ତାଳଚେର: ଏମ୍ସିଏଲ୍ର ତାଳଚେର ହିଙ୍ଗୁଳା ଖୋଲାମୁହଁ କୋଇଲା ଖଣିରେ ଆଜି ଭୋରରେ ମାଟି ଅତଡ଼ା ଧସିଛି। ସେହି ସମୟରେ ଖଣିରେ କୌଣସି ଶ୍ରମିକ କାମ କରୁ ନଥିବାରୁ ଅଘଟଣ ଟଳିଯାଇଛି। ମାତ୍ର ପାଖରେ ଥିବା କମ୍ପାନି କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ। ସୂଚନା ମୁତାବକ, ହିଙ୍ଗୁଳା କୋଇଲା ଖଣିରେ ଏକ ଠିକାସଂସ୍ଥା ଅଜନ୍ତା କମ୍ପାନି କୋଇଲା ଖୋଳିବା ଓ ପରିବହନ କାର୍ଯ୍ୟ କରୁଛି। ସଂପୃକ୍ତ କମ୍ପାନି ଏହି ଖଣି ଭିତରେ ଏକ କାର୍ଯ୍ୟାଳୟ ଓ ଗ୍ୟାରେଜ୍ ନିର୍ମାଣ କରିଛି। ଏହାଠାରୁ ପ୍ରାୟ ୨ ଶହ ମିଟର ଦୂରରେ ମାଟି ଅତଡ଼ା ଧସିଥିଲା। କମ୍ପାନି ଗ୍ୟାରେଜ୍ରେ ମରାମତି ଚାଲିଥିବା କେତୋଟି ଟ୍ରକ୍, କମ୍ପାନିର ଶତାଧିକ ତେଲ ବ୍ୟାରେଲ୍ ଓ ଅନ୍ୟ କିଛି ସାମଗ୍ରୀ ମାଟି ଅତଡ଼ା ସହ ମିଶି ତଳକୁ ଖସିଯାଇଥିଲା।
କମ୍ପାନିର କେତେକ ଶ୍ରମିକ କହିଛନ୍ତି, ଭୋରରେ ହଠତ୍ ଏକ ବଡ଼ ଶବ୍ଦ ହେଲା। କିଛି ସମୟ ପରେ ଖଣି ଭିତରୁ ଧୂଳି ଓ ଧୂଆଁ ଉପରକୁ ଉଠିଥିଲା। କିଛି ଦୂରକୁ ଯାଇ ଦେଖିଲାବେଳକୁ ବିରାଟ ମାଟି ଅତଡ଼ା ଖସି ଯାଇଛି। ସେମାନେ ତୁରନ୍ତ କମ୍ପାନି ଅଧିକାରୀଙ୍କୁ ଏହା ଜଣାଇଥିଲେ ବୋଲି ପ୍ରକାଶ କରିଛନ୍ତି। ଗତବର୍ଷ ମଧ୍ୟ ହିଙ୍ଗୁଳା କୋଇଲା ଖଣିରେ ଏଭଳି ଘଟଣା ଘଟିଥିଲା। ଏ ସଂପର୍କରେ ହିଙ୍ଗୁଳା କୋଇଲା ଖଣି ପ୍ରକଳ୍ପ ଅଧିକାରୀ ସୁନିଲ କୁମାର ଯୋଶୀ କହିଛନ୍ତି, ଖଣିରେ ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ରହିଥିଲା। କିନ୍ତୁ କିପରି ମାଟି ଧସିଲା, ତାହାର ସନ୍ଧାନ ଜାରି ରହିଛି। ଅତଡ଼ା ଧସିବାରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ।
ସୂଚନାଯୋଗ୍ୟ, ୨୦୧୯ ଜୁଲାଇ ୨୩ ରେ ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ଏହିଭଳି ମାଟି ଅତଡ଼ା ଖସିଥିଲା। ସେହି ଦୁର୍ଘଟଣାରେ ୪ ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସମସ୍ତ କୋଇଲା ଖଣିରେ ଶ୍ରମିକମାନଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଖଣି ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଥିଲା। କିଛି ବର୍ଷ ଠିକଠାକ୍ ଚାଲିବା ପରେ ଏବେ ପ୍ରାୟ ସମସ୍ତ କୋଇଲା ଖଣିରେ ସୁରକ୍ଷା ବ୍ୟବସ୍ଥାକୁ ଅବହେଳା କରାଯାଉଛି। ଏଥି ଯୋଗୁଁ ହିଙ୍ଗୁଳା କୋଇଲା ଖଣିରେ ଏଭଳି ଘଟଣା ଘଟିଲା ବୋଲି ଶ୍ରମିକ ନେତାମାନେ ଅଭିଯୋଗ କରିଛନ୍ତି।
Follow Us