The New Indian Express
କଟକ : ସୂଚନା ଅଧିକାର ଆଇନ ଉଲ୍ଲଂଘନ ମାମଲାରେ ତଥ୍ୟ ଲୋଡିଥିବା ବ୍ୟକ୍ତିଙ୍କୁ ୩୦ ଦିନ ଭିତରେ ୨୫ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତିଙ୍କୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ବିରୋଧରେ ଦାୟର ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ବୋର୍ଡ ପକ୍ଷରୁ ଦାୟର ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହିତ ରାଜ୍ୟ ସୂଚନା କମିସନ ଓ ହୃଷୀକେଶ ଷଡ଼ଙ୍ଗୀଙ୍କୁ ନୋଟିସ୍ ଜାରି କରିଛନ୍ତି। ରାଜ୍ୟ ସୂଚନା କମିସନଙ୍କ ଏ ସଂପର୍କିତ ୨୦୨୧, ସେପ୍ଟେମ୍ବର ୨ର ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାେଦଶ ପାଇଁ ବୋର୍ଡ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନକୁ ପରବର୍ତ୍ତୀ ଶୁଣାଣି ସମୟରେ ବିଚାରକୁ ନିଆଯିବ ବୋଲି ହାଇକୋର୍ଟ କହିଛନ୍ତି।
ସୂଚନା ଅଧିକାର ଆଇନ ବଳରେ ୨୦୧୭ରେ ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସମସ୍ତ ଉତ୍ତରଖାତାର ଜେରକ୍ସ କପି ଲୋଡି ଆବେଦନ ଦାଖଲ କରାଯାଇଥିଲା। ଛାତ୍ରୀଙ୍କ ବାପା ହୃଷୀକେଶ ଷଡ଼ଙ୍ଗୀ ୨୦୧୭, ମେ ୧୦ରେ ଏ ନେଇ ବୋର୍ଡ ନିକଟରେ ଦରଖାସ୍ତ ଦାଖଲ କରିଥିଲେ। ଏହି ସୂଚନା ତାଙ୍କୁ ପ୍ରଦାନ କରା ନ ଯିବାରୁ ଶ୍ରୀ ଷଡ଼ଙ୍ଗୀ ଆଇନ ଅନୁସାରେ ଅଭିଯୋଗ ଦାଖଲ କରିଥିଲେ। ତେବେ, ମାମଲାର ଶୁଣାଣି ସମୟରେ ବୋର୍ଡ ପକ୍ଷରୁ ଦର୍ଶାଯାଇଥିଲା ଯେ ସୂଚନା ଅଧିକାର ଆଇନ ବଳରେ ଦାଖଲ ଏହି ଦରଖାସ୍ତ ଗ୍ରହଣୀୟ ନୁହେଁ।
ବୋର୍ଡର ଏପରି ଯୁକ୍ତିକୁ ଅଗ୍ରାହ୍ୟକରି ରାଜ୍ୟ ସୂଚନା କମିସନ ରାୟ ଦେଇଥିଲେ। ବୋର୍ଡ ପିଆଇଓ ଓ ସଭାପତି ସୂଚନା ଅଧିକାର ଆଇନ ଉଲ୍ଲଂଘନ ପାଇଁ ଦୋଷୀ ବୋଲି ସୂଚନା କମିସନ ରାୟରେ କହିଥିଲେ। ସୂଚନା ପ୍ରଦାନ କ୍ଷେତ୍ରରେ ବିଳମ୍ବ ପାଇଁ ଦରଖାସ୍ତକାରୀ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହୋଇଥିଲେ। ଏଭଳି ସ୍ଥିତିରେ ବୋର୍ଡ ସଭାପତି ଦରଖାସ୍ତକାରୀଙ୍କୁ ୩୦ ଦିନ ଭିତରେ ୨୫ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ। ଏଥିସହିତ ବୋର୍ଡ ପିଆଇଓଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ତଥ୍ୟ ଦରଖାସ୍ତକାରୀଙ୍କୁ ୧୫ ଦିନ ଭିତରେ ପ୍ରଦାନ କରାଯିବ ବୋଲି ସୂଚନା କମିସନ ଗତ ସେପ୍ଟେମ୍ବର ୨ରେ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ବୋର୍ଡ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।
Follow Us