ପେଟ୍ରୋଲ୍‌ ପମ୍ପରେ ଭୟଙ୍କର ବିସ୍ଫୋରଣ : ଥରିଲା ରାଜଧାନୀ

Advertisment

ଏକାଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା, ଦୁଇ ଗୁରୁତର, ୧୦ କିଲୋମିଟର ଦୂରକୁ ଶୁଭିଲା ବିସ୍ଫୋରଣ ଶବ୍ଦ

ଏକାଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା, ଦୁଇ ଗୁରୁତର, ୧୦ କିଲୋମିଟର ଦୂରକୁ ଶୁଭିଲା ବିସ୍ଫୋରଣ ଶବ୍ଦ

ପେଟ୍ରୋଲ୍‌ ପମ୍ପରେ ଭୟଙ୍କର ବିସ୍ଫୋରଣ : ଥରିଲା ରାଜଧାନୀ

ଭୁବନେଶ୍ୱର/କଟକ : ବୁଧବାର ଅପରାହ୍ନ ପ୍ରାୟ ୧ଟା ୧୨। ହଠାତ୍ ପ୍ରଚଣ୍ଡ ଶବ୍ଦରେ ଥରିଉଠିଲା ରାଜଧାନୀର କେନ୍ଦ୍ରସ୍ଥଳୀ। ରାଜଭବନ ଠାରୁ ସଚିବାଳୟ, କ୍ୟାପିଟାଲ ହସ୍ପିଟାଲ ଆଦି ଅଞ୍ଚଳ ବି। କିଏ କହିଲା ଭୂମିକମ୍ପ, ଆଉ କିଏ କହିଲା ବୋମା ମାଡ଼ କି ବଜ୍ରପାତ। ବିସ୍ଫୋରଣ ଶବ୍ଦ ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭାଯାଇଥିଲା। ହେଲେ ଅଳ୍ପ କେଇ ମୁହୂର୍ତ ପରେ ଜଣାପଡିଲା, ରାଜଭବନ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଇଣ୍ଡିଆନ୍ ପେଟ୍ରୋଲ ପମ୍ପରୁ ହୁତୁହୁତୁ ହୋଇ ୨୦୦ ଫୁଟ ଉଚ୍ଚ ଯାଏ ନିଆଁ ଉପରକୁ ଉଠି ଜଳୁଛି। ଚିତ୍କାରରେ କମ୍ପିଉଠୁଥିଲା ସ୍ଥାନୀୟ ଅଞ୍ଚଳ। କିଛି ଲୋକ କ୍ଷତବିକ୍ଷତ ହୋଇ ରାସ୍ତାରେ ଦୌଡ଼ିବାରେ ଲାଗିଥିଲେ। ରାସ୍ତାରେ ଲୋକଙ୍କ ଶରୀରର ମାଂସ ଖଣ୍ଡ ଛିଟିକି ପଡ଼ିଥିଲା। କାହା ହାତରୁ ରକ୍ତ ଝରୁଥିଲା ତ ଆଉ କିଏ ଗୁରୁତର ଅବସ୍ଥାରେ ଥିଲେ। ପେଟ୍ରୋଲ ପମ୍ପରେ ଥିବା ଏଲ୍‌ପିଜି ଟାଙ୍କି ବିସ୍ଫୋରଣରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କେତେଜଣଙ୍କର ନିର୍ଦିଷ୍ଟ ମୃତ୍ୟୁ ଘଟିଛି, ତାହା ଜଣାପଡିନାହିଁ। ତେବେ ଏକାଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରି ତନାଘନା ଚଳାଇଛି। ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ ମୃତ୍ୟୁ ସୁନିଶ୍ଚିତ ହୋଇଛି। ଏବେ ବି ଗ୍ୟାସ୍ ଲିକ୍ କରୁଛି। ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଏ ସଂପର୍କରେ ସଠିକ୍ କହିହେବ। ଦୁଇ ଜଣ ଅତି ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ପାଖାପାଖି ୩୦ରୁ ଅଧିକ ଆହତ ହୋଇଛନ୍ତି। କଟକ ଏସ୍‌ସିବିକୁ ସ୍ଥାନାନ୍ତର ହୋଇଥିବା ଦୁଇ ଆହତ ବ୍ୟକ୍ତି ହେଉଛନ୍ତି ଆସିକା ରଘୁନାଥନଗର ପଲ୍ଲୀ ଅଞ୍ଚଳର ସତ୍ୟ ନାୟକ (୩୭) ଓ ଉତ୍ତର ପ୍ରଦେଶ ଲକ୍ଷ୍ନୌର ରିପୁ ଦାମନ(୩୨)। ଉଭୟଙ୍କୁ ଟ୍ରମା ଆଇସିୟୁରେ ରଖାଯାଇଥିବା ସୂଚନା ଦିଆଯାଇଛି। ସତ୍ୟଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିଲାବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

publive-image

ବିସ୍ଫୋରଣ ପ୍ରଭାବରେ ପେଟ୍ରୋଲ ଟାଙ୍କିରେ ଥିବା ଇଟା, ପଥର, ପାଣି ମୋଟର ୨୦୦ ମିଟର ପର୍ଯ୍ୟନ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ପେଟ୍ରୋଲ ପମ୍ପ ଛିନଛତ୍ର ହୋଇ ଯାଇଥିଲା। ତେଲ ପକାଇବାକୁ ଆସିଥିବା ଗାଡ଼ି ଭାଙ୍ଗିରୁଜି ଘଟଣାସ୍ଥଳ​ରେ ଏଣେ ତେଣେ ପଡ଼ିଥିଲା। ବିସ୍ଫୋରଣ ସ୍ଥଳରେ ବିରାଟ ଗାତ ସୃଷ୍ଟି ହୋଇଥିଲା। ନିକଟରେ ଥିବା ୧୧ କେଭି ବିଦ୍ୟୁତ ତାର ମଧ୍ୟ ଛିଡ଼ି ପଡ଼ିଥିଲା।

ଖବରକୁ ନେଇ ରାଜଧାନୀରେ ଆତଙ୍କ ସୃଷ୍ଟି ହୋଇଥିଲା। ପୁଲିସ, ଅଗ୍ନିଶମ ଟିମ୍, ଆମ୍ବୁଲାନ୍ସ ଘଟଣାସ୍ଥଳକୁ ଧାଇଁଥିଲେ। ପୁଲିସ ଫୋର୍ସ ଲୋକଙ୍କୁ ଘଉଡ଼ାଇବା ସହ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ଲାଗି ପଡ଼ିଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ପଠା ଯାଇଥିଲା। କିଛି ଘର ଭିତରେ ବିଭିନ୍ନ ସାମଗ୍ରୀ ପଡ଼ି ଲୋକ ଆହତ ହୋଇଥିବା ଖବର ମିଳିଛି।

ସବୁଠୁ ବଡ଼ କଥା ହେଲା ବିସ୍ଫୋରଣ ସ୍ଥଳରେ ଏକ ୧୦ ହଜାର ଲିଟର ଗ୍ୟାସ ଟ୍ୟାଙ୍କର ରହିଥିଲା। ସେହି ଟ୍ୟାଙ୍କରରେ ଯେପରି ନିଆଁ ନ ଲାଗେ ସେଥିଲାଗି ଅଗ୍ନିଶମ ବାହିନୀ ପାଣି ପକାଇ ଥଣ୍ଡା କରିବାକୁ ଲାଗିଥିଲେ। ସେହି ପେଟ୍ରୋଲ ପମ୍ପ ପରିସରରେ ୫୦ ହଜାର କିଲୋ ଲିଟରରୁ ଅଧିକ ପେଟ୍ରୋଲ ଓ ଡିଜେଲ୍ ମହଜୁଦ୍ ରହିଥିବା ବେଳେ ସୌଭାଗ୍ୟବଶତଃ ଏକ ବଡ଼ଧରଣର ଅଘଟଣରୁ ରକ୍ଷା ପାଇଯାଇଥିଲା। ପ୍ରାୟ ୩ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା।

ବିସ୍ଫୋରଣର ପ୍ରକୃତ କାରଣ ନେଇ ଯାଞ୍ଚ ଚାଲିଥିବା ବେଳେ ସେଠାରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ କହିବା ଅନୁସାରେ ଟାଙ୍କିରେ ଗ୍ୟାସ ଭର୍ତ୍ତି ପୂର୍ବରୁ ଟେଷ୍ଟିଂ ଓ ମରାମତି କାମ ଚାଲୁଥିଲା। ସେହି ସମୟରେ ହଠାତ୍ ଅଗ୍ନି ସଂଯୋଗ ହୋଇଯିବାରୁ ଏଭଳି ଦୁର୍ଘଟଣା ଘଟିଥିଲା। ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ମାଝିଙ୍କ କହିବା ଅନୁସାର, ଗତକାଲି ଉକ୍ତ ସ୍ଥାନରେ ଟେଷ୍ଟିଂ ହୋଇଥିଲା। ଆଜି ନାଇଟ୍ରୋଜେନ୍ ଫିଲିଂ ସମୟରେ ଅମ୍ଳଜାନ ମିଶିବା କାରଣରୁ ଅବା ଯୋଗାଣକାରୀଙ୍କର କୌଣସି ବୈଷୟିକ ତ୍ରୁଟି ଯୋଗୁ ଅଗ୍ନି ସଂଯୋଗ ହୋଇ ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ଏ ସମ୍ପର୍କରେ ଆଇଓସିଏଲ୍ ବୈଷୟିକ ଟିମ୍ ସହ ବିସ୍ତୃତ ଭାବେ ଆଲୋଚନା କଲା ପରେ ଅଘଟଣର କାରଣ ସମ୍ପର୍କରେ ପ୍ରକୃତ ତଥ୍ୟ ଜଣାପଡ଼ିବ।

publive-image

ଏହି ଘଟଣା ପରେ ତୁରନ୍ତ ଗୋପବନ୍ଧୁ ଛକ, ରାଜଭବନ ଛକ ଓ କ୍ୟାପିଟାଲ ହସ୍ପିଟାଲ ପଟୁ ଆସୁଥିବା ରାସ୍ତାକୁ ପୁଲିସ୍ ସିଲ୍ କରି ଦେଇଛି। ଗ୍ୟାସ ଭର୍ତ୍ତି ଟ୍ୟାଙ୍କରରୁ ଅନ୍ୟ ଏକ ଟ୍ୟାଙ୍କରକୁ ଗ୍ୟାସ କାଢିବା ପାଇଁ ବାଲେଶ୍ବରରୁ ଏକ ଗାଡ଼ି ଆସୁଛି। ତଥାପି ଏପର୍ଯ୍ୟନ୍ତ ବିପଦ ଟଳିନାହିଁ ବୋଲି କୁହାଯାଇ ପାରିବ। ଗ୍ୟାସ୍ ସୁରକ୍ଷିତ ଭାବେ ଅନ୍ୟ ଏକ ଟ୍ୟାଙ୍କରକୁ ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ରାସ୍ତାଗୁଡ଼ିକ ବନ୍ଦ ରହିବ ବୋଲି କୁହାଯାଇଛି। ରାଜ୍ୟ ଫରେନସିକର ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି। ବିସ୍ଫୋରଣ ସ୍ଥଳରୁ କିଛି ଅଂଶ, ଆହତ ଲୋକଙ୍କ ଛିଡ଼ି ପଡ଼ିଥିବା ଅଙ୍ଗପ୍ରତ୍ୟଙ୍ଗ ଆଦି ସଂଗ୍ରହ କରିଛନ୍ତି।

ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି କେମିତି, କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ତାହା ଜାଣିବା ଲାଗି ଫରେନସିକ୍ ଟିମ୍ ତଦନ୍ତ ଜାରି ରଖିଛି। ଏ ନେଇ ପୁଲିସ ପକ୍ଷରୁ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ସେପଟେ ଅଗ୍ନିଶମ ଟିମ୍ ମଧ୍ୟ ମାମଲାର ଛାନଭିନ୍ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ, କେମିତି ନିଆଁ ଲାଗିଲା ତାହା ଜାଣିବା ଲାଗି ଅଗ୍ନିଶମ ବିଭାଗର ଏକ ଟିମ୍ ତଦନ୍ତ କରୁଛି।

ଉଦ୍ଧାର କାର୍ଯ୍ୟ ଲାଗି ଅଗ୍ନିଶମ ବାହିନୀର ୫ଟି ଗାଡ଼ି, ପୁଲିସ କମିସନର, ଅତିରିକ୍ତ ପୁଲିସ କମିସନର, ଡିସିପି, ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ପ୍ରାୟ ୪ ପ୍ଲାଟୁନ୍ ଫୋର୍ସ, କାଉଣ୍ଟର ଟେରରିଷ୍ଟ ସ୍କ୍ବାଡ୍, ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ୧୦ରୁ ଅଧିକ ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥ​ଳରେ ପହଞ୍ଚିଥିଲା। ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ପ୍ରଥମେ ଆହତଙ୍କୁ ହସ୍ପିଟାଲ ପଠାଯିବା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଲାଗି ପଡ଼ିଥିଲେ। ଖୋଦ୍ ପୁଲିସ ମହାନିର୍ଦେଶକ ଅଭୟ ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

ଉଲ୍ଲେଖଥାଉକି, ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସେ ପେଟ୍ରୋଲ ପକାଇବା ଲାଗି ଛିଡ଼ା ହୋଇଥିଲେ। ପ୍ରଥମେ ଚଟାଣ ଥରିବାକୁ ଲାଗିଥିଲା। ହଠାତ୍ କିଛି ଜାଣି ପାରି ନ ଥିଲେ। ଅଳ୍ପ କେଇ ସେକେଣ୍ଡ ମଧ୍ୟରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ସେହି ସମୟରେ ସେ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ। ପେଟ୍ରୋଲ ପମ୍ପ ଭାଙ୍ଗିରୁଜି ଯାଇଥିଲା। ଅନ୍ୟମାନଙ୍କ ଭିତରୁ କିଛି ଲୋକ ଆହତ ହୋଇ ତଳେ ପଡ଼ି ଯାଇଥିଲେ। ଚାରିଆଡ଼େ ଅନ୍ଧାର ଭଳି ଦିଶିଥିଲା। ଆତଙ୍କ ଖେଳିଯିବା ସହ ଲୋକ ଜୀବନ ବିକଳରେ ଦୌଡ଼ିବାକୁ ଲାଗିଥିଲେ।

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ମାଗଣାରେ ଚିଗକିତ୍ସା କରାଯିବ। ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe