ଅନ୍ଧବିଶ୍ବାସର ଲଜ୍ଜାଜନକ ଚିତ୍ର : ଗୁଣିଆ ଦମ୍ପତିଙ୍କୁ ଆକ୍ରମଣ, ନାବାଳକଙ୍କୁ ମାଡ଼

Advertisment
ଅନ୍ଧବିଶ୍ବାସର ଲଜ୍ଜାଜନକ ଚିତ୍ର : ଗୁଣିଆ ଦମ୍ପତିଙ୍କୁ ଆକ୍ରମଣ, ନାବାଳକଙ୍କୁ ମାଡ଼

ଔପଦା/ଭୋଗରାଇ : ଅନ୍ଧବିଶ୍ବାସ ଥମିବାର ନାମ ନେଉନି। ଘଟଣା ମୟୂରଭଂଜ, କୋରାପୁଟ କି କଳାହାଣ୍ଡି ଜିଲ୍ଲାର ନୁହେଁ, ଶିକ୍ଷା କ୍ଷେତ୍ରରେ ତାଲିକାର ଉପରକୁ ରହୁଥିବା ବାଲେଶ୍ବରର। ଏଠାରେ ଆଜି ଗୁଣିଗାରେଡ଼ିକୁ ନେଇ ଦୁଇ ଦୁଇଟି ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଔପଦାରେ ଜଣେ ଯୁବକଙ୍କୁ ଗୁଣି କରିଥିବା ସଂଦେହରେ ପରିବାର ଲୋକ ଓ ଗ୍ରାମବାସୀ ମିଶି ଦମ୍ପତିଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ସେହିପରି ଭୋଗରାଇରେ ଭୂତ ଛଡ଼ାଇବା ନାଁରେ ଆଉ ଏକ ଗୁଣିଆ ଦମ୍ପତି ନାବାଳିକୁ ଶାରୀରିକ ନିର୍ଯାତନା ଦେଇଛନ୍ତି।

ସୂଚନା ଅନୁସାରେ; ବାଲେଶ୍ଵର ଜିଲ୍ଲା ଔପଦା ଥାନା ଅଧୀନ ପଣ୍ଡୁଆରେ ରଘୁନାଥ ରଣା ତାଙ୍କ ପରିବାର ସହ ଗତ ୬ ବର୍ଷ ହେବ ରହିଆସୁଛନ୍ତି। ତେବେ ରଘୁନାଥ ଓ ତାଙ୍କ ପତ୍ନୀ ପୂର୍ଣ୍ଣିମା ଗୁଣିଗାରେଡ଼ି କରନ୍ତି ବୋଲି ଗ୍ରାମବାସୀଙ୍କ ଧାରଣା ଥିଲା। ଏପରି ସମୟରେ ଗତ ୧୧ ତାରିଖ ଦିନ ବିଳମ୍ବିତ ରାତିରେ ଗ୍ରାମର ରାଧାକାନ୍ତ ସେଠୀ ଓ ବାସନ୍ତୀ ସେଠୀଙ୍କ ପୁଅ ଅଭିରାମ ହଠାତ୍‌ ବାଉଳିଚାଉଳି ହୋଇଥିଲେ। ପୁଅକୁ ରଘୁନାଥ ଓ ପୂର୍ଣ୍ଣିମା ଗୁଣି କରିଥିବା ସେମାନଙ୍କ ସଂଦେହ ହୋଇଥିଲା। ରାଧାକାନ୍ତ ଓ ବାସନ୍ତୀ ଏନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଫଳରେ ସେମାନେ ରଘୁନାଥଙ୍କ ଘରକୁ ଯାଇ ତାଗିଦ କରିଥିଲେ। ହେଲେ ଅଭିଯୋଗ ଶୁଣିବା ପରେ ରଘୁନାଥ ଓ ପୂର୍ଣ୍ଣିମା ରାଗିଯାଇ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ରାଧାକାନ୍ତ, ବାସନ୍ତୀ ତଥା କିଛି ଗ୍ରାମବାସୀ ମିଶି ରଘୁନାଥ ଓ ପୂର୍ଣ୍ଣିମାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଯାହାଦ୍ବାରା ପତିପତ୍ନୀ ଗୁରୁତର ଆହତ ହୋଇଥିଲେ। ଏନେଇ ଥାନାକୁ ଖବର ଦିଆଯାଇଥିଲା। ପୁଲିସ ପହଂଚି ରାଧାକାନ୍ତ ଓ ବାସନ୍ତୀଙ୍କୁ ଉଦ୍ଧାର କରି ଥାନାକୁ ନେଇଯିବା ସହ ଡାକ୍ତରଖାନାରେ ଭର୍ତି କରିଥିଲା। ତେବେ ପରେ ଘଟଣାକୁ କେନ୍ଦ୍ର କରି ରାଧାକାନ୍ତ ଓ ବାସନ୍ତୀଙ୍କ ସହ ଗ୍ରାମର ଅନ୍ୟ ୯ ଜଣଙ୍କ ନାମରେ ୭୭/୧୯ ନମ୍ବରର ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ସେହିପରି ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ମହାଗବ ଗାଁର ନିତାଇ ସାମଲଙ୍କ ୭ ବର୍ଷର ପୁଅକୁ କିଛିଦିନ ହେବ ଜ୍ୱର ହୋଇଥିଲା। କିଛି ଔଷଧ ଖାଇଥିଲେ ବି ଜ୍ବର ଛାଡ଼ିନଥିଲା। ଏପରି ସମୟରେ ସେ ପୁଅକୁ ରାଣୀଗୋଡ଼ା ଗାଁକୁ ନେଇଥିଲେ। ସେଠାକାର ପୂଜକ ତଥା ଗୁଣିଆ ଅଜୟ ରାଉଳ ଓ ତାଙ୍କ ପତ୍ନୀ ନାବାଳିକଙ୍କ ଦେହରେ ଭୂତ ସବାର ହୋଇଥିବାରୁ ଜ୍ବର ଛାଡ଼ୁ ନଥିବା କହିବା ସହ ପ୍ରତିକାର ସ୍ବରୂପ ପୂଜା କରିବାକୁ ପରାମର୍ଶ ଦେଇଥିଲେ। ସେମାନଙ୍କ କଥାରେ ନିତାଇ ରାଜି ହୋଇଯାଇଥିଲେ। ଫଳରେ ପୂଜାପାଠ ଆରମ୍ଭ ହୋଇଥିଲା। ଗ୍ରାମର ମୁଖ୍ୟ ରାସ୍ତାରେ ନାବାଳକଙ୍କୁ ଛିଡ଼ା କରାଇ ଝୁଣା ଓ ଧୂପ ଦିଆଯାଇଥିଲା। ପରେ ଗୁଣିଆ ଦମ୍ପତି ଭୂତ ଛଡ଼ାଇବାକୁ ଏକ ବାଡ଼ିରେ ନାବାଳକଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ। ଏମିତି କି ତାଙ୍କୁ ଏକ ଛିଡ଼ା ଚପଲ ମଧ୍ୟ କାମୁଡ଼ା କରାଇଥିଲେ। ମାଡ଼ ଖାଇବା ତଥା ଚପଲ କାମୁଡ଼ିବା ପରେ ନାବାଳକ ଜଣକ ପ୍ରାଣବିକଳରେ ସେଠାରୁ ଦୌଡ଼ିବାକୁ ଉଦ୍ୟମ କରିଥିଲେ। ତେବେ ଉପରେ ଏପରି ଅମାନୁଷିକ ଅତ୍ୟାଚାର ଦେଖି କିଛି ଲୋକ ପ୍ରତିବାଦ କରିବା ସହ କମର୍ଦ୍ଦା ଥାନାକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ମାତ୍ର ସେତେବେଳକୁ ଗୁଣିଆ ଅଜୟ ଓ ତାଙ୍କ ପତ୍ନୀ ତଥା ନିତାଇ ପୁଅକୁ ଧରି କେଉଁଆଡ଼େ ପଳାଇଥିଲେ। ତେଣୁ ପୁଲିସ କାହାକୁ ନପାଇ ଫେରିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe