‘ଅଧିମୋକ୍ଷ ଓ ଅନ୍ୟାନ୍ୟ ଗଳ୍ପ’ ଲୋକାର୍ପିତ

Advertisment
‘ଅଧିମୋକ୍ଷ ଓ ଅନ୍ୟାନ୍ୟ ଗଳ୍ପ’ ଲୋକାର୍ପିତ

ଭୁବନେଶ୍ବର : ପୁସ୍ତକ ମେଳା ‘ଅକ୍ଷର’ ପରିସରରେ ଥିବା ପେନ୍‌ ଇନ୍‌ ବୁକ୍ସର ଷ୍ଟଲ୍‌ରେ କଥାକାର ଗୌରହରି ଦାସଙ୍କ ଗଳ୍ପ ସଂକଳନ ‘ଅଧିମୋକ୍ଷ ଓ ଅନ୍ୟାନ୍ୟ ଗଳ୍ପ’ ଆଜି ଉନ୍ମୋଚିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ହିନ୍ଦୀ କବି ଅରୁଣ କମଲ କହିଲେ, ଗୌରହରିଙ୍କ ଭଳି ଜଣେ ପ୍ରସିଦ୍ଧ କଥାକାରଙ୍କ ବହି ଏହି ମେଳା ପରିସରରେ ଉନ୍ମୋଚିତ ହେବା ବେଶ୍‌ ଉତ୍ସାହର ବିଷୟ। ଲେଖକୀୟ ଅଭିବ୍ୟକ୍ତି ରଖି ଶ୍ରୀ ଦାସ କହିଲେ ଯେ ମଣିଷ ମୁହଁରେ ଲୁହ କରୁଣ ଦିଶେ ଓ ହସ ଉଜ୍ଜ୍ବଳ ଦେଖାଯାଏ। କିନ୍ତୁ ହସ ଓ ଲୁହ ଏକାସାଙ୍ଗେ ମୁହଁରେ ଉଭା ହେବାର ଅନୁଭବ ମୋର ହୋଇଛି। ମୋ ଇଚ୍ଛା, ପରବର୍ତୀ କଥାକାରମାନେ ଏଭଳି ଚମତ୍କାର ଗପ ଲେଖନ୍ତୁ ଯେ ପାଠକ ଦିନେ ଭୁଲିଯିବେ ଗୌରହରି ଦାସ ବୋଲି କିଏ ଜଣେ ଲେଖକ ଥିଲେ।

ଅନ୍ୟତମ ଅତିଥି ସଂସ୍କୃତି ନିର୍ଦ୍ଦେଶକ ରଂଜନ ଦାସ କହିଲେ ଯେ ଗଳ୍ପ, କବିତା, ନାଟକ, ସ୍ତମ୍ଭ, କବିତା, ଭ୍ରମଣ କାହାଣୀ ଓ ଉପନ୍ୟାସ ଆଦି ସାହିତ୍ୟର ସବୁ ବିଭାଗରେ ଗୌରହରିଙ୍କ ପାରଦର୍ଶିତା‌ ରହିଛି। ଅନ୍ୟତମ ଅତିଥି ଓଡ଼ିଶା ସାହିତ୍ୟ ଏକାଡେମି ଉପସଭାପତି ସଂଗ୍ରାମ ଜେନା କହିଲେ ଯେ ମନୋଜ ଦାସଙ୍କ ପରେ ହଜି ଯାଉଥିବା ସାମାଜିକ ସନ୍ତକ ଓ ଚଳଣି ସହ ମାଡ଼ି ଆସୁଥିବା ଆଧୁନିକତାର ପ୍ରାଦୁର୍ଭାବର ଅପୂର୍ବ ସମନ୍ବୟ ଗୌରହରିଙ୍କ ଗଳ୍ପଜଗତ। ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ପ୍ରବୋଧ ରାଉତ କହିଲେ ଯେ ଲଳିତ ନିବନ୍ଧ ରଚନାରେ ଗୌରହରିଙ୍କ ନିପୁଣତା ଓ ଗଳ୍ପ କହିବାର ଶୈଳୀ ନିଆରା। ପ୍ରକାଶନୀ ସଂସ୍ଥାର ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା ସ୍ବାଗତଭାଷଣ ଦେଇଥିବା ବେଳେ କବି ପବିତ୍ର ମୋହନ କର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe