ପ୍ରଶାସକଙ୍କ କବଜାରେ ରହିବ ବିଏମ୍‌ସି/ସିଏମ୍‌ସି

Advertisment

କଟକରେ ଜିଲ୍ଲାପାଳ ହୋଇପାରନ୍ତି ପ୍ରଶାସକ, ୮୮ ପୌର ସଂସ୍ଥାରେ ପ୍ରଶାସକ ନିଯୁକ୍ତି ସରିଲାଣି

କଟକରେ ଜିଲ୍ଲାପାଳ ହୋଇପାରନ୍ତି ପ୍ରଶାସକ, ୮୮ ପୌର ସଂସ୍ଥାରେ ପ୍ରଶାସକ ନିଯୁକ୍ତି ସରିଲାଣି

ପ୍ରଶାସକଙ୍କ କବଜାରେ ରହିବ ବିଏମ୍‌ସି/ସିଏମ୍‌ସି

ଭୁବନେଶ୍ବର : ୨୦୧୯ର ପ୍ରଥମ ଦୁଇ ମାସରେ ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ ମୁରବୀ ଶୂନ୍ୟ ହେବାକୁ ଯାଉଛି। ଜାନୁଆରି ୧୬ରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଏବଂ ଫେବ୍ରୁଆରି ୧୩ରେ କଟକ ମହାନଗର ନିଗମ(ସିଏମ୍‌ସି)ର ନିର୍ବାଚିତ କାଉନ୍‌ସିଲ୍‌ର କାର୍ଯ୍ୟକାଳ ସରିବ। ଦୁଇଟି ଯାକ ନିଗମରେ ନିର୍ବାଚନ ହେବାର ସମ୍ଭାବନା ନ ଥିବାରୁ ପ୍ରଶାସକ ନିଯୁକ୍ତି ହେବା ଏକପ୍ରକାର ଥୟ। ରାଜ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଏହି ଦୁଇ ମହାନଗର ନିଗମର ଗୁରୁତ୍ବ ରହୁଥିବାରୁ ଏଠାରେ ପ୍ରଶାସକ ଭାବେ କିଏ ନିଯୁକ୍ତି ପାଇବେ, ତାହା ପାୱାର୍ କରିଡର୍‌ରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି।

ବିଏମ୍‌ସି କାଉନ୍‌ସିଲ୍‌ କାର୍ଯ୍ୟକାଳ ସରିବାକୁ ଆଉ କିଛି ଦିନ ଥିଲା ବେଳେ କମିସନର୍ କ୍ରିଷନ୍ କୁମାରଙ୍କ ହଠାତ୍ ବଦଳି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ରେକର୍ଡ ସମୟ( ୪ ବର୍ଷ ୧୦ ମାସ) ପାଇଁ କମିସନର୍ ଥିବା କ୍ରିଷନ୍ କୁମାରଙ୍କୁ ସରକାର କାହିଁକି ବଦଳି କଲେ, ତାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି। ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ତୃତୀୟ ମହଲା ସହ ବେଶ୍ ନିବିଡ଼ ସମ୍ପର୍କ। ‌େତଣୁ ତାଙ୍କୁ କୌଣସି ଏକ ଗୁରୁ ଦାୟିତ୍ବ ଦେବାକୁ ବଦଳି କରାଯାଇଥିବା କୁହାଯାଉଛି। ଗୋଟିଏ ମହଲ‌ର ଚର୍ଚ୍ଚା ଅନୁଯାୟୀ କ୍ରିଷନ୍ କୁମାର ତିନି ବର୍ଷରୁ ଅଧିକ ସମୟ ଏଠାରେ ଥିବାରୁ ସାଧାରଣ ନିର୍ବାଚନ ବେଳେ ନିର୍ବାଚନ କମିସନର୍‌ ନିଶ୍ଚିତ ସେଠାରୁ ତାଙ୍କୁ ହଟାଇବା ପାଇଁ ସୁପାରିସ୍ କରିଥା’ନ୍ତେ। ତେଣୁ ତାହା ପୂର୍ବରୁ ସରକାର ତାଙ୍କୁ ସେଠାରୁ ନେଇଗଲେ। ଆଉ ଗୋଟିଏ ମହଲରେ କୁହାଯାଉଛି, ତାଙ୍କୁ ବିଏମ୍‌ସି ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇପାରେ। ସେଥିପାଇଁ ତାଙ୍କଠାରୁ ଯଥେଷ୍ଟ ଜୁନିୟର୍ ଜଣେ ଅଫିସର୍‌ଙ୍କୁ ବିଏମ୍‌ସି କମିସନର୍ ଭାବେ ନିଯୁକ୍ତି ଦିଆଯାଇଛି।

ବିଏମ୍‌ସିର ଅତିରିକ୍ତ କମିସନର୍ ଶୁଭମ୍ ସାକ୍‌ସେନାଙ୍କୁ ବିଏମ୍‌ସି କମିସନର୍ ଭାବେ ନିଯୁକ୍ତି ଦିଆଯିବା ଆଉ ଏକ ଚର୍ଚ୍ଚିତ ପ୍ରସଙ୍ଗ। ୨୦୧୩ ବ୍ୟାଚ୍‌ର ଏହି ଅଫିସର୍‌ଙ୍କୁ ଏତେ ବଡ଼ ପଦବି ଦିଆଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମିତି ବି ଅତିରିକ୍ତ କମିସନର୍ ଭାବେ ତାଙ୍କ କାର୍ଯ୍ୟ ଆଖିଦୃଶିଆ ନ ଥିଲା। ୨୦୧୩ ବ୍ୟାଚ୍‌ର କୌଣସି ଅଫିସର୍‌ଙ୍କୁ ଏପରି ପଦବି ଏ ଯାଏ ଦିଆଯାଇ ନାହିଁ।

