ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ୍ ସିଧାମୂଳା ପଞ୍ଚାୟତ ଅଧୀନ ରାଜକିଆରୀ ଛକରେ ଥିବା ଭାନୁମତି ପେଟ୍ରୋଲ ପମ୍ପରୁ ବିଳମ୍ବିତ ସନ୍ଧ୍ୟାରେ ଲୁଟ୍ ହୋଇଛି। ରାତି ପ୍ରାୟ ୯ଟାରେ କଣ୍ଟିଲୋ-ଗଣିଆ ୪୭ ନମ୍ବର ରାଜ୍ୟ ରାଜପଥ କଡରେ ଥିବା ଇଣ୍ଡିଆନ ଅଏଲ୍ ପେଟ୍ରୋଲ ପମ୍ପରେ ଏକ ନାଲି ରଙ୍ଗର କାର୍ ଆସି ଅଟକିଥିଲା। କାର୍ରେ ଥିବା ୬ଜଣ ଦୁର୍ବୃତ୍ତ ତେଲ ପକାଇବାକୁ କର୍ମଚାରୀଙ୍କୁ କହିଥିଲେ। ତେବେ ଏହି ସମୟରେ ହଠାତ ଦୁର୍ବୃତ୍ତମାନେ ବୋମାମାଡ଼ କରିବା ସହିତ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ସେମାନଙ୍କ ପାଖରେ ଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ।
ଦୁର୍ବୃତ୍ତଙ୍କ ଆକ୍ରମଣରେ ପେଟ୍ରୋଲ ପମ୍ପ ମାଲିକଙ୍କ ଭାଇ ସଂଗ୍ରାମ କେଶରୀ ରାଉତ, କର୍ମଚାରୀ ସୁବାସ ସେଠୀ ଏବଂ ଦାଶରଥୀ ବେହେରା ଗୁରୁତର ଆହତ ହୋଇ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଖଣ୍ଡପଡ଼ା ଥାନା ପକ୍ଷରୁ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ରମେଶ କୁମାର ଦେବତାଙ୍କଠାରୁ ସୂଚନା ମିଳିଛି।
Follow Us