ସିବିଏସଇର ବଡ଼ ନିଷ୍ପତ୍ତି : ପ୍ରଥମରୁ ୮ମ ସବୁ ପାସ୍‌

Advertisment

ବାତିଲ ହୋଇଥିବା ୨୯ ବିଷୟର ପରୀକ୍ଷା ହେବ, ଦେଶ ବାହାରେ ଆଉ ହେବନି ଦଶମ ଓ ଦ୍ୱାଦଶ ପରୀକ୍ଷା, ପରୀକ୍ଷାର ୧୦ ଦିନ ପୂର୍ବରୁ ଘୋଷଣା ହେବ ତାରିଖ

ବାତିଲ ହୋଇଥିବା ୨୯ ବିଷୟର ପରୀକ୍ଷା ହେବ, ଦେଶ ବାହାରେ ଆଉ ହେବନି ଦଶମ ଓ ଦ୍ୱାଦଶ ପରୀକ୍ଷା, ପରୀକ୍ଷାର ୧୦ ଦିନ ପୂର୍ବରୁ ଘୋଷଣା ହେବ ତାରିଖ

ନିଷ୍ପତ୍ତି ବଦଳାଇଲା ସିବିଏସ୍‌ଇ : ସାଢ଼େ ୩ ମାସ ଚାଲିବ ପ୍ରାକ୍ଟିକାଲ ପରୀକ୍ଷା

DNA India

ଭୁବନେଶ୍ବର : ସିବିଏସ୍ଇ ଅଧୀନରେ ଥିବା ବିଦ୍ୟାଳୟଳଗୁଡ଼ିକର ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରୀ ବିନା ପରୀକ୍ଷାରେ ପାସ୍ କରିବେ। ଏନ୍‌ସିଇଆରଟିର ପରମର୍ଶ ଅନୁଯାୟୀ ଏହି ୮ଟି ଶ୍ରେଣୀର ଛାତ୍ରଛାତ୍ରୀ ପରୀକ୍ଷା ଦେଇନ ଥିଲେ ମଧ୍ୟ ଉପର ଶ୍ରେଣୀକୁ ଉନ୍ନୀତ ହେବେ।

ତେବେ ସିବିଏସ୍ଇ ଦୃଷ୍ଟିକୁ ଆସିଛି‌ ଯେ କେତେକ ବିଦ୍ୟାଳୟର ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଓ ମୂଲ୍ୟାୟନ ସରିଛି। ଆଉ କିଛି ସ୍କୁଲ ଯେପରିକି କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ରାଜ୍ୟ ସରକାରୀ ସ୍କୁଲ, ଘରୋଇ ସ୍କୁଲ୍ ଓ ଦେଶ ବାହାରେ ଥିବା କିଛି ବିଦ୍ୟାଳୟରେ ଉପରୋକ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହୋଇପାରିନି। ଏଭଳି ସ୍ଥିତିରେ ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କ ପ୍ରୋଜେକ୍ଟ ୱାର୍କ, ପିରିଅଡିକ୍ ଟେଷ୍ଟ, ଟର୍ମ ପରୀକ୍ଷା ଆଧାରରେ ପିଲାଙ୍କୁ ପରବର୍ତ୍ତୀ ‌ଶ୍ରେଣୀକୁ ଉନ୍ନୀତ କରିପାରିବେ। ଦଶମ ଓ ଦ୍ବାଦଶ ଶ୍ରେଣୀରେ ବାତିଲ ହୋଇଥିବା ବିଷୟ ଗୁଡ଼ିକର ପରୀକ୍ଷା ପୁଣି ଥରେ ଅନୁଷ୍ଠିତ ହେବ। ଏଥିପାଇଁ ନୂଆ ତାରିଖ ଘୋଷଣା କରାଯିବ। ଏନେଇ ପରୀକ୍ଷାର ୧୦ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ।

ମିଳିଥିବା ସୂଚନା ଅନୁଯାୟୀ କରୋନା ଆତଙ୍କ ଯୋଗୁଁ ସିବିଏସଇର ୮ ଦିନ ପରୀକ୍ଷା ବାତିଲ ହୋଇଥିଲା। ଏଥିସହ ଉତ୍ତର ପୂର୍ବ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ୪ ଦିନର ପରୀକ୍ଷା ବାତିଲ କରାଯାଇଥିଲା। କିଛି ଛାତ୍ରଛାତ୍ରୀ ୬ ଦିନର ପରୀକ୍ଷା ଦେଇପାରି ନଥିଲେ। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସଇ ନି‌ଷ୍ପତ୍ତି ନେଇଛି ଯେ, ଦଶମ ଓ ଦ୍ବାଦଶ ଶ୍ରେଣୀର ବାତିଲ ହୋଇଥିବା ବିଷୟଗୁଡ଼ିକ ମଧ୍ୟରୁ ପ୍ରମୁଖ କିଛି ବିଷୟର ପରୀକ୍ଷା କରିବ। ଅନ୍ୟ ବିଷୟର ପରୀକ୍ଷା ହେବ ନାହିଁ। ଦଶମ ଓ ଦ୍ବାଦଶ ଶ୍ରେଣୀର ୨୯ ଟି ବିଷୟରେ ପରୀକ୍ଷା କରାଯିବ। ଦଶମ ଶ୍ରେଣୀ ଲାଗି ଉତ୍ତର ପୂର୍ବ ଦିଲ୍ଲୀରେ ୬ଟି ବିଷୟର ପରୀକ୍ଷା ହେବାକୁ ଥିବା ବେଳେ ଦ୍ବାଦଶ ଶ୍ରେଣୀ ଲାଗି ସାରା ଦେଶରେ ୧୨ଟି ଓ ଉତ୍ତର ପୂର୍ବ ଦିଲ୍ଲୀରେ ୧୧ଟି ବିଷୟରେ ପରୀକ୍ଷା କରାଯିବ।

ଭାରତ ବାହାରେ ୨୫ଟି ଦେଶରେ ସିବିଏସ୍ଇ ସ୍କୁଲ୍ ରହିଛି, ଯେଉଁଠାରେ ଏବ‌େ କରୋନା ଯୋଗୁଁ ଲକ୍‌ଡାଉନ୍ ହୋଇଛି। ତେଣୁ ଉକ୍ତ ଦେଶଗୁଡ଼ିକରେ ପରୀକ୍ଷା କରିବା ସିବିଏସ୍ଇ ପକ୍ଷେ ସମ୍ଭବପର ନୁହଁ। ଏଥିସହ ବର୍ତମାନ ସମୟରେ ଏଠାରୁ ଉତ୍ତର ଖାତାଗୁଡ଼ିକ ଭାରତକୁ ଅଣାଯାଇ ପାରିବ ନାହିଁ। ତେ‌ଣୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ବାକି ଥିବା ଦଶମ ଓ ଦ୍ବାଦଶ ଶ୍ରେଣୀର ବିଭିନ୍ନ ବିଷୟର ପରୀକ୍ଷା କରାଯିବ ନାହିଁ। କେଉଁ ଆଧାରରେ ସେଠାକାର ପିଲାମାନଙ୍କୁ ପାସ୍ କରାଯିବ ସେନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ।

ବର୍ତମାନ ପରିସ୍ଥିତିରେ ସିବିଏସ୍ଇ ପକ୍ଷରୁ ଉତ୍ତର ଖାତା ମୂଲ୍ୟାୟନ କରିବା ସମ୍ଭବ ହେଉନାହିଁ। ମୂଲ୍ୟାୟନ ତାରିଖ କେବେ ଘୋଷଣା କରାଯିବ ସେନେଇ ମୂଲ୍ୟାୟନ କେନ୍ଦ୍ରର ଚିଫ୍ ନୋଡାଲ୍ ସୁପରଭାଇଜର୍, ମୁଖ୍ୟ ମୂଲ୍ୟାୟନକାରୀ, ମୂଲ୍ୟାୟନକାରୀ ଓ ସଂଯୋଜକମାନଙ୍କୁ ଅବଗତ କରାଯିବ। ଏଥିସହ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଥିବା ବିଭିନ୍ନ ମିଥ୍ୟା ଖବରଗୁଡ଼ିକୁ ବିଶ୍ବାସ ନ କରିବାକୁ ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀ ଅଭିଭାବକ ଓ ସ୍କୁଲ୍ କର୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe