The Hans India
ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଖରିନାସୀ ପଞ୍ଚାୟତ ୬ ନମ୍ବର ୱାର୍ଡରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ପୂଜକଙ୍କୁ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଆହତ ଅବସ୍ଥାରେ ପୂଜକଙ୍କୁ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି।
ଖବର ନେବାରେ ଜଣାପଡ଼ିଛି, ୬ ନମ୍ବର ୱାର୍ଡର ବିଶ୍ବନାଥ ମଣ୍ତଳଙ୍କ ଘରେ ଦୀର୍ଘଦିନ ହେଲା ନାନା ସମସ୍ୟା ଲାଗି ରହିଥିଲା। ସେ ପାରାଦୀପ ଭୀମନାସୀ ଅଞ୍ଚଳର ବଲାଇ ଘଡ଼ାଇ ନାମକ ବ୍ୟକ୍ତିଙ୍କୁ ଆଣି ଗତକାଲି ବିଳମ୍ବିତ ରାତିରେ ଘରେ ପୂଜାପାଠ କରୁଥିଲେ। ରାତି ପ୍ରାୟ ୩ଟାରେ ପୂଜାରେ ବ୍ୟବହୃତ ସାମଗ୍ରୀକୁ ନଦୀରେ ବିସର୍ଜନ କରିବା ନିମନ୍ତେ ଏକ ବାଇକ୍ ଧରି ବାହାରିଥିଲେ। ପଡ଼ୋଶୀ ମନୋରଂଜନ ମଣ୍ତଳଙ୍କ ଘର ନିକଟରେ ପହଞ୍ଚିବାବେଳକୁ ତାଙ୍କ ପତ୍ନୀ ବାସନ୍ତୀ ମଣ୍ତଳ ଏହି ୨ ଜଣଙ୍କୁ ଅଟକାଇ ଚିତ୍କାର କରିବାରୁ ଗ୍ରାମବାସୀ ରୁଣ୍ତ ହୋଇଯାଇଥିଲେ। ପୂଜକ ବଲାଇ ଓ ବିଶ୍ବନାଥ କୁଆଡ଼େ ତାଙ୍କ ଘରେ ପଶି ପୁଅ ମୁଣ୍ତ ଉପରେ ଏକ ହାଡ଼ ବୁଲାଉଥିଲେ ବୋଲି ବାସନ୍ତୀ କହିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ପୂଜକଙ୍କୁ ବାନ୍ଧି ଗୁଣି ଗାରେଡ଼ି ସନ୍ଦେହରେ ନିସ୍ତୁକ ମାଡ଼ ମାରିଥିଲେ। ଏ ନେଇ ବାସନ୍ତୀ ଜମ୍ବୁ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ବଲାଇଙ୍କୁ ଉଦ୍ଧାର କରିବା ସହିତ ଏକ ମାମଲା ରୁଜ୍ଜୁ କରି ଥାନାରେ ଅଟକ ରଖିଛି। ଅନ୍ୟପକ୍ଷରେ ବିଶ୍ବନାଥ ଓ ବାସନ୍ତୀଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ରହିଥିଲା। ଏହି ସୁଯୋଗରେ ଘର ମଧ୍ୟରେ ଗ୍ରହ ଓ ବାସ୍ତୁପୂଜାକୁ ଗୁଣିଗାରେଡ଼ିର ରୂପ ଦେଇ ବାସନ୍ତୀ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଶ୍ବନାଥ କହିଛନ୍ତି।
Follow Us