କରୋନା ପାଇଁ ମନ୍ଦିରରେ ବଳି! ବୃଦ୍ଧ ପୂଜକର ଜଘନ୍ୟକାଣ୍ଡ; ଜଣକୁ କଟୁରିରେ ହାଣି ହତ୍ୟା

Advertisment

ହତ୍ୟାକାଣ୍ଡ ପରେ ଥାନାକୁ ଯାଇ ଆତ୍ମସମର୍ପଣ, ପରିବର୍ତ୍ତିତ ବୟାନ ଯୋଗୁଁ ସଂପୂର୍ଣ୍ଣ ଘଟଣା ରହସ୍ୟମୟ

ହତ୍ୟାକାଣ୍ଡ ପରେ ଥାନାକୁ ଯାଇ ଆତ୍ମସମର୍ପଣ, ପରିବର୍ତ୍ତିତ ବୟାନ ଯୋଗୁଁ ସଂପୂର୍ଣ୍ଣ ଘଟଣା ରହସ୍ୟମୟ

କରୋନା ପାଇଁ ମନ୍ଦିରରେ ବଳି! ବୃଦ୍ଧ ପୂଜକର ଜଘନ୍ୟକାଣ୍ଡ; ଜଣକୁ କଟୁରିରେ ହାଣି ହତ୍ୟା

ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ମନ୍ଦିରର ପୂଜକ ଥିବା ଜଣେ ୭୨ ବର୍ଷର ବୃଦ୍ଧ ବ୍ୟକ୍ତି ଜଣେ ୫୨ ବର୍ଷର ବ୍ୟକ୍ତିଙ୍କୁ କଟୁରିରେ ହାଣି ହତ୍ୟା କରିଛି। ହତ୍ୟାକାଣ୍ଡ ପରେ ଥାନାରେ ଆତ୍ମସମର୍ପଣ କରିଥିବା ଏହି ବୃଦ୍ଧ ପ୍ରଥମେ ପୁଲିସକୁ କରୋନା ରୋଗରୁ ମୁକ୍ତି ପାଇଁ ମା’ଙ୍କ ନିକଟରେ ବଳି ଦେଲି ବୋଲି କହିଥିବାବେଳେ ପରେ ବୟାନ ବଦଳାଇ ନିଜକୁ ବଂଚାଇବା ପାଇଁ ସେ ଏଭଳି କାଣ୍ଡ କରିଥିବା କହିଛି। କିନ୍ତୁ ଜଣେ ୭୨ ବର୍ଷର ବୃଦ୍ଧ ଏକୁଟିଆ ଜଣେ ୫୨ ବର୍ଷର ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ନେଇ ସନ୍ଦେହ ସୃଷ୍ଟି ହେଉଥିବାବେଳେ ହତ୍ୟାକାଣ୍ଡର କାରଣ ମଧ୍ୟ ଅଧିକ ସନ୍ଦେହଜନକ ମନେହେଉଛି। କୌଣସି ଭିନ୍ନ କାରଣକୁ ନେଇ ଏଭଳି ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇ ନାହିଁ ତ? ଏଭଳି ପ୍ରଶ୍ନ ମୁଣ୍ଡ ଟେକୁଥିବା ବେଳେ ପୁଲିସ ଘଟଣାର ବିଧିବଦ୍ଧ ତଦନ୍ତ କରିବାକୁ ଦାବି ହେଉଛି।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ଗ୍ରାମ ବଡ଼ ବନ୍ଧ ନିକଟରେ ଥିବା ବ୍ରାହ୍ମଣୀ ଦେଇ ମନ୍ଦିର ବିଶ୍ରାମ ଗୃହରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମନ୍ଦିର ପୂଜକ ସଂସାରି ଓଝା (୭୨) ସେହି ଗ୍ରାମର ସରୋଜ ପ୍ରଧାନ( ୫୨)ଙ୍କୁ ଏକ ଧାରୁଆ କଟୁରୀରେ ହାଣି ହତ୍ୟା କରିଛି। ଗଣ୍ଡି ମୁଣ୍ଡ ଅଲଗା କରିଦେଇଛି। ଏଭଳି ଜଘନ୍ୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ସଂସାରି ରାତିରେ ଚାଲି ଚାଲି ନରସିଂହପୁର ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲା ବୋଲି ପୁଲିସ କହିଛି। ଦେଶରୁ କରୋନା ଦୂର ପାଇଁ ମା’ କାଳୀଙ୍କ ନିର୍ଦ୍ଦେଶରେ ସେ ମନ୍ଦିରରେ ବଳି ଦେଇଛି ବୋଲି ସଂସାରି ପ୍ରଥମେ ପୁଲିସକୁ କହିଥିଲା। କିନ୍ତୁ ପରେ ବୟାନ ବଦଳାଇ କହିଛି ଯେ, ମୃତ ସରୋଜ ମନ୍ଦିରରେ ଏକ ବୋଦା ବଳି ଦେବ ବୋଲି ତାଙ୍କୁ କହିଥିଲେ। କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ନୁହେଁ ବୋଲି ସରୋଜଙ୍କୁ ସେ ବାରମ୍ବାର କହି ଆସୁଥିଲା। ସରୋଜ ଗତକାଲି ରାତିରେ ଆସି ବୋଦା ବଳି ସଂପର୍କରେ ପୁଣି ଆଲୋଚନା କରିଥିଲା। କିନ୍ତୁ ବୋଦା ସାଙ୍ଗରେ ନଥିଲା। ସେ ତାକୁ ବଳି ଦେବାକୁ ପୁଣି ମନା କରିବାରୁ ସରୋଜ ତାକୁ ଚାପୁଡ଼ା ମାରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ମନ୍ଦିରରୁ କଟୁରି ଆଣି ସରୋଜକୁ ହାଣିଦେଲା ବୋଲି ସଂସାରି କହୁଛି। ଗୋଟିଏ ପଟେ ସଂସାରିର ଏଭଳି ଭିନ୍ନ ବୟାନ ସନ୍ଦେହର କାରଣ ହେଉଥିବା ବେଳେ ଅନ୍ୟପଟେ ତା’ର ଶାରୀରିକ ଶକ୍ତି ଯାହା ସେଥିରେ ସେ ଏକା ଏଭଳି କାଣ୍ଡ କରିବା ମଧ୍ୟ ସହଜରେ ବିଶ୍ବାସ ‌ଯୋଗ୍ୟ ହେଉନାହିଁ।

