ଲକଡାଉନ୍ ସମୟରେ ୩୦ କିଲୋମିଟର ଦୂରରୁ ଆସି ଥାଲାସେମିଆ ରୋଗୀକୁ ରକ୍ତଦାନ କଲେ ଯାଜପୁରର ଯୁବକ

Advertisment
ଲକଡାଉନ୍ ସମୟରେ ୩୦ କିଲୋମିଟର ଦୂରରୁ ଆସି ଥାଲାସେମିଆ ରୋଗୀକୁ ରକ୍ତଦାନ କଲେ ଯାଜପୁରର ଯୁବକ

ଯାଜପୁର(ଅନିଲ କୁମାର ପଣ୍ଡା): ଲକଡାଉନ୍ ସମୟରେ ବନ୍ଦ ହୋଇଯାଇଛି ରକ୍ତଦାନ ଶିବିର। ସମ୍ବାଦ ଆମ ଓଡ଼ିଶା ଏବଂ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ଶିବିର ହୋଇପାରୁନଥିବାରୁ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହିଛି। କିନ୍ତୁ ଥାଲାସେମିଆ ରୋଗୀଙ୍କ ଆବଶ୍ୟକତାକୁ ଲକଡାଉନ୍ ପ୍ରତିହତ କରିପାରିନାହିଁ। ରକ୍ତ ଆବଶ୍ୟକତାର ଖବର ପାଇ ଦେବଦୂତ ସା ଜି ୩୦ କିମି ବାଟ ଅତିକ୍ରମ କରି ସ୍ବେଚ୍ଛା‌ସେବୀ ଯୁବକ ଯାଜପୁର ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ପହଞ୍ଚି ବିରଳ ଗ୍ରୁପ୍ ଏବି ପଜିଟିଭ୍ ରକ୍ତ ପ୍ରଦାନ କରିଛନ୍ତି। ଏହାକୁ ବି ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସୂଚନା ଅନୁସାରେ, ଯାଜପୁର ସଦର ଥାନା ଅନ୍ତର୍ଗତ ଭେଲଙ୍ଗ ଗ୍ରାମର କେଶବ ଚନ୍ଦ୍ର ଦାଶ ଓ ଗୀତାଞ୍ଜଳି ଦାଶଙ୍କ ଝିଅ ଶୁଭଶ୍ରୀ(୨୩) ପିଲା ଦିନରୁ ଥାଲାସେମିଆ ରୋଗରେ ଆକ୍ରାନ୍ତ ହୋଇ ରକ୍ତ ପ୍ରତିବଦଳରେ ବଞ୍ଚିଛନ୍ତି। କାରଣ ଏହିରେ ରୋଗରେ ସଠିକ ସମୟରେ ରକ୍ତ ନ ମିଳିଲେ ଜୀବନ ଚାଲି ଯିବାର ଆଶଙ୍କା ମଧ୍ୟ ରହିଛି। ମାସକୁ ଦୁଇଟି ଏବି ପଜିଟିଭ୍ ଗ୍ରୁପର ରକ୍ତ ନେଉଥବା ଶୁଭଶ୍ରୀଙ୍କ ପାଇଁ କରୋନାର ଲକଡାଉନ ସାଜିଥିଲା ପ୍ରତିବନ୍ଧକ। ରକ୍ତ ଭଣ୍ଡାରରେ ବସି ରକ୍ତ ପାଇଁ ନେହୁରା ହୋଇଥିଲେ ମଧ୍ୟ ଶିବିର ଅଭାବରୁ ଉପାୟଶୂନ୍ୟ ରକ୍ତ ଭଣ୍ଡାର କର୍ମଚାରୀ ରକ୍ତ ମହଜୁଦ ନଥିବା କହିବାକୁ ବାଧ୍ୟ ହୋଇଥିଲେ।

ପରିବାର ଲୋକ ଏପରି ଖବର ଶୁଣି ଭାଙ୍ଗି ପଡ଼ିଥିବା ବେଳେ, ଶୁଭଶ୍ରୀ ଭୟଭୀତ ହୋଇପଡ଼ିଥିଲେ। ଜୀବନ ଯୁଦ୍ଧରେ ହାରିଯିବାର ନେଇ ଭୟଭୀତ ଅବସ୍ଥାରେ ଥିବା ବେଳେ ଶୁଭଶ୍ରୀଙ୍କ ପାଇଁ ଦେହଦୂତ ପରି ଉଭା ହୋଇଥିଲେ ବରୀ ଅଞ୍ଚଳର ସମାଜସେବୀ ସତ୍ୟ ରଞ୍ଜନ କର। ଲକଡାଉନର ଯାଞ୍ଚ, ଗାଡ଼ି ଚଳାଚଳର କଟକଣା ମଧ୍ୟରେ ସେ ଖବର ପାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ପହଞ୍ଚି ରୋଗୀକୁ ରକ୍ତ ଦେବାକୁ ରାଜି ହୋଇଥିଲେ। ସଙ୍ଗେସଙ୍ଗେ ସତ୍ୟ ରଞ୍ଜନଙ୍କଠାରୁ ରକ୍ତ ସଂଗ୍ରହ ହୋଇ ରୋଗୀ ଶୁଭଶ୍ରୀ ଦାସଙ୍କୁ ଦାନ କରାଯାଇଥିଲା।

publive-image

ରୋଗୀଙ୍କ ପରିବାର, ଉପସ୍ଥିତ ରକ୍ତ ଭଣ୍ଡାର କର୍ମଚାରୀ ଏପରି ପରିସ୍ଥିତିରେ ରକ୍ତ ଦେଇ ଜୀବନ ବଞ୍ଚାଇଥିବାରୁ ‌ ଶ୍ରୀ କର ହିଁ କରୋନା ଯୁଦ୍ଧର ଅଦୃଶ୍ୟ ଯୋଦ୍ଧା ବୋଲି ସମ୍ବୋଧନ କରିଥିଲେ। ଶ୍ରୀ କର ପୂର୍ବରୁ ବହୁବାର ମଧ୍ୟ ଅତି ଜରୁରୀକାଳୀନ ସ୍ଥିତି ଓ ପ୍ରତିକୂଳ ପରିସ୍ଥିତିରେ ରକ୍ତଦାନ କରି ‌ ବହୁ ମୂଲ୍ୟ ଜୀବନ ପ୍ରତି ସମର୍ପିତ ରହିଛନ୍ତି। କିନ୍ତୁ ଆଜିର ଏହି ରକ୍ତଦାନ ସମୟରେ ଶୁଭଶ୍ରୀଙ୍କ ମା’ ଭାବବିହ୍ବୋଳ ହୋଇ କାନ୍ଦି ପକାଇବା ସହ ଶ୍ରୀକରଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

ସୂଚନା ଯୋଗ୍ୟ ଯେ ଶ୍ରୀ କର ପୂର୍ବରୁ ‘ଖୁସି ମୂହୂର୍ତ୍ତରେ ରକ୍ତଦାନ’ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲା ସମେତ ପଡ଼ୋଶୀ କେନ୍ଦ୍ରାପଡ଼ା ଓ ଭଦ୍ରକ ଅଞ୍ଚଳରେ ଆରମ୍ଭ କରିଛନ୍ତି। ସେ ଲୋକମାନଙ୍କୁ ବୁଝାଇ ସେମାନଙ୍କ ଜନ୍ମଦିନ, ପିଲାଙ୍କ ଜନ୍ମଦିନ, ବାପାମା’ଙ୍କ ଜନ୍ମଦିନ, ବିବାହ ବାର୍ଷିକ ଅବସରରେ ରକ୍ତଦାନ କରିବାକୁ ଅନୁପ୍ରାଞଣିତ କରି ରକ୍ତ ସଂଗ୍ରହ କରାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe