ଚିଲିକା ପାଇଁ ଅନ୍‌ଲାଇନ୍‌ରେ ଡଙ୍ଗା ବୁକିଂ

Advertisment

ଆରମ୍ଭ ହେବ ସ୍ୱତନ୍ତ୍ର ଆପ୍‌, ନକଲି ମୋତି ବିକିଲେ କାର୍ଯ୍ୟାନୁଷ୍ଠାନ

ଆରମ୍ଭ ହେବ ସ୍ୱତନ୍ତ୍ର ଆପ୍‌, ନକଲି ମୋତି ବିକିଲେ କାର୍ଯ୍ୟାନୁଷ୍ଠାନ

ବାଜିଲା କ୍ୟାବିନେଟ୍ ମୋହର: ଆସିବ ନୂଆ ଶିଳ୍ପ ଓ ପର୍ଯ୍ୟଟନ ନୀତି

symbolic image by holidaying.co.in

ପୁରୀ : ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ଏହି ସମୟରେ ପୁରୀ ଜିଲ୍ଲାକୁ ବୁଲି ଆସୁଥିବା ପର୍ଯ୍ୟଟକମାନେ ଯେଭଳି ସକାରାତ୍ମକ ଅନୁଭୂତି ନେଇ ଫେରିବେ, ସେ ଦିଗକୁ ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ସାତପଡ଼ାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଆଜି ସାତପଡ଼ା ପର୍ଯ୍ୟଟନ ସହ ସଂପୃକ୍ତ ଅଧିକାରୀ, କର୍ମଚାରୀ, ଡଙ୍ଗା ମାଲିକ ସଂଘର କର୍ମକର୍ତ୍ତାଙ୍କୁ ଡାକି ବୈଠକ କରାଯାଇଛି। ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ ସହ ଠକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଛି।

ପୁରୀ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏ ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଚିଲିକାରେ ଚାଲୁଥିବା ଡଙ୍ଗାର ପଞ୍ଜିକରଣ, ନବୀକରଣ ଓ ମୋଟର ଯାଞ୍ଚ ଆଦି ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଡଙ୍ଗାରେ ଲାଇଫ୍ ଜ୍ୟାକେଟ୍‌ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟଟକମାନେ ସାତପଡ଼ାରେ ଚିଲିକା ବୁଲିବା ବେଳେ ଯେପରି ଲାଇଫ୍ ଜ୍ୟାକେଟ୍‌ ପରିଧାନ କରିବେ, ସେ ଉପରେ ନଜର ରଖିବାକୁ କୁହାଯାଇଛି। ବୁଲି ଆସୁଥିବା ପର୍ଯ୍ୟଟକମାନେ ଅନ୍‌ଲାଇନ୍‌ରେ ଡଙ୍ଗା ବୁକିଂ ଓ ଦେୟ ପୈଠ କରିବା ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏକ ସ୍ବତନ୍ତ୍ର ମୋବାଇଲ ଆପ୍ ପ୍ରଚଳନ କରିବ। ସଂପୃକ୍ତ ଡଙ୍ଗା ମାଲିକ ଓ ଅଂଶୀଦାରମାନଙ୍କ ମତାମତ ନିଆଯାଇ ମୋବାଇଲ ଆପ୍ ବିକଶିତ କରାଯିବ। ଏହାଦ୍ବାରା ସବୁ ସଂଘକୁ ସମାନ ବୁକିଂ ସୁବିଧା ମିଳିବ ବୋଲି ଜିଲ୍ଲାପାଳ କହିଥିଲେ। ଡଙ୍ଗାରେ ବିଭିନ୍ନ ସ୍ଥାନକୁ ବୁଲିବା ଦର ତାଲିକା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିଭଳି ନକଲି ମୋତି କାରବାର କରୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଆବଶ୍ୟକ ସ୍ଥଳେ ପ୍ରଶାସନ ନିଜ ଆଡୁ ମାମଲା ରୁଜୁ କରିବ ବୋଲି ଜିଲ୍ଲାପାଳ କହିଥିଲେ। ପର୍ଯ୍ୟଟକମାନଙ୍କୁ ଉତ୍ତମ ସେବା ଓ ସୁରକ୍ଷା ଯୋଗାଇ ଦେଲେ ପର୍ଯ୍ୟଟନ ଶିଳ୍ପ ବିକାଶ ହେବ ବୋଲି ସେ କହିଥିଲେ। ବୈଠକରେ ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ଶଶାଙ୍କ ଶେଖର ରଥ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଇତିଶ୍ରୀ ନାୟକ, ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡଙ୍କ ସମେତ ବିଭିନ୍ନ ଡଙ୍ଗା ମାଲିକ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe