ନାରାୟଣଙ୍କୁ ମନେଇବାକୁ ନିରଞ୍ଜନଙ୍କ ପ୍ରୟାସ: ଦୁଇଥର କଲେଣି ବୈଠକ

ଭୁବନେଶ୍ଵରରେ ଆଲୋଚନା କରି ସମାସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି!

ନାରାୟଣଙ୍କୁ ମନେଇବାକୁ ନିରଞ୍ଜନଙ୍କ ପ୍ରୟାସ: ଦୁଇଥର କଲେଣି ବୈଠକ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଟିକଟ ହାତେଇବା ପାଇଁ ବିଧାୟକ ପଦ୍ମନାଭ ବେହେରା ଓ ଯୁବ ବିଜେଡ଼ି ସଭାପତି ତଥା ବୀରମହରାଜପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ମଧ୍ୟରେ ଟଣା ଓଟରା ଲାଗିଥିଲା। ଶେଷରେ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁରୁ ଲଗାତର ତିନି ଥର ବିଧାୟକ ନିର୍ବାଚିତ ହୋଇଥିବା ବିଧାୟକ ପଦ୍ମନାଭ ବେହେରାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କୁ ଦଳୀୟ ଟିକେଟ୍‌ ପ୍ରଦାନ କରିଥିଲେ।

ପଦ୍ମନାଭ ବେହେରାଙ୍କୁ ଦଳୀୟ ଟିକଟ୍ ଦେବାପରେ ନାରାୟଣ ଲୁହାଙ୍କ ସମର୍ଥକମାନେ ବୀରମହାରାଜପୁର ସାମ୍ବାଦିକ ଭବନରେ ସାମ୍ବାଦିକ ସମ୍ମିଳନୀକରି ପ୍ରାୟ ୫୨ ଜଣ ବିଭିନ୍ନ ପଦାଧିକାରୀ ଓ ନିର୍ବାଚିତ ପ୍ରତିନିଧିମାନେ ବିଜେଡ଼ିରୁ ଇସ୍ତଫା ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ। ନାରାୟଣଙ୍କ ସମର୍ଥକ ପଦ୍ମନାଭ ବେହେରାଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ବିଦେଶୀ ହଟାଓ ବୀରମହାରାଜପୁର ବଞ୍ଚାଅ ନାରା ଦେଇଥିଲେ। ବିଜେଡ଼ିର ପ୍ରଚାର କାର୍ଯ୍ୟ।ଳୟ ସମ୍ମୁଖରେ ପଦ୍ମନାଭ ବେହେରା ଗୋଷ୍ଠୀ ଓ ନାରାୟଣଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଶେଷରେ ପୁଲିସ୍ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଏହାର ତିନିଦିନ ପରେ ସୋନପୁର ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୂଝାରୀ ଓ ଜିଲ୍ଲା ସଭାପତି ସରୋଜ କୁମାର କମ୍ଫ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଅଶୋକ କୁମାର ନନ୍ଦ ଓ ଅନ୍ୟାନ୍ୟ କର୍ମକର୍ତ୍ତା ନାରାୟଣଙ୍କ ସମର୍ଥକ ସହିତ ଏକ ଘରୋଇ କଲ୍ୟାଣ ମଣ୍ଡପରେ ଆଲୋଚନା କରିଥିଲେ।

ବିଶ୍ଵସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀ ନିରଞ୍ଜନ ପୂଝାରୀ ନାରାୟଣଙ୍କୁ ତୁମମାନଙ୍କ ଇସ୍ତଫା ଗ୍ରହଣ ହୋଇନାହିଁ। ତୁମେ ବିଜେଡ଼ି ଦଳ ପାଇଁ କାର୍ଯ୍ୟ କର ବୋଲି ବୁଝାଇଥିଲେ। କିନ୍ତୁ ନାରାୟଣଙ୍କ ଗୋଷ୍ଠୀ ତରଫରୁ କିଛି ସର୍ତ୍ତ ରଖା ଯାଇଥିଲା। ଏହା ପର ଦିନ ନିରଞ୍ଜନ ପୁଜାରୀ ନାରାୟଣଙ୍କ କିଛି ସମର୍ଥକଙ୍କୁ ରାମପୁର ଡାକି ଆଲୋଚନା କରିଥିଲେ। ସେଠାରେ ମଧ୍ୟ ସମାସ୍ୟାର ସମାଧାନ ହୋଇନଥିବା କୁହାଯାଇଛି। ପୁଣି ଭୁବନେଶ୍ୱରରେ ଆଲୋଚନା ହୋଇ ସମାସ୍ୟାର ସମାଧାନ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।

ସେପଟେ ନାରାୟଣ ଲୁହା ସାମାଜିକ ଗଣମାଧ୍ୟମରେ ମୋ ବିଷୟରେ ଅନେକ ଗୁଜବ ହେଉଛି। ଏହାକୁ କେହି ବିଶ୍ବାସ କରନ୍ତୁ ନାହିଁ ବୋଲି କହିଛନ୍ତି। ବୀରମହାରାଜପୁରର ବିକାଶ ଓ ଉର୍ଣ୍ଣତି ପାଇଁ ସମସ୍ତଙ୍କ ସହିତ ଆଲୋଚନା ପରେ ପଦକ୍ଷେପ ଗ୍ରହଣ କରିବି। ଦରକାର ପଡ଼ିଲେ ବୀରମହାରାଜପୁର ବିକାଶ ପାଇଁ ମୁଁ ମୋ ଜୀବନ ଉତ୍ସର୍ଗ କରିବି ବୋଲି ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି। ସେପଟେ ନାରାୟଣଙ୍କ ସମର୍ଥକ ଦ୍ବନ୍ଦରେ ଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe