ବ୍ୟାଗ୍‌ରେ ବୋମା ବିସ୍ଫୋରଣ : ଗୃହକର୍ତ୍ତା ଆହତ, ପୁଲିସ୍‌ର ଛାନ୍‌ଭିନ୍‌

ବ୍ୟାଗ୍‌ରେ ବୋମା ବିସ୍ଫୋରଣ : ଗୃହକର୍ତ୍ତା ଆହତ, ପୁଲିସ୍‌ର ଛାନ୍‌ଭିନ୍‌

ଅତାବିରା/ବରଗଡ଼/ଗୋଡ଼ଭଗା : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ଘଟଣା ଏବେବି ଚର୍ଚ୍ଚାରେ ରହିଥିବାବେଳେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଂଚଳରେ ବୋମା ଫୁଟିବା ପୁଣି ଏକ ଆତଙ୍କିତ ଅଧ୍ୟାୟ ଯୋଡ଼ି ଦେଇଛି। ଶନିବାର ଅପରାହ୍ନ ୩ଟା ୧୫ରେ ଏହି ଅଘଟଣ ଘଟିଛି। ବିସ୍ଫୋରଣରେ ସିଏଚ୍‌ ନାଗଭୂଷଣ(୪୫) ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ମେଡିକାଲ ପଠାଯାଇଛି।

ପ୍ରାପ୍ତ ବିବରଣୀ ଅନୁଯାୟୀ, ଅତାବିରା ଥାନା ଜାଂଗେଡ଼ ପଞ୍ଚାୟତ ଭାଲୁପତରା ଗାଁରେ ରହୁନ୍ତି ସିଏଚ୍‌ ନାଗଭୂଷଣ (୪୫), ସ୍ତ୍ରୀ ସିଏଚ୍‌ ସଂଧ୍ୟାରାଣୀ (୪୦), ପୁଅ ସିଏଚ୍‌ ବିକାଶ (୧୫), ଝିଅ ସିଏଚ୍‌ ସିରିସା (୧୪)। ବିକାଶ ଏବଂ ସିରିସା ଚକୁଳିଫାର୍ମସ୍ଥିତ କୋଶଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି। ଆଜି (ଶନିବାର) ଅଢ଼େଇଟାରେ ଦୁହେଁ ସ୍କୁଲରୁ ଘରକୁ ଫେରିଥିଲେ। ଘରକୁ ପଶିବା ବେଳେ ବାରଣ୍ଡା ପାଖ ଗେଟ୍‌ ରେଲିଂରେ ଏକ ବ୍ୟାଗରେ ଥିବା ସିରିସା ଦେଖିଥିବା ପରିବାର ସୂତ୍ରରୁ ଜଣାଯାଇଛି। ହେଲେ ସେ ଏହାକୁ ଗୁରୁତ୍ୱ ଦେଇନଥିଲେ। ଦିନ ୩.୧୫ରେ ନାଗଭୂଷଣ କ୍ଷେତକୁ ବାହାରିବା ବେଳେ ଉକ୍ତ ପେଟି ଦେଖିଥିଲେ। ତାକୁ ଖୋଲିଲା ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ତାଙ୍କ ଗୋଟିଏ ଆଖି ଏବଂ ଶରୀରର ଅନ୍ୟ ଅଂଗରେ ଆଘାତ ଲାଗିଥିଲା।

ତେବେ ଉକ୍ତ ବୋମା ସେଠାରେ କିଏ ରଖିଲା ଏବଂ କେଉଁ ଉଦ୍ଦେଶ୍ୟରେ ରଖିଥିଲା, ତାହା ସ୍ପଷ୍ଟ ହୋଇନାହିଁ। ଘଟଣା ସଂପର୍କରେ ପୁଲିସ୍‌ ହାତରେ କିଛି ଠୋସ୍‌ ତଥ୍ୟ ଲାଗି ନାହିଁ। ବ୍ୟାବସାୟିକ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି।

ନାଗଭୂଷଣଙ୍କ ୭ଏକର ଜମି ରହିଛି। ଚାଷବାସ ସହିତ ସେ ସାର ଏବଂ କୀଟନାଶକ ବ୍ୟବସାୟ କରନ୍ତି। ବର୍ଷେ ହେଲା ନୂଆ ଘରଟିଏ କରିଛନ୍ତି। ପରିବାରର କେହି କେହି ଏହାକୁ ପାର୍ସଲ କିମ୍ବା ଟିଫିନ୍‌ ବୋମା ବୋଲି ଆଲୋଚନା କରୁଥିବାବେଳେ ଏହି ଆଶଂକାକୁ ପୁଲିସ୍‌ ଏଡ଼ାଇ ଦେଇଛି। ଗୋଟିଏ ଅଖାବସ୍ତାରେ ବୋମା ଥିଲା। ତାକୁ ଧରିବା ବେଳେ ବିସ୍ଫୋରଣ ହୋଇଥିବା ଏସ୍‌ଡିପିଓ ଶ୍ରୀ ନାୟକ କହିଛନ୍ତି।

‘ଷ୍ଟାବିଲାଇଜର ଭଳି ଲାଗିଲା’
ବୁର୍ଲା : ଭାଲୁପତରା ଗାଁରେ ବୋମା ବିସ୍ଫୋରଣରେ ଆହତ ସିଏଚ୍‌ ନାଗଭୂଷଣ ବୁର୍ଲାରେ ଡାକ୍ତରଖାନାରେ ଚିକିିତ୍ସିତ ହେଉଛନ୍ତି। ଘଟଣା ସଂପର୍କରେ ସେ ‘ସମ୍ବାଦ’କୁ କହିଛନ୍ତି: ଅପରାହ୍ନ ୩ଟାରେ ମୁଁ ଘରୁ ବାହାରିଲା ବେଳେ ଘର ପାଚେରି କାନ୍ଥ ଉପରେ ରଖାଯାଇଥିବା କପଡ଼ା ବ୍ୟାଗ୍‌ ଉପରେ ନଜର ପଡ଼ିଥିଲା। ପାଖକୁ ଯାଇ ଦେଖିବା ପରେ ତାହା ଏକ ଷ୍ଟାବିଲାଇଜର୍‌ ଭଳି ଲାଗିଲା। ତେବେ ପାଚେରି ଉଚ୍ଚା ଥିବାରୁ ବ୍ୟାଗ୍‌ଟିକୁ ତଳକୁ ଆଣିବାକୁ ହାତ ବଢ଼ାଇଲି। ମାତ୍ର ହାତ ବ୍ୟାଗ୍‌ ଉପରେ ପଡ଼ିବା କ୍ଷଣି ସେଥିରେ ବିସ୍ଫୋରଣ ହୋଇଥିଲା। ଚାରିଆଡ଼ ଅନ୍ଧାର ଲାଗିଲା। ମୋ’ ବାମ ଆଖିକୁ ଆଉ କିଛି ଦେଖା ନଯିବାରୁ ଦୃଷ୍ଟିହୀନ ହୋଇଗଲି ବୋଲି
ଭାବିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe