୍ଡ ଲ୍ୟାଡେଲ୍‌ରେ ପରିବହନ କରାଯାଉଥିଲା ବେଳେ କୌଣସି କାରଣରୁ ତାହା ବିସ୍ଫୋରଣ ହୋଇଥିଲା। ଯଦିଓ ଏହା କିଭଳି ଘଟିଲା ତାହା ସ୍ପଷ୍ଟ ହୋଇନାହିଁ, ତେବେ ତରଳ ଲୁହା ଚହଲିଯିବାରୁ ଏଭଳି ଅଘଟଣଘଟିଥିବା କର୍ମଚାରୀ ମହଲରେ ଆଲୋଚନା ହେଉଛି । ତରଳ ‌ଲୁହାସବୁ ବାହାରକୁ ଛିଟିକି ପଡ଼ିବା ସହ ପ୍ରଚଣ୍ଡ ଶବ୍ଦ କରିଥିଲା। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ କାମ କରୁଥିବା ଶ୍ରମିକ, କର୍ମଚାରୀ ତଥା ଆଖପାଖର ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ତରଳ ଲୁହା ପ୍ରାୟତଃ ୧୪ ହଜାର ଡିଗ୍ରି ସେଲସିୟସ୍‌ ତାପମାତ୍ରା ବିଶିଷ୍ଟ ବୋଲି ଜଣାପଡ଼ିଛି। ଏଥିରେ ଅପରେଟର୍‌ ଓ ହେଲପରଙ୍କୁ ମିଶାଇ ପ୍ରାୟ ୪ଜଣ କର୍ମଚାରୀ କାମ କରୁଥିଲେ ବୋଲି କୁହାଯାଉଛି। ତେବେ ଏହି ବିସ୍ଫୋରଣରେ ସେମାନେ କେମିତି ଅଛନ୍ତି ସେ ସଂପର୍କରେ କୌଣସି ଖବର ମିଳିପାରିନାହିଁ। ବିସ୍ଫୋରଣ ସମୟରେ ସ୍ଥାନୀୟ କର୍ମଚାରୀମାନେ ରେକର୍ଡିଂ କରିଥିବା ଭିଡିଓରୁ ଘଟଣା ବହୁ ବିଳମ୍ବରେ ପଦାକୁ ଆସିଛି। ଏ ସଂକ୍ରାନ୍ତରେ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରେ ଏହି ଘଟଣାରେ କେହି ମୃତାହତ ହୋଇନଥିବା କୁହାଯାଇଛି। ‌ତେବେ ଦୁର୍ଘଟଣା କିଭଳି ଘଟିଲା ସେ ସଂପର୍କରେ ସେମାନେ କିଛି ସ୍ପଷ୍ଟ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe