‘ଡକ୍ଟର ବାବାସାହେବ ଆମ୍ବେଦକର ଜୀବନୀ ଓ କୃତି’ ପୁସ୍ତକ ଲୋକାର୍ପିତ

Advertisment
‘ଡକ୍ଟର ବାବାସାହେବ ଆମ୍ବେଦକର ଜୀବନୀ ଓ କୃତି’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ବର : ଭାରତୀୟ ସମ୍ବିଧାନର ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କୁ  ଜଣେ ଦଳିତ ପ୍ରତିନିଧି ଭାବେ ସୀମିତ କରିବା ଉଚିତ ନୁହେଁ, ସେ ଜଣେ ବିରାଟ ଚିନ୍ତାନାୟକ ଓ ମହାନ ସମାଜ ସଂସ୍କାରକ। ଦେଶରେ ପ୍ରଚଳିତ ଜାତିପ୍ରଥା ଓ ଅସ୍ପୃଶ୍ୟତା ବିରୋଧରେ ସ୍ବର ଉତ୍ତୋଳନ କରିବାରେ ସେ ଥିଲେ ଅଗ୍ରଗଣ୍ୟ। ତେବେ ଅସ୍ପୃଶ୍ୟତା କେବଳ ଛୁଆଁଛୁଇଁରେ ନୁହେଁ ବରଂ ଏହା ଆମ ମାନସିକତାରେ ଭରି ରହିଛି । ସମାଜରୁ ଏହାକୁ ସଂପୂର୍ଣ୍ଣ ଦୂର କରିବାକୁ ହେଲେ ଆମ ମନରୁ ଦୂର କରିବାକୁ ହେବ। ପ୍ରଫେସର ଧନେଶ୍ୱର ସାହୁଙ୍କ ଲିଖିତ ପୁସ୍ତକ ‘ଡକ୍ଟର ବାବାସାହେବ ଆମ୍ବେଦକର ଜୀବନୀ ଓ କୃତି’ର ଲୋକାର୍ପଣ ଅବସରରେ ଉପରୋକ୍ତ ବକ୍ତବ୍ୟ ରଖିଛନ୍ତି  ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ।

ଆଜି ‘ସମ୍ବାଦ’ ଭବନରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ବୈଠକରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସେ କହିଥିଲେ ଯେ ଲେଖକ ପ୍ରଫେସର ସାହୁ କରୋନା ସମୟରେ ଓଡ଼ିଆରେ ଆମ୍ବେଦକରଙ୍କ ଉପରେ ଏକ ଉପାଦେୟ ପୁସ୍ତକ ରଚନା କରିଥିବାରୁ କରୋନାକୁ ଧନ୍ୟବାଦ ଦେବା ଉଚିତ । କାରଣ ଓଡ଼ିଆରେ ଆମ୍ବେଦକରଙ୍କ ଉପରେ ବିଶେଷ କିଛି ପୁସ୍ତକ ରଚନା ହୋଇନାହିଁ, ଯାହାକି ପିଲାଠୁ ବୁଢ଼ା ସମସ୍ତଙ୍କ ପାଇଁ ଉପଯୋଗୀ ହେବ।

ସୁସାହିତ୍ୟିକ ତଥା ଶିକ୍ଷାବିତ  ଅଧ୍ୟାପକ ଅଭିରାମ ବିଶ୍ୱାଳ ‘ଡକ୍ଟର ବାବାସାହେବ ଆମ୍ବେଦକର ଜୀବନୀ  ଓ କୃତି’ ପୁସ୍ତକର  ସମୀକ୍ଷା  ଉପସ୍ଥାପନ କରିଥିଲେ। ସେ ବହି ବିଷୟରେ ସଂକ୍ଷିପ୍ତ ସୂଚନା ଦେବା ସହ ଆମ୍ବେଦକର ଓ ଗାନ୍ଧୀଜୀଙ୍କ ବିଷୟରେ  ଆଲୋକପାତ କରିଥିଲେ । ଓଡ଼ିଆ ଭାଷାରେ ଏପରି ମୂଲ୍ୟବାନ ପୁସ୍ତକ ରଚନା କରିଥିବାରୁ ଲେଖକଙ୍କୁ ଧନ୍ୟବାଦ  ଜଣାଇଥିଲେ । ଏହାପରେ ଲେଖକ ପ୍ରଫେସର  ସାହୁ ନିଜର ଲେଖକୀୟ ଅଭିବ୍ୟକ୍ତି ଉପସ୍ଥାପନ କରି କହିଥିଲେ, ଏ ପୁସ୍ତକ ଲେଖିବାର ପ୍ରୟାସ କରୋନା ସମୟରୁ ସୂତ୍ରପାତ ହୋଇଥିଲା । ଆମ୍ବେଦକରଙ୍କ କୃତି, ଜୀବନୀ ଓ ମୌଳିକ ବିଚାର ବିଷୟରେ ଅନେକ ଗବେଷଣା କଲା ପରେ ବହିଟି ଲେଖିବାକୁ ଇଚ୍ଛା ହେଲା । ଏହାପରେ ଏହି ବହିଟି ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶ ପାଇଲା । ଏଠାରେ ଏ ପୁସ୍ତକ ଉନ୍ମୋଚନ କରାଯାଇଥିବାରୁ ସେ ଧନ୍ୟବାଦ ଜଣାଇଥିଲେ ।

ଏହି ଅବସରରେ ପୂର୍ବତନ ସାଂସଦ ମୋହନ ଜେନା ଡକ୍ଟର ଆମ୍ବେଦକରଙ୍କ ବିଷୟରେ ଆଲୋକପାତ କରି କହିଥିଲେ ଯେ ବାବାସାହେବ ସାରା ଜୀବନ ଜନଜାତିଙ୍କ ତଥା ଦଳିତମାନଙ୍କ ପାଇଁ ଲଢ଼ି ଆସିଛନ୍ତି । ଅନେକ ବାଧାବିଘ୍ନକୁ ସାମ୍ନାକରି ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଗଢ଼ିପାରିଛନ୍ତି । ଏହାସହ ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି, ‘ସମ୍ବାଦ ସାହିତ୍ୟ ଘର’ର  ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା, ପ୍ରଫେସର ମିହିର ରଂଜନ ସେଠୀ ଓ ରାମଶଙ୍କର ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଆମ୍ବେଦକରଙ୍କୁ ମହାନ ଜନନାୟକ ଭାବେ ବର୍ଣ୍ଣନା କରିଥିଲେ । ଆମ୍ବେଦକର ଦଳିତଙ୍କର ନୁହନ୍ତି ବରଂ ସେ ସଂଘର୍ଷର ପ୍ରତୀକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଲୋକାର୍ପଣ ବୈଠକରେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ, ଉପମହାପ୍ରବନ୍ଧକ (ବାର୍ତ୍ତା) ଭବାନୀ ଶଙ୍କର ତ୍ରିପାଠୀ, ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ଚିତ୍ତରଂଜନ ଚିରଂଜିତ ଏବଂ ସମ୍ବାଦ ପରିବାରର ବହୁ ସଦସ୍ୟ ଉପସ୍ଥିତ ଥିଲେ।

ପୁସ୍ତକ ଲୋକାର୍ପଣ ବୈଠକକୁ ସଂଯୋଜନା କରିଥିଲେ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର। ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସେ କହିଥିଲେ, ଆଜି ହେଉଛି ଝୁଲଣ ଯାତ୍ରା ଓ ଜାତୀୟ ଆନନ୍ଦ ଦିବସ । ଆଜିର ଦିନରେ ‘ସମ୍ବାଦ’ ଭବନରେ ବାବାସାହେବଙ୍କ ପୁସ୍ତକ ଉନ୍ମୋଚନ ନିହାତି ଏକ ଆନନ୍ଦର କଥା। ଶେଷରେ ‘କଥା’ର ସହ-ସଂପାଦକ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe