ଦଶରଥପୁର: ଦଶରଥପୁର ବ୍ଲକ ନନ୍ଦିପୁର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜୟ ବେହେରାଙ୍କ ବଦଳିକୁ ବିରୋଧକରି ଆଜି ଦ୍ବିତୀୟ ଦିନରେ ଛାତ୍ରଛାତ୍ରୀ ପୁଣି ରାସ୍ତାରୋକ କରିଛନ୍ତି। ଫଳରେ ରାମବାଗ-ଛତ୍ରପଡ଼ା ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଆଜି ପୂର୍ବାହ୍ନ ୧୦ ଟାରୁ ୧୧ ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିଲା।
ଖବର ପାଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳାନ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ କୁମାର ମହାନ୍ତି ପହଞ୍ଚି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଦଶହରା ପାଇଁ ଆସନ୍ତା ଅକ୍ଟୋବର ମାସ ୧୧ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ଛୁଟି ରହୁଥିବାରୁ ବଦଳି ପ୍ରତିବାଦକୁ ଏବେ ସାମୟିକ ଭାବେ ବନ୍ଦ ରଖିବା ପାଇଁ ସେ ଅନୁରୋଧ କରିଥିଲେ। ପରେ ଆଲୋଚନା କରି ଘଟଣାର ସମାଧାନ ପନ୍ଥା ବାହାର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଛାତ୍ରଛାତ୍ରୀ ଧାରଣାରୁ ଓହରିଥିଲେ।
Follow Us