Blocking the river's path to the sea will lead to trouble: Sudarshan Das
ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ସମ୍ମିଳନୀର ପ୍ରଥମ ଅଧିବେଶନରେ ଏକ ସ୍ଥାୟୀ ନଦୀ ଅବବାହିକା ପରିଚାଳନାର ଆବଶ୍ୟକତା ଶୀର୍ଷକ ଆଲୋଚନାରେ ମହାନଦୀ ବଚାଓ ଆନ୍ଦୋଳନର ସଂଯୋଜକ ସୁଦର୍ଶନ ଦାସ କହିଲେ, ପାଖାପାଖି ଅଢ଼େଇ ହଜାର ବର୍ଷ ତଳେ ଗ୍ରୀକ୍ ଦାର୍ଶନିକ ନଦୀ ଉପରେ କହିଥିଲେ, ନଦୀ ହେଉଛି ଏକ ପ୍ରବାହ।
୨୦୧୭ ମସିହାରେ ନ୍ୟୁଜିଲାଣ୍ଡର ପାର୍ଲାମେଣ୍ଟ ଦେଶର ଦ୍ବିତୀୟ ବୃହତମ ନଦୀ ସମ୍ପର୍କରେ କହି ସେହି ନଦୀକୁ ବ୍ୟକ୍ତି ବିଶେଷ ଭାବେ ସ୍ବୀକୃତି ଦେଇଥିଲେ। ଏହାର ଅର୍ଥ ନଦୀ ଏକ ଜୀବନ୍ତ ଧାରା। କିନ୍ତୁ ଉପଯୁକ୍ତ ପଦକ୍ଷେପ ଅଭାବରୁ ନଦୀର ସ୍ଥିତି ଗୁରୁତର ହେବାରେ ଲାଗିଛି। ମଧ୍ୟ ଏସିଆରେ ଥିବା ଅରାଲ ହ୍ରଦକୁ ଦୁଇ ନଦୀ ପୋଷଣ କରୁଥିଲେ। ସେହିପରି ଆରାଲ ସମୁଦ୍ରର ସ୍ଥିତି ମଧ୍ୟ ବିଚାର ଯୋଗ୍ୟ ।
ଓଡ଼ିଶାର ୧୧ ନଦୀ ଅବବାହିକାର ସ୍ଥିତି ଗୁରୁତର ହେବାରେ ଲାଗିଛି। ବାହୁଦା ରାଜ୍ୟର ସବୁଠାରୁ ଛୋଟ ନଦୀ ଅବବାହିକା। ଓଡ଼ିଶାର ନଦୀରେ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଉଛି। ନଦୀ ଅବବାହିକାକୁ ଏବେ ଲୋକେ ଜବର ଦଖଲ କରିଛନ୍ତି। ମହାନଦୀର ସ୍ଥିତି ବି ଗୁରୂତର ହେବାରେ ଲାଗିଛି। ମହାନଦୀ ପ୍ରଦୂଷିତ ହେବାରେ ଲାଗିଛି।
ରାଜ୍ୟରେ ଥିବା ବୈତରଣୀ ନଦୀର ସ୍ଥିତି ୧୩ କମ୍ପାନି ଯୋଗୁ ଗୁରୁତର ହେବାରେ ଲାଗିଛି। କିନ୍ତୁ ରାଜ୍ୟରେ ଥିବା ନଦୀର ସ୍ଥିତି ନେଇ ସରକାର ଚୁପ୍ ରହିଛନ୍ତି। ଏନେଇ ଲୋକେ ସଚେତନ ନାହାନ୍ତି। ଶିଳ୍ପ ବିକାଶ ପାଇଁ ନଦୀକୁ ଅଣଦେଖା କରାଯାଉଛି। ନଦୀକୁ ଲଗାତାର ଶୋଷଣ କରାଯାଉଛି।
ନଦୀ ସମୁଦ୍ରରେ ମିଶିବା ଜରୁରୀ। ନଦୀ ସମୁଦ୍ରରେ ନ ମିଶିଲେ ଜୈବ ବିବିଧତା ନଷ୍ଟ ହୋଇଯିବ। ନଦରେ ଅଧିକ ବନ୍ଧବାଡ଼ ଦ୍ବାରା ନଦୀର କ୍ଷତି ହେବା ସହିତ ନଦୀ ସହିତ ସଂଯୋଗ ବନ୍ଦ ହୋଇଯାଇଥାଏ। ଯାହାକି ସମ୍ପ୍ରତି ଚୀନ୍ର ୟୋଲୋ ନଦୀରେ ଦେଖିବାକୁ ମିଳୁଛି। ତେଣୁ ନଦୀ ଏବଂ ସମୁଦ୍ର ବାଟରେ ପ୍ରତିବନ୍ଧକ ସାଜିବା ଉଚିତ୍ ନୁହେଁ। ଏହା ସଙ୍କଟ ସ୍ଥିତି ସୃଷ୍ଟି କରିବ ବୋଲି ସେ କହିଛନ୍ତି।
Follow Us