କାମାକ୍ଷାନଗର : ପୁଣି ସାମ୍ନାକୁ ଆସିଲା ଅନ୍ଧାରୀ ମୂଲକ ଅନ୍ଧ ଶାସନର ଆଉ ଏକ ନଗ୍ନ ଚିତ୍ର । ଆଡ଼ିବନ୍ଦ ନିର୍ମାଣ ପାଇଁ ଜମି ନଦେବାରୁ ୨ଟି ପରିବାର ୭ ବର୍ଷ ଧରି ବାସନ୍ଦ ହୋଇ ବାହାରେ ବୁଲୁଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ଗାଁରେ। ଉଭୟ ପରିବାର ଆଜି କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିବା ପରେ ଘଟଣା ପଦାକୁ ଆସିଛି।
ଅଭିଯୋଗ ଅନୁସାରେ, ୭ ବର୍ଷ ତଳେ କଙ୍କଡ଼ାହାଡ଼ ବ୍ଲକ ବାମ ଗାଁରେ ଏକ ଆଡ଼ିବନ୍ଧ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ପ୍ରସ୍ତାବିତ ଆଡ଼ିବନ୍ଧ ନିର୍ମାଣ ପାଇଁ ଆବଶ୍ୟକ ଜମିରୁ କିଛି ସଦାଶିବ ମହାନ୍ତ ଏବଂ ଗୁରୁଚରଣ ମହାନ୍ତଙ୍କ ଦଖଲରେ ରହିଥିଲା। ଉଭୟେ ଏହି ଜମି ଛାଡ଼ିବାକୁ ରାଜି ହୋଇ ନଥିଲେ। ଗାଁ ଲୋକଙ୍କ ବୁଝାଶୁଝା ସତ୍ତ୍ବେ ଉଭୟେ ଏଥିରେ ରାଜି ନହେବାରୁ ଏହାକୁ କେନ୍ଦ୍ରକରି ବିବାଦ ଉପୁଜିଥିଲା। ଗାଁରେ ବୈଠକ ବସାଇ ଉଭୟ ପରିବାରକୁ ନିଆଁ,ପାଣି ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା। ଦୁଇ ବାସନ୍ଦ ପରିବାର ସହିତ ଗାଁର କୌଣସି ଲୋକ କଥା ହେଲେ କିମ୍ବା ସମ୍ପର୍କ ରଖିଲେ ହଜାରେ ଟଙ୍କା ଜରିମାନା ଦେବାକୁ ନିଷ୍ପତ୍ତି ହୋଇଥିଲା। ଏଭଳି ପରିସ୍ଥିତିରେ ଚଳିବା କଷ୍ଟକର ହୋଇପଡ଼ିବାରୁ ଉଭୟଙ୍କ ମଧ୍ୟରୁ ଗୋଟିଏ ପରିବାର ଏବେ କେନ୍ଦୁଝର ଜିଲ୍ଲା ତେଲକୋଇରେ ରହି ନିର୍ବାସନ ଦଣ୍ଡ ଭୋଗୁଛନ୍ତି । ୭ ବର୍ଷ ପରେ ସେ ଗାଁକୁ ଫେରିବାକୁ ବ୍ୟଗ୍ର ହୋଇ ପଡ଼ିଥିଲେ ହେଁ ଗାଁରେ ଚଳିବାକୁ ହେଲେ ୩୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ଏବଂ ସେହି ବିବାଦୀୟ ଜମି ଛାଡିବାକୁ ପଡିବ ବୋଲି କୁଆଡ଼େ ଗ୍ରାମବାସୀଙ୍କ ପକ୍ଷରୁ ଶୁଣାଇ ଦିଆଯାଇଛି । ଫଳରେ ଉଭୟ ପରିବାର ଉପଜିଲ୍ଲାପାଳଙ୍କୁ ଭେଟି ଏ ସଂକ୍ରାନ୍ତ ଅଭିଯୋଗପତ୍ର ପ୍ରଦାନ କରିବା ସହ ଲୁହଭରା କଣ୍ଠରେ ଗୁହାରି ଜଣାଇଛନ୍ତି । ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କଙ୍କଡ଼ାହାଡ଼ ତହସିଲଦାର , ବିଡିଓ ଏବଂ ପର୍ଜଙ୍ଗ ଥାନା ଅଧିକାରୀଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
ଏ ସଂକ୍ରାନ୍ତରେ ଗ୍ରାମବାସୀଙ୍କ ସହ ଯୋଗାଯୋଗ ହୋଇଥିଲା ମାତ୍ର ତାହା ସମ୍ଭବପର ହୋଇନଥିଲା।
Follow Us