ବାଲଙ୍ଗୀର : ବଲାଙ୍ଗୀରରେ ନବଜାତ ହେଉଛନ୍ତି ଅଲୋଡ଼ା। ଥରେ କି ଦୁଇଥର ନୁହଁ, ବାରବାର ଡ୍ରେନ୍ ଓ ଅଳିଆଗଦାରୁ ଉଦ୍ଧାର ହେଉଛି ନବଜାତ ଶିଶୁ। କେତେବେଳେ ଜିଅନ୍ତା ଶିଶୁ ଉଦ୍ଧାର ହୋଇ ଡାକ୍ତରଖାନାରେ ଭର୍ତ୍ତି ତ ଆଉ କେତେବେଳେ ମୃତ ଶିଶୁ ଉଦ୍ଧାର ହେବା ନଜିର ରହିଛି। ହେଲେ ସବୁ ସୀମା ଟପିଛି ଏଥର। ଖୋଦ୍ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରୁ ଜଣେ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି।
ଶନିବାର ସକାଳୁ କିଛି ଲୋକ ହସ୍ପିଟାଲରେ ଥିବା ପ୍ରସୂତି ବିଭାଗ କୋଠା ନିକଟ ଡ୍ରେନ୍ରେ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ସଂଗେ ସଂଗେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ହସ୍ପିଟାଲ କର୍ମଚାରୀମାନେ ଶବକୁ ଉଦ୍ଧାର କରିଥିଲେ। ଶବଟି କାହାର ଏବଂ କେଉଁ ପରିସ୍ଥିତିରେ ଡ୍ରେନ୍ ଭିତରକୁ ଆସିଲା ତାହାର ତଦନ୍ତ କରିଥିଲେ ଅଧିକାରୀ। ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ପରେ ଡ୍ରେନ୍ରେ କେହି ଫିଙ୍ଗି ଦେଇଛି ନା ଜିଅନ୍ତା ଶିଶୁ ଡ୍ରେନ୍ରେ ପଡ଼ି ମୃତ୍ୟୁବରଣ କରିଛି ତାକୁ ନେଇ ହୋଇଥିଲା ତଦନ୍ତ। କିନ୍ତୁ ତଦନ୍ତରେ ଏ ପର୍ଯ୍ୟନ୍ତ ଜଣାପଡ଼ିନି କିଏ ଶିଶୁକୁ ଡ୍ରେନ୍ରେ ପକାଇଛି। ଏପଟେ ହସପିଟାଲର ଚାରିଆଡ଼େ ସିସିଟିଭି ଲାଗିଛି। ଯଦି ଠିକରେ ତଦନ୍ତ କରାଯାଏ ନିଶ୍ଚିତ ଜଣାପଡ଼ିବ କାହାର ଏହି କାମ। ଏଣୁ ଡ୍ରେନ୍ରେ ଏଭଳି ମୃତ ଶିଶୁ ଉଦ୍ଧାର ହେବା ପରେ ଏହାର ସଠିକ ତଦନ୍ତ କରିବାକୁ ଦାବି ହେଉଛି।
Follow Us