କଟକ ଜିଲ୍ଲାପାଳ ଭାବେ ଚଳିତ ବର୍ଷ ନିଯୁକ୍ତି ପାଇଛନ୍ତି ଅରବିନ୍ଦ ଅଗ୍ରୱାଲ। ନିର୍ବାଚନ ପୂର୍ବରୁ ତାଙ୍କୁ କଟକ ପରି ସମ୍ବେଦନଶୀଳ ଜିଲ୍ଲାରେ ଜିଲ୍ଲାପାଳ କରାଯିବା ଘଟଣା ସରକାରଙ୍କ ଯୋଜନାବଦ୍ଧା ପ୍ରସ୍ତୁତି ବୋଲି କୁହାଯାଉଛି। ଫେବ୍ରୁଆରିରେ ସିଏମ୍‌ସି କାର୍ଯ୍ୟକାଳ ସରୁଥିବାରୁ ସେଠାରେ ତାଙ୍କୁ ହିଁ ପ୍ରଶାସକ ଭାବେ ନିଯୁକ୍ତି ଦିଆଯିବ ବୋଲି ଅନୁମାନ କରାଯାଉଛି। ଯଦିଓ ୨୦୧୪ରେ କେନ୍ଦ୍ରାଞ୍ଚଳ ଆର୍‌ଡିସି ସିଏମ୍‌ସି ପ୍ରଶାସକ ନିଯୁକ୍ତି ପାଇଥିଲେ, କିନ୍ତୁ ୨୦୧୯ରେ ଜିଲ୍ଲାପାଳ ହିଁ ପ୍ରଶାସକ ଭାବେ ସିଏମ୍‌ସି ଡୋରି ଧରିବେ। ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମର ପ୍ରଶାସକ ଭାବେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି।

ରାଜ୍ୟରେ ଶାସକ ଦଳ ପାଇଁ ଉଭୟ ଭୁବନେଶ୍ବର ଓ କଟକ ମହାନଗର ନିଗମ ଦଖଲରେ ରଖିବା ସମ୍ମାନର କଥା। ଉଭୟ ନିଗମକୁ ଗତ ୧୦ ବର୍ଷ ହେଲା ବିଜେଡି ଏକଚାଟିଆ ଦଖଲରେ ରଖିଛି। ତେଣୁ ବିଜୟ ଧାରା ବଜାୟ ରଖିବାକୁ ଯୋଜନା ଚାଲିଛି। ସେଥି ପାଇଁ ପସନ୍ଦର ଅଫିସର୍‌ଙ୍କୁ ଉଭୟ ସ୍ଥାନରେ ପ୍ରଶାସକ ନିଯୁକ୍ତି ଦିଆଯିବା ସ୍ବାଭାବିକ କଥା ବୋଲି ରାଜନୈତିକ ମହଲ‌େର ଆଲୋଚନା ଚାଲିଛି।

ଆଇନଗତ ଜାଲରେ ଛନ୍ଦି ହୋଇ ସାରା ରାଜ୍ୟରେ ପୌର ନିର୍ବାଚନ ହୋଇପାରୁ ନାହିଁ। ସଂରକ୍ଷଣ ନେଇ ସୁପ୍ରିମକୋର୍ଟରେ ଏବେ ମାମଲା ଚାଲୁ ରହିଛି। ସମ୍ଭବତଃ ମାର୍ଚ୍ଚ ମାସରୁ ସାଧାରଣ ନିର୍ବା‌ଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇପାରେ। ଏପ୍ରିଲ୍ ଓ ମେ’ରେ ସାଧାରଣ ନିର୍ବାଚନ। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ ପାଇଁ କୌଣସି ରାଜନୈତିକ ଦଳ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ସୁପ୍ରିମକୋର୍ଟରେ ମାମଲା ସମସ୍ତଙ୍କୁ ବାହାନାର ଖୋରାକ ଯୋଗାଇଛି।

ନିର୍ବାଚନ ହେଉ ନ ଥିବାରୁ ଗତ ସେପ୍ଟମ୍ବର ମାସରୁ ବିଭିନ୍ନ ପୌରସଂସ୍ଥାରେ ପ୍ରଶାସକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏବେ ସୁଦ୍ଧା ୮୮ଟି ପୌରସଂସ୍ଥାରେ ପ୍ରଶାସକ ନିଯୁକ୍ତି ହୋଇସାରିଲେଣି। ଏହି କ୍ରମରେ ବିଏମ୍‌ସି ଓ ସିଏମ୍‌ସିରେ ପ୍ରଶାସକ ନିଯୁକ୍ତି ହେବେ। ନିକଟ ଭବିଷ୍ୟତରେ ନିର୍ବାଚନ ନ ଥିବାରୁ ଲମ୍ବା ସମୟ ଧରି ପ୍ରଶାସକଙ୍କ ହାତରେ ରାଜ୍ୟର ଦୁଇ ଗୁରୁତ୍ବପୂଣ୍ଣ ମହାନଗର ନିଗମର ଡୋରି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe