Image Source: Zee Business
ଭୁବନେଶ୍ବର: ଟ୍ରେନ ସେବାକୁ ପ୍ରଭାବିତ ନକରି ପୂର୍ବରୁ କାର୍ଯ୍ୟକାରୀ ହେବାକୁ ଥିବା ଭିତ୍ତିଭୂମି ମରାମତି ଓ ଆଧୁନିକୀକରଣ କାର୍ଯ୍ୟ ସମ୍ପାଦନ ଲାଗି ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଇଛି। ଭୁବନେଶ୍ୱର ରେଳ ଷ୍ଟେସନଠାରେ ଡାଉନ୍ ମେନ୍ ଲାଇନ ଓ କଟକ ରେଳ ଷ୍ଟେସନରେ ଅପ୍ ମେନ ଲାଇନରେ ଉଚ୍ଚ କ୍ଷମତା ସମ୍ପନ୍ନ ଯନ୍ତ୍ରପାତି ବ୍ୟବହାର କରାଯାଇ ଟ୍ରେନ ଚଳାଚଳରେ ଘଣ୍ଟା ପ୍ରତି ୧୫ କିମି ନିୟନ୍ତ୍ରିତ ବେଗକୁ ପରିବର୍ତ୍ତନ କରାଯାଇ ବ୍ଲାଷ୍ଟ ଟ୍ରାକ ସ୍ଥାପନ କରାଯାଇଛି। ଯାହାଦ୍ୱାରା ଏହି ଲାଇନଗୁଡିକରେ ଟ୍ରେନର ବେଗ ବୃଦ୍ଧି କରାଯାଇ ପାରିବ। ପୂର୍ବରୁ ଖରାପ ହୋଇଯାଇଥିବା ୱାସେଵେଲ ଆପ୍ରନ୍ ଯୋଗୁଁ ଟ୍ରେନଗୁଡିକର ବେଗକୁ ନିୟନ୍ତ୍ରିତ କରାଯାଉଥିଲା। ଏହାକୁ ବଦଳାଯାଇ ବ୍ଲାଷ୍ଟ ଟ୍ରାକ କରାଯିବାର ଯୋଜନା ଥିଲା। ହାଓଡା-ଚେନ୍ନାଇ ମୁଖ୍ୟ ରେଳଲାଇନରେ ଥିବା କଟକ ଓ ଭୁବନେଶ୍ବର ଷ୍ଟେସନରେ ବହୁ ସଂଖ୍ୟକ ଟ୍ରେନ ଯାତାୟାତ ଯୋଗୁଁ ଏହା ସମ୍ଭବପର ହୋଇପାରୁ ନଥିଲା। ଏହି କାର୍ଯ୍ୟକୁ କରିବା ପାଇଁ ନିୟମିତ ଟ୍ରେନ୍ ସେବାକୁ ବହୁ ଦିନ ପାଇଁ ପ୍ରଭାବିତ କରିବାକୁ ପଡିଥାନ୍ତା, ଯାହାକି କଷ୍ଟସାଧ୍ୟ ଥିଲା। ତେବେ ଲକ୍ଡାଉନ ପ୍ରାରମ୍ଭରେ ଟ୍ରେନ ସେବାକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଥିଲା। ପରେ ଯାତ୍ରୀଙ୍କ ସୁବିଧା ପାଇଁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ସହ କେତେକ ଅନ୍ତରାଜ୍ୟ ଓ କିଛି ଆନ୍ତଃରାଜ୍ୟ ଟ୍ରେନ ଚଳାଚଳ କରାଯାଉଛି।
ପୂର୍ବତଟ ରେଳପଥ ପକ୍ଷରୁ ଉଭୟ କଟକ ଓ ଭୁବନେଶ୍ୱର ରେଳ ଷ୍ଟେସନରେ ପୂର୍ବର ୱାସେଵେଲ ଆପ୍ରନଗୁଡିକୁ ପରିବର୍ତ୍ତନ କରି ବ୍ଲାଷ୍ଟ ଟ୍ରାକ ବିଛାଇ ଏହି ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିଛି। ନିୟମିତ ଟ୍ରେନ ଚଳାଚଳ କରୁଥିବା ସମୟରେ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ହୋଇଥିଲେ ହାଓଡା-ଚେନ୍ନାଇ ବ୍ୟସ୍ତ ବହୁଳ ରେଳ ମାର୍ଗରେ ଅନେକ ଦିନ ପାଇଁ ବହୁ ଟ୍ରେନ ସେବାକୁ ବାତିଲ କରିବାକୁ ପଡିଥାନ୍ତା। ଏଥିସହ ଉଭୟ ଷ୍ଟେସନରେ ନିୟନ୍ତ୍ରିତ ଟ୍ରେନ ବେଗକୁ ପରିବର୍ତ୍ତନ କରାଯାଇ ଘଣ୍ଟା ପ୍ରତି ୧୫ କିମି ପରିବର୍ତ୍ତେ ବେଗକୁ ବୃଦ୍ଧି କରାଯାଇ ଘଣ୍ଟା ପ୍ରତି ୧୧୦ କିମି ବେଗରେ ଚଳାଚଳ କରାଇବା ପାଇଁ କାର୍ଯ୍ୟକାରୀ କରାଯାଇଛି। ଫଳରେ ଟ୍ରେନ ଟ୍ରାଫିକକୁ ବୃଦ୍ଧି କରାଯାଇ ପାରିବ।
Follow Us