image source--sisat
ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଦେଉଳପଡା ପଂଚାୟତ ଅନ୍ତର୍ଗତ ବାଙ୍କିଛନ୍ଦା ଗ୍ରାମର ଏକ ଚାଷଜମିରୁ ୪ ବର୍ଷର ଶିଶୁକନ୍ୟାର ମୃତଦେହ ଜବତ କରାଯାଇଛି। ଶିଶୁକନ୍ୟାର ଡାହାଣ ଗାଲରେ ସାମାନ୍ୟ ଫୁଲା ଚିହ୍ନ ରହିଥିବାବେଳେ ତାକୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଏ ନେଇ ଥାନାରେ ଏତଲା ହେବା ପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ଛାନ୍ଭିନ୍ ଚଳାଇଛି।
ସୂଚନା ଅନୁସାରେ, ବାଙ୍କିଛନ୍ଦା ଗ୍ରାମର ଦୈତାରୀ ବେହେରାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଆଜି ସକାଳ ପ୍ରାୟ ୯ଟାରେ ଘର ନିକଟସ୍ଥ ଗୋବରୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେତେବେଳେ ତାଙ୍କର ଶିଶୁକନ୍ୟା ମଧୁସ୍ମିତା ଘର ନିକଟରେ ଖେଳୁଥିଲା। ଲକ୍ଷ୍ମୀପ୍ରିୟା ଗାଧୋଇ ସାରି ଘରକୁ ଫେରିବା ପରେ ଝିଅକୁ ଦେଖିବାକୁ ପାଇ ନ ଥିଲେ। ବହୁ ଖୋଜାଖୋଜି କରିବା ପରେ ବି ମିଳିନଥିଲା। ତେବେ ଘରଠାରୁ ପ୍ରାୟ ଦେଢ ଶହ ମିଟର ଦୂରରେ ଥିବା ଚାଷଜମିରେ ଶିଶୁକନ୍ୟାର ମୃତଦେହ ପଡ଼ିଥିବା ଗ୍ରାମର ଜଣେ ବ୍ୟକ୍ତି ସୂଚନା ଦେଇଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକେ ମହାକାଳପଡା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ୍ ସହ ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଡାକ୍ତରଖାନା ପଠାଯାଇଛି। ଅନ୍ୟପକ୍ଷରେ ଚାଷଜମିକୁ ଶିଶୁକନ୍ୟା କିପରି ଗଲା ଓ କେଉଁ ପରିସ୍ଥିତିରେ ତାର ମୃତ୍ୟୁ ଘଟିଲା ତାହାକୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି। ଘଟଣାର ତଦନ୍ତକାରୀ ଅଧିକାରୀ ସନ୍ତୋଷ କୁମାର ପ୍ରଧାନ କହିଛନ୍ତି, ଶିଶୁକନ୍ୟାର ଡାହାଣ ପଟ ଗାଲ ସାମାନ୍ୟ ଫୁଲିଥିବା ଦେଖିବାକୁ ମିଳିଛି। ଘଟଣାର ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।
Follow Us