ନବୀନ ନିବାସରେ ‘ଶେଷ ଚିଠି’ ଓ ‘ଭାଗବତ କଥାମୃତ’ ଲୋକାର୍ପିତ

ନବୀନ ନିବାସରେ ‘ଶେଷ ଚିଠି’ ଓ ‘ଭାଗବତ କଥାମୃତ’ ଲୋକାର୍ପିତ

ଭୁବନେଶ୍ବର : ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ଦୁଇଟି ପୁସ୍ତକ ‘ଶେଷ ଚିଠି’ ଓ ‘ଭାଗବତ କଥାମୃତ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲେଖକଙ୍କୁ ତାଙ୍କର ସାରସ୍ବତ କୃତି ପାଇଁ ଅଭିନନ୍ଦନ ଜଣାଇବା ସହ ଏହି ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।

‘ଶେଷ ଚିଠି’ ଏକ କ୍ଷୁଦ୍ର ଗଳ୍ପ ସଂକଳନ। ଏଥିରେ ଉପକୂଳ ଓଡ଼ିଶାର ଅର୍ଦ୍ଧ ଶତାବ୍ଦୀ ତଳର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଅବସ୍ଥାର ନିଚ୍ଛକ ଚିତ୍ର ପ୍ରତିଫଳିତ ହୋଇଛି। ୨୩ଟି ଗଳ୍ପର ସମାହାରରେ ପ୍ରକାଶିତ ଏହି ପୁସ୍ତକଟି ପାଠକକୁ ହଜି ଯାଇଥିବା ଏକ ସମୟର ପରିଧିକୁ ଫେରାଇ ନେବାରେ ସକ୍ଷମ ହୋଇପାରିଛି। ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ବେହେରା ଏହି ପୁସ୍ତକର ‘ଭୂମିକା’ ଲେଖିଛନ୍ତି। ‘ଭାଗବତ କଥାମୃତ’ ଏକ ଆଧ୍ୟାତ୍ମିକ ପୁସ୍ତକ। ଏଥିରେ ଭାଗବତର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ୪୪ଟି ଆଧ୍ୟାତ୍ମିକ କଥାବସ୍ତୁ ସ୍ଥାନ ପାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ପୁସ୍ତକରେ ନିଜର ଅଭିମତ ରଖିଛନ୍ତି। ଦୁଇଟି ପୁସ୍ତକ ଭୁବନେଶ୍ବରର ଅପୂର୍ବା ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ହୋଇଛି। ଲେଖକ ଶ୍ରୀ ମହାନ୍ତି ସୂଚନା ଓ ଲୋକସଂପର୍କ ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ତଥା ମୁଖ୍ୟମନ୍ତ୍ରୀଙ୍କ ଲୋକସଂପର୍କ ଅଧିକାରୀ ଭାବରେ ଦୀର୍ଘ ଦିନ କାର୍ଯ୍ୟ କରିଥିଲେ। ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ତାଙ୍କର ବିଶେଷ ରୁଚି ରହିଛି। ପୂର୍ବରୁ ସେ ଶ୍ରୀମଦ୍‌ ଭାଗବତ ଗୀତାର ଓଡ଼ିଆ ପଦ୍ୟାନୁବାଦ ପ୍ରସ୍ତୁତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe