ଥାନା ଆଗରେ ବୋଝିଆଙ୍କ ଧାରଣା

Advertisment
ଥାନା ଆଗରେ ବୋଝିଆଙ୍କ ଧାରଣା

ପୁରୀ: ଶ୍ରୀମନ୍ଦିର ଭିତରେ ବୋଝିଆ ସୁରେନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ମାଡ଼ ମାରିଥିବା ସେବାୟତଙ୍କ ବିରୋଧରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରି ଆଜି ବୋଝିଆମାନେ ପାଖାପାଖି ଅଧଘଣ୍ଟାଏ କାଳ ସିଂହଦ୍ଵାର ଥାନା ଆଗରେ ଧାରଣା ଦେଇଥିଲେ। କାମ ବନ୍ଦ ହୋଇଯିବାରୁ ହବିଷ୍ୟାଳିଙ୍କ ପାଇଁ ପ୍ରସାଦ ବୋହିବା ବା ପରସିବା ପାଇଁ ସମସ୍ୟା ହେବାକୁ ସେମାନଙ୍କୁ ବୁଝାଶୁଝା କରାଯାଇ ଧାରଣାରୁ ଉଠାଇ ଦିଆଯାଇ ଥିଲା। ତେବେ ୧୨ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ପୁଣି ଧାରଣା ଦିଆଯିବା ସହ ସମ୍ପୃକ୍ତ ସେବାୟତଙ୍କ କୌଣସି କାମ କରାଯିବ ନାହିଁ ବୋଲି ବୋଝିଆମାନେ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ସନ୍ଧ୍ୟାରେ ବୋଝିଆମାନଙ୍କ ସହ ସମ୍ପୃକ୍ତ ସେବାୟତଙ୍କ ବାପା ଆପୋଷ ବୁଝାମଣା ପାଇଁ ଆଲୋଚନା କରିଛନ୍ତି। ଆହତ ବୋଝିଆ ଘରେ ବସିଥିବାରୁ ତାଙ୍କ ପାଇଁ ସମସ୍ତ କ୍ଷତିପୂରଣ ପ୍ରଦାନ କରିବା ସହ ଆଗକୁ କୌଣସି ବୋଝିଆଙ୍କୁ ଏଭଳି ଆକ୍ରମଣ ନକରିବା ପାଇଁ ଚୁକ୍ତିନାମା ହେଲେ ଯାଇ ସମାଧାନ ହେବ ବୋଲି ବୋଝିଆମାନେ ଚେତାବନୀ ଦେଇଛନ୍ତି। ଏଥିରେ ପୁଲିସ୍‌ର ଭୂମିକା ଗୁରୁତ୍ଵପୂର୍ଣ୍ଣ ହୋଇଥିବା ବେଳେ ଶ୍ରୀମନ୍ଦିର ପରିସରରେ ଏଭଳି ସମସ୍ୟା ବଢ଼ି ବଢ଼ି ଚାଲିବା ଦୁର୍ଭାଗ୍ୟ ଜନକ ବୋଲି କୁହାଯାଉଛି। ଗତକାଲି ଭୋଗମଣ୍ଡପ ନୀତି ସମୟରେ ସୁରେନ୍ଦ୍ର ଅବଢ଼ା ଉଠାଉଥିବା ବେଳେ ତାଙ୍କୁ ଜଣେ ସେବାୟତ ପିଟିଥିଲେ। ସେ ପଡ଼ିଯିବାରୁ ତାଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଥିଲା। ଗୋଡ ଖଣ୍ଡିଆ ହୋଇଯିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ ଅସୁସ୍ଥ ଥିବାରୁ କାମ କରିପାରୁନାହାନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାର ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe