ଭୁବନେଶ୍ବର : ରେଳଧାରଣାରେ ଲାଗିଥିବା ୨୫ଶହ ଭୋଲ୍ଟ ତାରରେ ଏକ କେବୁଲ ପଡ଼ିଯିବାରୁ ବାଣୀବିହାର ଓଭରବ୍ରିଜ୍ ପରେ ପରେ ଆଜି ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ଆଜି ରାତି ୮ଟା ୧୫ ମିନିଟ୍ରେ ଏହି ଅଘଟଣ ଘଟିଛି। ଏହି ସମୟରେ ଏକ ମାଲ୍ବାହୀ ଟ୍ରେନ୍ ଯାଉଥିବାରୁ ଏହା ଦୁର୍ଘଟଣାର ଶିକାର ହୋଇଛି। କିଛି ବାଟ ଯିବା ପରେ ମଞ୍ଚେଶ୍ବର ଷ୍ଟେସନ୍ ପାଖାପାଖି ଟ୍ରେନ୍ ଅଟକି ରହିଛି। ଖବର ପାଇବା ମାତ୍ରେ ଜାଗାରେ ମରାମତି କାମ ଆରମ୍ଭ ହୋଇଛି। ଅନ୍ୟ ଯାତ୍ରୀବାହୀ ଟ୍ରେନ୍ ଚଳାଚଳରେ କୌଣସି ସମସ୍ୟା ହୋଇନଥିବା କର୍ତ୍ତୃପକ୍ଷ କହିଛନ୍ତି। ସୂଚନା ମୁତାବକ, କେତେକ କେବୁଲ ଅପରେଟର ଏହି ଟ୍ରେନ୍ ଧାରଣା କଡ଼ରେ କେବୁଲ ବିଛାଇଛନ୍ତି। ଫନି ପ୍ରଭାବରେ ଏହି କେବୁଲଗୁଡ଼ିକ ଛିନ୍ଛତ୍ର ହୋଇ ପଡ଼ିରହିଛି। କିଛି ଦୂରରେ ପୁନରୁଦ୍ଧାର କାମ ଚାଲିଥିଲା। ଗଛ କଟାଯିବା ପରେ କେବୁଲଗୁଡ଼ିକ ଏହି ହାଇଭୋଲ୍ଟେଜ୍ ତାରକୁ ସ୍ପର୍ଶ କରିଥିଲା। ଫଳରେ ନିଆଁ ଜଳିଥିଲା। ଏତିକିବେଳେ ଏକ ମାଲ୍ବାହୀ ଟ୍ରେନ୍ ଆସିଥିଲା। ଟ୍ରେନ୍ ଯୋଗେ କେବୁଲ ଭିଡ଼ି ହୋଇ ଆସି ପୁଣି ଥରେ ତାରକୁ ସ୍ପର୍ଶ କରିଥିଲା। ଫଳରେ ଏପରି ବିସ୍ଫୋରଣ ହୋଇଥିଲା। ଏଥିରେ ମାଲ୍ବାହୀ ଟ୍ରେନ୍ର ଇଞ୍ଜିନ ପ୍ରଭାବିତ ହୋଇଛି। ଏଣୁ ଏହାକୁ ମଞ୍ଚେଶ୍ବରରେ ରଖାଯାଇଛି। ମରାମତି କାମ ଆରମ୍ଭ ହୋଇଛି।
ରେଳଧାରଣା ବିଜୁଳି ତାରକୁ ଛୁଇଁଲା କେବୁଲ; ପ୍ରଚଣ୍ଡ ବିସ୍ଫୋରଣ, ଅଟକିଲା ମାଲବାହୀ
Advertisment
Follow Us