କ୍ଷମତାକୁ ଫେରିବାକୁ ବବିଙ୍କ ପ୍ରସ୍ତୁତି

ରାଜ୍ୟ ବିଜେଡିର ମଙ୍ଗୁଆଳ ଥିବା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ପାଇଁ କ୍ଷମତାରୁ ଦୂରେଇ ରହିବା ଅସହ୍ୟ ହେଲାଣି। କ୍ଷମତାକୁ ଫେରିବା ପାଇଁ ଏହାମଧ୍ୟରେ ସେ ଗୋଟି ଚାଳନା ଆରମ୍ଭ କରିଥିବା ବେଳେ ସେପଟେ ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ଇସ୍ତଫା ଚର୍ଚ୍ଚା ଜୋର ଧରିଛି।

କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଲେ ପ୍ରଣବ ପ୍ରକାଶ: ଘରେ ଘରେ ପହଞ୍ଚୁ ନବୀନଙ୍କ ବିକାଶ ବାର୍ତ୍ତା

ଯାଜପୁର: ରାଜ୍ୟ ବିଜେଡିର ମଙ୍ଗୁଆଳ ଥିବା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ପାଇଁ କ୍ଷମତାରୁ ଦୂରେଇ ରହିବା ଅସହ୍ୟ ହେଲାଣି। କ୍ଷମତାକୁ ଫେରିବା ପାଇଁ ଏହାମଧ୍ୟରେ ସେ ଗୋଟି ଚାଳନା ଆରମ୍ଭ କରିଥିବା ବେଳେ ସେପଟେ ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ଇସ୍ତଫା ଚର୍ଚ୍ଚା ଜୋର ଧରିଛି। ଏମିତିକି ବବିଙ୍କ ପାଇଁ କୌଣସି ମୁହୂର୍ତ୍ତରେ ସୁଜାତା ଇସ୍ତଫା ଦେଇପାରନ୍ତି ବୋଲି ଯାଜପୁର ସମେତ ରାଜ୍ୟ ରାଜନୀତିରେ ଜୋରସୋରରେ ଆଲୋଚନା ଚାଲିଲାଣି। ସୁଜାତାଙ୍କ ଇସ୍ତଫା ଚର୍ଚ୍ଚାକୁ ନେଇ ଯାଜପୁର ରାଜନୀତି ସରଗରମ ହେବା ସହିତ ବିଜେପି ମଧ୍ୟ ଏହି ସୁଯୋଗକୁ ସତର୍କତାର ସହିତ ଅନୁଧ୍ୟାନ କରୁଛି। ଏଭଳି ଘଟଣା ଘଟିଲେ ଯାଜପୁରରେ ପୁଣିଥରେ ରୋଚକ ଲଢ଼େଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

ବିଜେଡିର ସାଂଗଠନିକ ସଂପାଦକ ଥିବା ବବିଙ୍କର ଦଳରେ ଅଖଣ୍ଡ କ୍ଷମତା ଥିଲା। ଗତ ନିର୍ବାଚନରେ ସେ ନିଜ ଆଡୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଘୋଷଣା କରିଥିଲେ। ଦଳ ମଧ୍ୟ ତାଙ୍କୁ ସେଠାରୁ ପ୍ରାର୍ଥୀ କରାଇଥିଲା। ଲକ୍ଷ୍ୟ ଥିଲା କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ପ୍ରମୁଖ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ମାତ୍‌ ଦେବା ଓ ପଶ୍ଚିମ ଓଡ଼ିଶା ସଙ୍ଗଠନକୁ ବିଜେଡି ଆଡ଼କୁ ଟାଣିବା। ମାତ୍ର ବବିଙ୍କର ଏ ରଣନୀତିକୁ ଧର୍ମେନ୍ଦ୍ର ବିଫଳ କରାଇଦେଲେ। ଧର୍ମେନ୍ଦ୍ରଙ୍କ ପାଖରୁ ଲକ୍ଷାଧିକ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ବବି। ଅବଶ୍ୟ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନିଜର ପରାଜୟ ଆଶଙ୍କା କରି ମା’ ସନ୍ଧ୍ୟାରାଣୀ ଦାସଙ୍କୁ କୋରେଇ ବିଧାନସଭା ଆସନରୁ ଟିକେଟ ଦେବାର ବ୍ୟବସ୍ଥା କରିଥିଲେ। ଏଠି ନ ହେଲେ ସେଠି ଆଶାରେ କୋରେଇରେ ମା’ଙ୍କୁ ନିର୍ବାଚନ ଲଢ଼ାଇଥିଲେ। ମାତ୍ର ଏଠାରେ ମଧ୍ୟ ତାଙ୍କ ରଣନୀତି ବିଫଳ ହୋଇଥିଲା। ଯୁବନେତା ଆକାଶ ଦାସ ନାୟକ ବବିଙ୍କ ମା’ ସନ୍ଧ୍ୟାରାଣୀଙ୍କୁ ପରାସ୍ତ କରିଥିଲେ। କୋରେଇ ଆଶା ମଉଳିଯିବା ପରେ ବବି ଆଉ ଏକ ବିକଳ୍ପ ରଖିଥିଲେ। ନିଜ ଆସନରେ ଯାଜପୁରର ମିସନ୍‌ ଶକ୍ତି ମହାସଂଘର ସଭାପତି ଥିବା ସୁଜାତା ସାହୁଙ୍କୁ ଟିକେଟ୍‌ ଦେଇ ଏହି ବିକଳ୍ପକୁ ନିଜ ପାଇଁ ଖୋଲା ରଖିଥିଲେ। ସୁଜାତା ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଗୌତମ ରାୟଙ୍କୁ ୨୫୬୪ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ। ସୁଜାତା ୮୬୦୪୯ ଖଣ୍ଡ ଭୋଟ ପାଇଥିବା ବେଳେ ଗୌତମ ପାଇଥିଲେ ୮୩ ହଜାର ୪୮୫ ଖଣ୍ଡ ଭୋଟ।  

ଏବେ ବବି ଖୋଲା ରଖିଥିବା ବିକଳ୍ପକୁ ଭରସା କରିଛନ୍ତି। ନିଜର ମୂଳ ଆସନରେ ଆଉଥରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏପରିକି ସୁଜାତାଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିବା ନେଇ ସବୁଆଡେ ଚର୍ଚ୍ଚା ଚାଲିଛି। ତେବେ ମାତ୍ର ୧୦୦ ଦିନର ବିଧାୟିକା ସୁଜାତା ଇସ୍ତଫା ଦେବେ ନା ଆଠଗଡ଼ର ଚକରା ଉପାଖ୍ୟାନ (ରମେଶ ରାଉତ)ଙ୍କ ଭଳି ଅମଙ୍ଗ ହେବେ, ତାକୁ ନେଇ ମଧ୍ୟ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ସୁଜାତା ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଦଶରଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଥିଲେ। ସେ ଯାଜପୁର ଜିଲ୍ଲା ମିସନ୍‌ ଶକ୍ତି ମହାସଂଘର ସଭାପତି ଦାୟିତ୍ବ ମଧ୍ୟ ସଫଳତାର ସହିତ ତୁଲାଇଥିଲେ। ଏବେ କ୍ଷମତା ଦୌଡ଼ରେ ସେ ଇସ୍ତଫା ଦେବାକୁ ବାଧ୍ୟ ହେବେ ନା ନିଜର ସ୍ବାଭିମାନ ରକ୍ଷା କରି ଏହାକୁ ବଜାୟ ରଖିବେ; ତାକୁ ନେଇ ସଂଶୟ ଲାଗି ରହିଛି।

ଅନ୍ୟପକ୍ଷରେ କ୍ଷମତାକୁ ଫେରିଥିବା ବିଜେପି ସରକାର ଏଠାରେ ଉପନିର୍ବାଚନ ହେଲେ ସବୁ ବଳ ଲଗାଇ ବିଜେଡି ଗଡ଼କୁ ଭାଙ୍ଗିବାକୁ ଉଦ୍ୟମ କରିବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। ଏ ସଂପର୍କରେ ବିଧାୟିକା ସୁଜାତା ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଇସ୍ତଫା ପାଇଁ ତାଙ୍କୁ କେହି କିଛି କହିନାହାନ୍ତି। ଏବେ ପୂଜା ଥିବାରୁ ବବି ବାବୁ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି। ହୁଏତ ସେଥିପାଇଁ ଏଭଳି ଚର୍ଚ୍ଚା ଲୋକେ କରୁଥାଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe