ଦଶହରା,କୁମାର ପୂର୍ଣ୍ଣମୀ ପାଇଁ ପୁଲିସର ବ୍ଲୁ-ପ୍ରିଣ୍ଟ୍‌, ବଟି ମାଗିଲେ ମିଳିବ ଲାଠି

Advertisment
ଦଶହରା,କୁମାର ପୂର୍ଣ୍ଣମୀ ପାଇଁ ପୁଲିସର ବ୍ଲୁ-ପ୍ରିଣ୍ଟ୍‌, ବଟି ମାଗିଲେ ମିଳିବ ଲାଠି

ବ୍ରହ୍ମପୁର: ଆଜିଠାରୁ ଆରମ୍ଭ ହୋଇଛି ଦଶହରା ପୂଜା। କିନ୍ତୁ ଚଳିତ ବର୍ଷ କରୋନା ଯୋଗୁଁ ଶାରଦୀୟ ପୂଜା ମାହୋଲ ପୁରା ଫିକା ପଡ଼ି ଯାଇଛି। ଚଳିତ ବର୍ଷ ବ୍ରହ୍ମପୁର ସହରରେ ମେଢ଼ ପୂଜା ବନ୍ଦ ରହିଥିବା ବେଳେ କେବଳ ମନ୍ଦିର ଓ ପୀଠରେ ମା’ଙ୍କ ଆରାଧନା କରାଯାଉଛି। ସେପଟେ ପୁଲିସ ତରଫରୁ ଶାନ୍ତି ଶୃଙ୍ଖଳାରେ ପୂଜା ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦଶହରା ପୂଜା ଓ କୁମାର ପୂର୍ଣ୍ଣମୀକୁ କିପରି ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ ସେ ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି।

ଦଶହରା ସମୟରେ ମାମୁଲି ଓ ଚାନ୍ଦା ନାଁରେ ବଟି ମାଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍.ପି. କହିଛନ୍ତି। ସେ ‌ଅନୁସାରେ ସଜାଗ ରହିବା ସହିତ ଭାଇଗିରି ଦେଖାଉଥିବା ଦୁର୍ବୃତ୍ତଙ୍କୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ଏସ୍‌.ପି. ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂଜା ସମୟରେ ଯେପରି ଜୁଆଖେଳ ଓ ବେଆଇନ ମଦ କାରବାର ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପେସାଦାର ଅପରାଧୀ, ଅସାମାଜିକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ସିଆର୍‌ପିସି ଧାରା ୧୧୦ରେ ଲଗାଇବାକୁ କୁହାଯାଇଛି। ପୂଜା ସମୟରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା, ପୂଜା ସମୟରେ ପାଟ୍ରୋଲିଂ କଡ଼ାକଡ଼ି କରି ରୋଡ଼ ରୋମିଓ ଓ ଅସାମାଜିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଜିଲ୍ଲା ପ୍ରଶାସନର ଅନୁମତି ବିନା ଯେପରି ପୂଜା ମଣ୍ଡପ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଏସ୍‌ଡିପିଓମାନଙ୍କୁ ଏସ୍‌.ପି. ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଏଏସ୍‌ପି ପ୍ରଭାତ ଚନ୍ଦ୍ର ରାଉତରାୟ, ଏଏସ୍‌ପି ପ୍ରଶାନ୍ତ ମିଶ୍ରଙ୍କ ସମେତ ସମସ୍ତ ଏସ୍‌ଡିପିଓ, ଥାନା ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe