ବାଲେଶ୍ୱରରେ ରକ୍ତର ଅଭାବ ଦୂର ପାଇଁ ପ୍ରୟାସ, ୪୮ୟୁନିଟ ରକ୍ତ ଦେଲେ କ୍ଲବ ଓ ନର୍ସିଂହୋମ କର୍ମକର୍ତ୍ତା

Advertisment
ବାଲେଶ୍ୱରରେ ରକ୍ତର ଅଭାବ ଦୂର ପାଇଁ ପ୍ରୟାସ, ୪୮ୟୁନିଟ ରକ୍ତ ଦେଲେ କ୍ଲବ ଓ ନର୍ସିଂହୋମ କର୍ମକର୍ତ୍ତା

ବାଲେଶ୍ବର/ଔପଦା: ବିଶ୍ବ ମହାମାରୀ ‘କରୋନା’ ପାଇଁ ଚାଲିଥିବା ଦେଶବ୍ୟାପୀ ଲକଡାଉନ ଓ ସେଥିଲାଗି ବାଲେଶ୍ୱର ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତର ଅଭାବ ଦୂର କରିବା ପାଇଁ ସ୍ବେଚ୍ଛାକୃତ ରକ୍ତଦାତା ଓ ଅନୁଷ୍ଠାନଗୁଡ଼ିକୁ ଆହ୍ୱାନ ଦିଆଯାଇଥିଲା। ଏଥିପାଇଁ ଜିଲ୍ଲାର ବିଭିନ୍ନ ଯୁବକ ସଂଘ, ଅନୁଷ୍ଠାନ ଓ ସ୍ବେଚ୍ଛାକୃତ ରକ୍ତଦାତାଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଗୁରୁବାର ଔପଦା ବ୍ଲକ୍‌ ସନ୍ତରାଗଡ଼ିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ନୂତନ) ପରିସରରେ ସ୍ଥାନୀୟ ପାରାଡ଼ାଇଜ କ୍ଲବ, ବାଲେଶ୍ବର ଚଣ୍ଡୀ ନର୍ସିଂହୋମ ଓ ସମ୍ବାଦ-ଆମ ଓଡ଼ିଶାର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଶୁଭେନ୍ଦୁଶେଖର ଜେନା ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବାବେଳେ ଅନ୍ୟତମ ଅତିଥିଭାବେ ସନ୍ତରାଗଡ଼ିଆ ପିଏଚସି ଅଧିକାରୀ ଡା. ଦେବୀପ୍ରସନ୍ନ ପଣ୍ଡା, ସମ୍ମାନିତ ଅତିଥି ବାଲେଶ୍ବର ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡା. ମହେଶ କୁମାର ବିଶ୍ବାଳ, ଡା. ଈଶ୍ୱର କୁମାର ପ୍ରଧାନ, ବିଜେପି ନେତା ଦୀପକରଞ୍ଜନ ଦାସ , ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିଜେଡି ସଭାପତି କପିଳ ସାମଲ ଓ ନର୍ସିଂହୋମ୍‌ର ସତ୍ତ୍ବାଧିକାରୀ ଆଶିଷ କୁମାର ପାଣି ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଡା. ବିଶ୍ୱାଳ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବାବେଳେ ଟେକ୍ନିସିଆନ ସାୟାଦ ଦିଲଦାର, ଅଜୟ କୁମାର ମହାପାତ୍ର ଓ ବିଦ୍ୟାଧର ସାହୁ ପ୍ରମୁଖ ରକ୍ତସଂଗ୍ରହ କରିଥିଲେ। ରାଜୀବ ପାଣିଗ୍ରାହୀ, ଦିପୁ ସ୍ୱାଇଁ, ବାବୁ ସାହୁ, ବିଜୟ ପ୍ରଧାନ, ମନୋଜ ରାଉତ, ଚିଙ୍କୁ ଚନ୍ଦନ ଦାସ, ଲକ୍ଷ୍ମୀଧର ବାରିକଙ୍କ ସହ ପାରାଡ଼ାଇଜ କ୍ଲବର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ଅଞ୍ଚଳର ଅଂକୁର ଚରଣ ପଣ୍ଡା, ବେଣୁଧର ସାମଲ, ମିନରଭା ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶିବିରରୁ ୪୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଶେଷରେ ରକ୍ତଭଣ୍ଡାର ଅଧିକାରୀ ଡା. ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ରକ୍ତର ଅଭାବ, ଏହାର ଆବଶ୍ୟକତା ଓ ରକ୍ତଦାନର ଉପକାରିତା ସମ୍ପର୍କରେ ଅଞ୍ଚଳବାସୀଙ୍କୁ ସଚେତନ କରିବା ପାଇଁ କ୍ଲବର କର୍ମକର୍ତ୍ତା, ସ୍ଥାନୀୟ ନେତା ଓ ସଚେତନ ନାଗରିକମାନଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe