ବାଙ୍କୀ: ବଟି ପାଇଁ ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ଜଣେ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। କଟକଜିଲ୍ଲା ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ନୂଆସାହିରେ ଏହି ଘଟଣା ଘଟିଛି। ଚିନ୍ତାମଣି ବେହେରାଙ୍କ ଘର ଉପରକୁ କିଛି ଅସାମାଜିକ ଯୁବକ ବୋମାମାଡ଼ କରିଛନ୍ତି। ଚିନ୍ତାମଣିଙ୍କ ଘର ଢେଙ୍କାନାଳ ଜିଲ୍ଲାର ହୋଇଥିବା ବେଳେ ସେ ବହୁବର୍ଷ ଧରି ଏଠାରେ ସିମେଣ୍ଟ ଓ ବାଲି ବ୍ୟବସାୟ କରି ଆସୁଛନ୍ତି। ଚିନ୍ତାମଣିଙ୍କ କହିବା ଅନୁଯାୟୀ ଗତ କିଛିଦିନ ତଳେ ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଯୁବକ ତାଙ୍କୁ ବଟି ମାଗିଥିଲେ। କିନ୍ତୁ ସେ ମନା କରିବାରୁ ସେମାନେ ଏଭଳି କାଣ୍ଡ କରିଛନ୍ତି। ଏହି ଅସାମାଜିକ ଯୁବକମାନେ ଗତକାଲି ନୂଆବର୍ଷ ପାଳନ କରିବା ବାହାନାରେ ଚିନ୍ତାମଣିଙ୍କ ଘର ନିକଟରେ ଭୋଜିର ଆୟୋଜନ କରିଥିଲେ। 

Advertisment

New Year: କ୍ୟାଲେଣ୍ଡର ବର୍ଷ-୨୦୨୫ର ଶେଷଦିନରେ ୨୦ଲକ୍ଷର ଆମିଷ କାରବାର, ଭୋଜିଭାତର ଆସର

ବିଳମ୍ବିତ ରାତି ପର୍ଯ୍ୟନ୍ତ ଆସର ଜମାଇଥିଲେ। ରାତି ପ୍ରାୟ ୨ଟା ବେଳକୁ ହଠାତ୍‌ ଚିନ୍ତାମଣିଙ୍କ ଘରେ ଏକ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ସେ ଉଠି ଦେଖିଲା ବେଳକୁ ତାଙ୍କର ଗୋଟିଏ ରୁମ୍‌ରୁ ପ୍ରବଳ ଧୂଆଁ ବାହାରିବା ସହିତ କାନ୍ଥରେ ଲାଗିଥିବା ଏସି ତଳେ ପଡ଼ି ନଷ୍ଟ ହୋଇଯାଇଥିଲା। ଚିନ୍ତାମଣି ଓ ତାଙ୍କ ପରିବାର ଅନ୍ୟ ଏକ ରୁମ୍‌ରେ ଶୋଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଚିନ୍ତାମଣି ତୁରନ୍ତ ୧୧୨କୁ କଲ କରିଥିଲେ। ଆଜି ସକାଳେ ବାଙ୍କୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଅନ୍ୟପଟେ ବାଙ୍କୀ ଥାନା ଆଇଆଇସି ଦିଲ୍ଲୀପ ମର୍ଦରାଜ ଭୂୟାଁ ବୋମାମାଡ଼ର କୌଣସି ସମ୍ଭାବନାକୁ ଅସ୍ବୀକାର କରିଛନ୍ତି। କେହି ଦୁର୍ବୃତ୍ତ ଏସିର କପର ତାର ଚୋରି କରିବାକୁ ଆସି ତାର ଭିଡ଼ି ଦେବାରୁ ଏସି ତଳେ ପଡ଼ି ବିସ୍ଫୋରଣ ହେବା ସହ ଏପରି ଶବ୍ଦ ହୋଇଥିବା କହିଛନ୍ତି। କିନ୍ତୁ ବ୍ୟବସାୟୀ ଜଣଙ୍କ ଅନ୍ୟ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଏହି ଅସାମାଜିକ ଯୁବକମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା କାରଣରୁ ପୁଲିସ ଘଟଣାର ମୋଡ଼ ବଦଳାଇବାକୁ ଚେଷ୍ଟା କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। 

Horoscope 2026 January 02: ଜାଣନ୍ତୁ ଆଜିର ରାଶିଫଳ

ନୂଆବର୍ଷ ପାଳନ ପାଇଁ ସେହି ଅଞ୍ଚଳରେ ଏତେ ଗହଳି ଥିବା ବେଳେ କେହି ଦୁର୍ବୃତ୍ତ କେବଳ କପର ତାର ଚୋରି କରିବାକୁ ସାହସ କରିବା ଘଟଣା ସନ୍ଦେହର କାରଣ ହୋଇଛି। କାନ୍ଥର ବାହାର ପଟେ ଥିବା ତାରକୁ ସହଜରେ କାଟି ନିଆଯାଇ ପାରିଥାନ୍ତା। କିନ୍ତୁ ତାହା ନକରି କାନ୍ଥକୁ ଫଟାଇ ସେମାନେ ତାର କାହିଁକି ଭିଡ଼ିଲେ ବୋଲି ପ୍ରଶ୍ନ ଉଠୁଛି। ଏସି ତଳେ ପଡ଼ିଲେ ଶବ୍ଦ ହେବ। କିନ୍ତୁ ପ୍ରବଳ ଧୂଆଁ ବାହାରିଲା କାହିଁକି ବୋଲି ବି ପ୍ରଶ୍ନ ଉଠୁଛି। ଏହି ଘଟଣା ନେଇ ଚିନ୍ତାମଣି ଏତଲା ଦେଇଛନ୍ତି ବୋଲି କହୁଥିବା ବେଳେ ପୁଲିସ କିନ୍ତୁ ଏତଲା ଦିଆଯାଇନାହିଁ ବୋଲି କହୁଛି। ଏଭଳି ଘଟଣା ପୁଲିସର କାର୍ଯ୍ୟକଳାପକୁ ସନ୍ଦେହ ଘେରକୁ ଟାଣିଛି।