ମୃତ ସରୋଜ ଅବିବାହିତ। ବ୍ରାହ୍ମଣୀ ଦେଇ ମନ୍ଦିର ଠାରୁ ୧୦୦ ମିଟର ଦୂରରେ ଥିବା ଏକ ସରକାରୀ ଜମିରେ ସରୋଜ ଆମ୍ବ, ପଣସ, କଦଳୀ, ଲେମ୍ବୁ, ଆଦି ବିଭିନ୍ନ ରକମର ଫଳ ଗଛ ଲଗାଇ ତା’ର ରକ୍ଷଣାବେକ୍ଷଣ କରନ୍ତି। ଅଭିଯୁକ୍ତ ସଂସାରି ମଧ୍ୟ ମନ୍ଦିର ନିକଟରେ କିଛି ଫଳ ଗଛ ଲଗାଇ ତା’ର ଜଗାରଖା କରେ। ଉଭୟ ପ୍ରାୟ ପ୍ରତ୍ୟେକ ଦିନ, ଏମିତିକି ରାତି ସମୟରେ ମଧ୍ୟ ମନ୍ଦିର ପଛ ପଟେ ଥିବା ବିଶ୍ରାମ ଗୃହରେ ବସାଉଠା କରନ୍ତି। ମୃତ ସରୋଜଙ୍କ ପୁତୁରା ସାନୁରାଜ ପ୍ରଧାନ (୨୦) କହିବା ଅନୁଯାୟୀ, ତାଙ୍କ ଦାଦା ଗତକାଲି ରାତି ୮ଟା ସମୟରେ ମନ୍ଦିର ନିକଟରେ ବସିଥିବା ସେ ଦେଖିଥିଲେ। ଅନେକ ସମୟରେ ଫଳ ତୋଟାକୁ ନେଇ ତାଙ୍କ ଦାଦାଙ୍କ ସହିତ ସଂସାରିର ବଚସା ହୁଏ। ଏହି ବିବାଦ କାରଣରୁ ହୁଏତ ଦାଦାକୁ ଏକୁଟିଆ ପାଇ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମିଳିତ ଭାବେ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି ବୋଲି ସାନୁରାଜ କହିଛନ୍ତି।

ଅନ୍ୟପଟେ ଗତକାଲି ରାତିରେ ସଂସାରି ଆତ୍ମସମର୍ପଣ କରିଥିବା ବେଳେ ଆଜି ସକାଳେ ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା, ଏସ୍‌ଆଇ ବ୍ରଜ ବିହାରୀ ସାମନ୍ତସିଂହାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ପରେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଚି ମନ୍ଦିର ଓ ଚାରି ପଟ ଅଞ୍ଚଳ ଛାନ୍‌ଭିନ୍‌ କରିବା ସହିତ ହତ୍ୟାରେ ବ୍ୟବହୃତ କଟୁରିକୁ ଜବତ କରିଛି। ଆଠଗଡ଼ ଏସ୍‌ଡିପିଓ ଆଲୋକ ରଞ୍ଜନ ରାୟ, କଟକ ଗ୍ରାମାଞ୍ଚଳ ଏସ୍‌ପି ରାଧା ବିନୋଦ ପାଣିଗ୍ରାହୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଏ ସଂପର୍କରେ ନିଜ ଆଡୁ ନରସିଂହପୁର ଥାନା (କେସ ନମ୍ବର ୧୫୪/୨୦ )ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ସଂସାରି ଓଝାକୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ଖାରଜ ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe