ନଦୀକୁ ଡେଇଁଥିବା ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର

Advertisment
ନଦୀକୁ ଡେଇଁଥିବା ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର

ସାନର ସୁବର୍ଣ୍ଣପୁରରୁ ଓ ବଡ଼ର ବୌଦ୍ଧରୁ ମିଳିଲା ଶବ
ଗୁଡ଼ଭେଲାରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ
ଆତ୍ମହତ୍ୟା ନା ଅଘଟଣ? କାରଣ ଏବେ ବି ଅସ୍ପଷ୍ଟ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ତୁଷୁରା ନିକଟ ତେଲ ନଦୀ ପୋଲ ଉପରେ ଚପଲ ଓ ସ୍କୁଟି ରଖି ନିଖୋଜ ଥିବା ଦୁଇ ଭଉଣୀଙ୍କ ମୃତଦେହ ଦୁଇଦିନ ପରେ ଉଦ୍ଧାର ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବଡ଼ତେଣ୍ଡା ଗାଁ ନିକଟ ନଦୀରୁ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲ(୨୧ବର୍ଷ)ଙ୍କ ମୃତଦେହ ମିଳିଥିବା ବେଳେ ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ନିକଟସ୍ଥ ମହାନଦୀର କାଉଡ଼ିଆତୋଲା ଘାଟରୁ ବଡ଼ ଉଭଣୀ ଅନମୋଲ ଅଗ୍ରୱାଲ(୨୫ବର୍ଷ)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁଇ ଭଉଣୀଙ୍କ ମୃତଦେହ ମିଳିବା ପରେ ଗୁଡ଼ଭେଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବ୍ୟବଚ୍ଛେଦ ପରେ ଉଭୟଙ୍କ ଶବକୁ ଗୁଡ଼ଭେଲା ଗାଁକୁ ଅଣାଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଛି। ମାତ୍ର ଦୁଇ ଭଉଣୀ ପାଣିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି କୌଣସି ଅଘଟଣର ଶିକାର ହୋଇଛନ୍ତି ତାହା ଜଣାପଡ଼ିନି। ପୁଲିସ ଏ ନେଇ ଖୋଳତାଡ଼ ଚଳାଇଛି।

ଗତ ଗୁରୁବାର ଦିନ ତୁଷୁରା ତେଲ ନଦୀ ପୋଲ ଉପରେ ସ୍କୁଟି ଓ ଦୁଇ ହଳ ଚପଲ ରଖି ଦୁଇ ଭଉଣୀ ନିଖୋଜ ହେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୋଲ ଉପରୁ ପାଣି ଭିତରକୁ ଡେଇଁ ସେମାନେ ଆତ୍ମହତ୍ୟା କରିଥିବା ସ‌ନ୍ଦେହ କରି ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍‌ ଦୁଇ ଦିନ ଧରି ଖୋଜାଖୋଜି ଜାରି ରଖିଥିଲେ। ତେବେ ଗତକାଲି ସୁଦ୍ଧା କିଛି ଜଣାପଡ଼ିନଥିଲା। ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ସିଂହାରୀ ପଂଚାୟତ ଅନ୍ତର୍ଗତ ବଡ଼ତେଣ୍ଡା ଗାଁ ନିକଟ ନଦୀ କୂଳରେ ଏକ ମୃତଦେହ ଦେଖିବାକୁ ମିଳିଥିଲା। ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ଶବକୁ ପାଣିରୁ ଉଦ୍ଧାର କରିବା ପରେ ତାହା ସାନ ଭଉଣୀ ଆଞ୍ଚଲଙ୍କର ବୋଲି ଚିହ୍ନଟ ହୋଇଥିଲା। କିଛି ଘଣ୍ଟା ପରେ ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ନିକଟସ୍ଥ ମହାନଦୀର କାଉଡ଼ିଆତୋଲା ଘାଟରୁ ମଧ୍ୟ ଏକ ମୃତଦେହ ଠାବ ହୋଇଥିଲା। ସ୍ଥାନୀୟ ଲୋକେ ମହାନଦୀରେ ଶବ ଭାସୁଥିବା ଦେଖି ପୁଲିସ ଓ ବୌଦ୍ଧ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହକୁ ଉଦ୍ଧାର କରିବା ପରେ ତାହା ଅନମୋଲ ଅଗ୍ରୱାଲଙ୍କ ବୋଲି ଜଣାପଡ଼ିଥିଲା।

ଏ ନେଇ ବଲାଙ୍ଗୀର ପୁଲିସ ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ କହିଛନ୍ତି, ଦୁଇ ଭଉଣୀଙ୍କ ଶବ ଉଦ୍ଧାର ହୋଇଛି। ସେମାନେ କେଉଁ କାରଣରୁ ନଦୀକୁ ଡେଇଁଲେ ତାହା ସ୍ପଷ୍ଟ ହୋଇନି। ପୁଲିସ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି ବୋଲି ସେ କହିଛନ୍ତି। ଅନ୍ୟପଟେ ତୁଷୁରା ପୁଲିସ ମଧ୍ୟ ପରିବାର ବର୍ଗଙ୍କୁ ପଚରାଉଚରା କରିବାରୁ ଘରେ ସବୁ କିଛି ଠିକଠାକ ଚାଲିଥିଲା, ଏଭଳି ହଠାତ ଦୁଇ ଭଉଣୀ କାହିଁକି ନିଷ୍ପତ୍ତି ନେଲେ ତାହାକୁ ନେଇ ପରିବାର ବର୍ଗ ବି କହି ପାରୁନାହାନ୍ତି। ଦୁଇ ଭଉଣୀ ଗୁଡ଼ଭେଲା ଗାଁର ରାମତାର ଅଗ୍ରୱାଲଙ୍କ ଝିଅ। ସେମାନେ ମୋଟ ତିନି ଭଉଣୀ। ନଦୀକୁ ଡେଇଁଥିବା ଦୁଇ ଭଉଣୀଙ୍କ ମଧ୍ୟରୁ ବଡ଼ ଅନମୋଲ ବିବିଏ ପାଠ୍ୟକ୍ରମ ଶେଷ କରିଛନ୍ତି। ମଝିଆଁ ଝିଅ ଆଞ୍ଚଲ ବଲାଙ୍ଗୀର ସିଏନ୍‌ସି କଲେଜରୁ ଚଳିତ ବର୍ଷ ବିକମ୍‌ ପାସ କରିଥିଲେ। ଦୁଇ ଭଉଣୀ ତୁଷୁରା ବୁଲିବାକୁ ଯାଉଥିବା କହି ସ୍କୁଟି ଧରି ଘରୁ ବାହାରିଥିଲେ। ଏହା ପରେ ହିଁ ପୋଲ ନିକଟରେ ସ୍କୁଟି ଓ ଉଭୟଙ୍କ ଚପଲ ଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe