ଦେବଗଡ଼ : କରୋନା କାୟା ବିସ୍ତାର ସାଙ୍ଗକୁ ବିଭିନ୍ନ ସ୍ଥାନରେ ହୃଦୟ ବିଦାରକ ଦୃଶ୍ୟମାନ ଦେଖିବାକୁ ମିଳୁଛି। କେଉଁଠି ପୁଅ ବାପାର ଶବକୁ ଛୁଉଁ ନଥିବା ବେଳେ କେଉଁଠି ସ୍ବାମୀଙ୍କୁ ମୁଖାଗ୍ନି ଦେଉଛି ପତ୍ନୀ । କିଛି ସ୍ଥାନରେ ଶବକୁ ଚାରି କାନ୍ଧ ବି ମିଳୁନାହିଁ। ସାଇକଲ୍, ଟ୍ରଲି ଓ ବାଇକ୍ରେ ଶବ ବୁହାଯାଉଥିବାର ଦୃଶ୍ୟ କରୋନା ଯେ କେତେ ଭୟଙ୍କର ତାହା ମନେ ପକାଇ ଦେଉଛି। ମଙ୍ଗଳବାର ଦେବଗଡ଼ରୁ ଆସିଛି ଏମିତି ଏକ ଦୃଶ୍ୟ। ଶବକୁ ଚାରି କାନ୍ଧ ନ ମିଳିବାରୁ ଶଗଡ଼ରେ ବୋହି ଶ୍ମଶାନକୁ ନିଆଯାଇଛି।
ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ସୁଗୁଡ଼ା ଗ୍ରାମର ଚନ୍ଦ୍ରଶେଖର ସାହୁ କିଛି ଦିନ ତଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ସକାଳେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ପରିବାର ଲୋକ ଦେବଗଡ଼ କୋଭିଡ୍ ଯତ୍ନକେନ୍ଦ୍ରକୁ ଫୋନ୍ କରିଥିଲେ। ଆଶା ଥିଲା ଆମ୍ବୁଲାନ୍ସ ପହଞ୍ଚିବ ଏବଂ ଉପଯୁକ୍ତ ଚିକିତ୍ସା ମିଳିବ। କିନ୍ତୁ ଫୋନ୍ କରିବାର ବହୁ ବିଳମ୍ବରେ କୋଭିଡ କେୟାର ସେଣ୍ଟରର କର୍ମଚାରୀ ପହଞ୍ଚିଥିଲେ। ସେମାନେ ପହଞ୍ଚିବାର ୧ ଘଣ୍ଟା ପୂର୍ବରୁ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟି ସାରିଥିଲା। ତାଙ୍କର ଶବ ସତ୍କାର ପାଇଁ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ଗ୍ରାମବାସୀ ସଂକ୍ରମଣ ଭୟରେ ପାଖ ମାଡ଼ି ନଥିଲେ। ସଂସ୍କାର ପାଇଁ କାନ୍ଧ ଦେବାକୁ ମଧ୍ୟ ମନା କରିଦେଇଥିଲେ। ଫଳରେ ପରିବାର ଲୋକ ବ୍ୟସ୍ତ ହୋଇପଡ଼ିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ନିକଟକୁ ଶବ ସତ୍କାର ପାଇଁ ବାରମ୍ବାର ଫୋନ୍ କରିବା ପରେ ପୌର ପରିଷଦର ୪ ଜଣ ସଫେଇ କର୍ମଚାରୀଙ୍କୁ ପଠାଯାଇଥିଲା। ସଫେଇ କର୍ମଚାରୀମାନେ ପହଞ୍ଚିବା ପରେ ଚନ୍ଦ୍ରଶେଖରଙ୍କ ଶବକୁ ଏକ ଶଗଡ଼ରେ ଶ୍ମଶାନକୁ ନେଇ ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
Follow Us